June 18, 2026
Home » “ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜକୁ” ଅନୁଦାନ ମିଳିଛି । ନୟାଗଡ ଜିଲ୍ଲାବାସୀ ଓ ଚାଷୀକୁଳ ଆନନ୍ଦିତ

“ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜକୁ” ଅନୁଦାନ ମିଳିଛି । ନୟାଗଡ ଜିଲ୍ଲାବାସୀ ଓ ଚାଷୀକୁଳ ଆନନ୍ଦିତ

0
1001129176
କ୍ୟାବିନେଟ ମଂଜୁରୀ ଓ ଶିଳାନ୍ୟାସ ପାଇଁ ଦାବି କଲା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ।
ନୟାଗଡ :  ନୟାଗଡ ଜିଲ୍ଲା ଗଣିଆ ବ୍ଲକ ନିକଟ ରାଉତପଡାଠାରେ ବହୁ ପ୍ରତିକ୍ଷିତ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇ ଆସୁଛି । ଆଜି ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ଜଣିଆ ଟିମ ରାଉତପଡା ଗସ୍ତ କରି ଏହି ପ୍ରସ୍ତାବିତ ମହାନଦୀ ବ୍ୟାରେଜସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡ କଥା ହେଲା ଏହି ବ୍ୟାରେଜ ପାଇଁ ଆର୍ଥିକ ଅନୁଦାନ ଆସିଥିଲେ ବି କ୍ୟାବିନେଟ ମଂଜୁରୀ ନମିଳିବାରୁ ଏହା ଆଗେଇପାରୁ ନାହିଁ । ତେଣୁ କ୍ୟାବିନେଟ ମଂଜୁରୀ ଓ ଶିଳାନ୍ୟାସ ତୁରନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସଂଘ ଦାବୀ କରିଛି । ନୟାଗଡ ଜିଲ୍ଲା ଏକ କୃଷି ପ୍ରଧାନ ଅଞ୍ଚଳ । ଧାନ ଓ ଆଖୁ ଏଠାକାର ପ୍ରମୁଖ କୃଷି ଜାତ ଦ୍ରବ୍ୟ ହୋଇଥିଲେ ବି ଅନ୍ୟାନ୍ୟ ପରିବା ଚାଷରେ ଏହି ଜିଲ୍ଲା ଅଗ୍ରଣୀ ଲାଭ କରିଛି ।
କିନ୍ତୁ ଜିଲ୍ଲାରେ ବହୁ ବଡ ବଡ ନଦୀ ପ୍ରବାହିତ ହେଉଥିଲେ ବି ଜଳସେଚନର ସେଭଳି ସୁବିଧା ନାହିଁ । ବିଶେଷ କରି ଓଡ଼ିଶାର ବଡନଦୀ ମହାନଦୀ ଏହି ଜିଲ୍ଲା ଦେଇ ପ୍ରବାହିତ ହେଉଥିଲେ ବି ମହାନଦୀର ପାଣି ଉପଯୋଗ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ମହାନଦୀରେ ଜଳଥାଇ ମଧ୍ୟ କୃଷି ପ୍ରଧାନ ନୟାଗଡ ଜିଲ୍ଲା ଜଳସେଚନରୁ ବଂଚିତ ହୋଇଛି । ପୂର୍ବରୁ ମଣିଭଦ୍ରା ବ୍ୟାରେଜ ଓ ପଦ୍ମାବତୀ ବ୍ୟାରେଜ ମହାନଦୀରେ ହେବାପାଇଁ ପ୍ରସ୍ତାବ ଥିଲା । କିନ୍ତୁ ସରକାର ପରେ ସରକାର ବଦଳୁଥିଲେ ମଧ୍ୟ ଏହି ପ୍ରସ୍ତାବଗୁଡିକ ୬୦ ବର୍ଷ ଧରି କେବଳ ପ୍ରସ୍ତାବରେ ହିଁ ରହି ଆସିଛି । ରାଉତପଡା, ସୁବଳୟା ଓ ଡିମିରିଆ ମହାନଦୀ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପତ୍ରାଙ୍କ ନଂ. ୧୬୨୫୭ ତା ୧-୬-୨୦୨୬ ଅନୁସାରେ ୧୫୧୬ କୋଟି ୪୩ ଲକ୍ଷ ଟଙ୍କା ଅର୍ଥ ବିଭାଗ ଅନୁମୋଦନ କରିଛନ୍ତି । ରାଉତପଡା ବଡକଳା ନିକଟରେ ଥିବା ପାହାଡ଼ରୁ କଟକ ଜିଲ୍ଲାନରସିଂହପୁର ଡିମିରିଆ ନିକଟ ପାହାଡକୁ ସଂଯୋଗ କରି ଏହି ବ୍ୟାରେଜ ନିର୍ମାଣ କରାଯିବ । ଏହି ବ୍ୟାରେଜ ନିର୍ମାଣ କରାଗଲେ ନୟାଗଡ ଓ କଟକ ଉଭୟ ଜିଲ୍ଲାର ଜମି ଜଳସେଚିତ ହୋଇପାରିବ । ମୁଖ୍ୟତଃ ନୟାଗଡ ଜିଲ୍ଲାର ୮ବ୍ଲକ ଜଳସେଚିତ ହେବା ସହିତ ମହାନଦୀର ପାଣି ସଂରକ୍ଷଣ କ୍ଷମତା ବୃଦ୍ଧି ପାଇବ । ମହାନଦୀର ପାଣିକୁ ଅଟକାଇ ଜିଲ୍ଲାର ବିିଭିନ୍ନ ବ୍ଳକକୁ ଜଳସେଚିତ କରାଯିବା ସହିତ ପାନୀୟ ଜଳ ଅଭାବରେ ପେଶି ହୋଇଯାଉଥିବା ନୟାଗଡର ପାନୀୟ ଜଳ ସଂକଟକ ଦୂର ହୋଇପାରିବ । ଏହି ବ୍ୟାରେଜ ନିର୍ମାଣ ଦ୍ୱାରା ସାମଗ୍ରୀକ ଭାବେ ନୟାଗଡ ଜିଲ୍ଲାର କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ଉନ୍ନତି ହୋଇପାରିବ । ବିଶେଷ ଭାବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲାଠାରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଥିବାବେଳେ ଗଣିଆ ବ୍ଲକର ରାଉତପଡାଠାରେ ଏହି ମହାନଦୀ ବ୍ୟାରେଜ ନିର୍ମାଣ ହେବ ।
ଏହା ଦ୍ୱାରା ଗଣିଆ ବ୍ଲକର ଅଭୂତପୂର୍ବ ଉନ୍ନତି ହୋଇପାରିବ । ଜିଲ୍ଲାର ସବୁଠାରୁ ଅବହେଳିତ ବ୍ଲକ ଭାବରେ ଗଣିଆ ପରିଗଣିତ । ଜିଲ୍ଲାର ଗଣିଆ ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ, କିନ୍ତୁ ଏଠାରେ ମହାନଦୀ ଭଳି ବଡ ନଦୀ ବହି ଯାଉଥିଲେ ବି କୌଣସି ଉପକାରରେ ଲାଗୁନି । ତେଣୁ ଏହି ବ୍ୟାରେଜ ନିର୍ମାଣ କରାଗଲେ ବ୍ୟାପକ ବିକାଶ ଘଟିବ ବୋଲି କୁହାଯାଉଛି । ରାଜ୍ୟ ସରକାର ଏହି ରାଉତପଡା-ଡିମିରିଆ ବ୍ୟାରେଜ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିବାରୁ ଜିଲ୍ଲା ସାମ୍ବାଦିକ ସଂଘ ଓ ଜିଲ୍ଲାର ଜନସାଧାରଣଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଯଥାଶୀଘ୍ର ଏହି ବ୍ୟାରେଜ ନିର୍ମାଣ ପାଇଁ କ୍ୟାବିନେଟ ମଂଜୁର ଏବଂ ଶିଳାନ୍ୟାସ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଦାବି କରିଛନ୍ତି । ସଂଘର ଏହି ୧୫ ଜଣିଆ ଟିମରେ ସଭାପତିଙ୍କ ସହ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଲୋକନାଥ ମିଶ୍ର, ସାମ୍ବାଦିକ ପ୍ରଭାସିନୀ ନନ୍ଦ, ଗୋକୁଳ କୁମାର ଷଡଙ୍ଗୀ, ବିଭୂତି ପଟ୍ଟନାୟକ, ପୁରୁଷୋତ୍ତମ ମହାପାତ୍ର, ବିଶ୍ୱ ରଂଜନ ସେଠୀ, ଅଖିଳ ପାଣିଗ୍ରାହୀ, କମଳଲୋଚନ ଦଳେଇ, ବିକ୍ରମ ସ୍ୱାଇଁ, ସମାଜସେବୀ ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ସମାଜସେବୀ ତଥା ବରିଷ୍ଠ କଂଗ୍ରେସ ନେତା ମନୋଜ କୁମାର ସାହୁ ପ୍ରମୁଖ ଗସ୍ତ କରିଥିଲେ । ନୟାଗଡ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳେଇଙ୍କୁ ଏ ସଂକ୍ରାନ୍ତରେ ପଚାରିବାରେ ସେ କହିଥିଲେ ଯେ, ରାଜ୍ୟ ସରକାର ରାଉତପଡା ଏବଂ ଡିମିରିଆକୁ ସଂଯୋଗ କରି ଏହି ବ୍ୟାରେଜ ନିର୍ମାଣ କରିବା ପାଇଁ ଉପରୋକ୍ତ ଅର୍ଥ ମଂଜୁର ହୋଇଛି । କ୍ୟାବିନେଟ ମଂଜୁର ହେଲେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ ଏହା ଜଳସମ୍ପଦ ବିଭାଗ କରିବ ନା ଆଉ କେଉଁ ବିଭାଗ କରିବ ସରକାର ଶୀଘ୍ର ସ୍ପଷ୍ଟ କରି କାର୍ଯ୍ୟ କରିବା ଦରକାର । ଏହି ବ୍ୟାରେଜ କରାଗଲେ ନୟାଗଡ ଓ କଟକ ଜିଲ୍ଲାର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଘଟିବା ସହିତ ଅର୍ଥନୈତିକ ପ୍ରଗତିରେ ବହୁବିଧ ଉନ୍ନତି ଘଟିବ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *