September 7, 2026
Home » ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ନୟାଗଡ ନାଗରିକ ମଞ୍ଚ ।

ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ନୟାଗଡ ନାଗରିକ ମଞ୍ଚ ।

0
1001273855
ନୟାଗଡ଼ ଟାଉନ୍ ଷ୍ଟେସନରେ ରେଳ ସେବା ଓ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଦାବି
ନୟାଗଡ଼ ( ଇପିଏ ) ନୟାଗଡ଼ ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତ୍ରୀଙ୍କ ସମସ୍ୟା, ଛାତ୍ରଛାତ୍ରୀ, ରୋଗୀ ଏବଂ ବ୍ୟବସାୟୀମାନଙ୍କୁ ଦୃଷ୍ଟିରେ ରଖି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରେଳସେବା ସମ୍ପର୍କିତ ପାଞ୍ଚ ଦଫା ଦାବି ନେଇ ନାଗରିକ ମଞ୍ଚ ଆଜି ପୂର୍ବତଟ ରେଳପଥ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦାବି ଜଣାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଦଶପଲ୍ଲା-ଭୁବନେଶ୍ୱର ସେବା ଏକ୍ସପ୍ରେସ (୧୮୪୨୪/୧୮୪୨୩) ଟ୍ରେନକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା। ଏହାକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରିତ କଲେ ଜିଲ୍ଲାବାସୀ ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ତଥା ଏସ.ସି.ବି. ମେଡିକାଲ କଲେଜ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସୁବିଧାରେ ଯାଆସ କରିପାରନ୍ତେ। ସେହିପରି ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ,ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଚାଲୁଥିବା ଟ୍ରେନଗୁଡ଼ିକରେ ଅଧିକ ବଗି ସଂଯୋଗ କରିବା ପାଇଁ ନାଗରିକ ମଞ୍ଚ ଦାବି କରିଛି।
ସେହିପରି ବର୍ତ୍ତମାନ ସକାଳ ୭:୩୦ ରୁ ଅପରାହ୍ନ ୪:୩୦ ମଧ୍ୟରେ କୌଣସି ଟ୍ରେନ୍ ସେବା ନଥିବାରୁ ଏକ ବଡ଼ ଶୂନ୍ୟସ୍ଥାନ ରହୁଛି । ତେଣୁ ଖୋର୍ଦ୍ଧା ରୋଡ଼ରେ ଦୀର୍ଘ ୫ଘଣ୍ଟା ଧରି ପଡ଼ି ରହୁଥିବା କେନ୍ଦୁଝର ରୋଡ଼-ଖୋର୍ଦ୍ଧା ରୋଡ଼ (୬୮୪୨୫/୬୮୪୨୬) ଲୋକାଲ ଟ୍ରେନକୁ ନୟାଗଡ଼ ଟାଉନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦ୍ୱାରା ଅଫିସ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରନ୍ତେ। ପ୍ଲାଟଫର୍ମ ନମ୍ବର ୨ ଏବଂ ୩ ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ଯାତାୟାତ ପରିଚାଳନା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବା ତଥା ଟ୍ରେନ୍ ବଗି ଭିତରେ ଏବଂ ଷ୍ଟେସନ ପ୍ଲାଟଫର୍ମରେ ସ୍ୱଚ୍ଛତା ପ୍ରତି ଜରୁରୀ ଦୃଷ୍ଟି ଦେବା ସହ ନିୟମିତ ତଦାରଖ କରାଯିବା ପାଇଁ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏହି ସବୁ ସମସ୍ୟା ଗୁଡିକ ଖୁବ ଶୀଘ୍ର ସମାଧାନ କରାଯିବା ପାଇଁ ଯଥାବିଧି ପଦକ୍ଷେପ ନେବେ ବୋଲି ରେଳ ମହାପ୍ରବନ୍ଧକ ଶ୍ରୀଫୁଙ୍କୱାଲ ନାଗରିକ ମଞ୍ଚ ସଦସ୍ୟ ମାନଙ୍କୁ ପ୍ରତିଶୃତି ଦେଇଥିଲେ। ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସାହୁ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ସାହୁ,ଗୋକୁଳ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ସୂଚନା ଯୋଗ୍ୟ ଯେ ରେଳ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ଆଜି ପୂର୍ବାହ୍ନରେ ଏକ ସରକାରୀ କାର୍ଯ୍ୟରେ ଭୁବନେଶ୍ୱରରୁ ଦଶପଲ୍ଲାକୁ, ଦଶପଲ୍ଲା ଭୁବନେଶ୍ୱର ମେମୁ ପାସେଞ୍ଜର ଟ୍ରେନରେ ଗ୍ରସ୍ତ କରିଥିଲେ। ନୟାଗଡ଼ବାସୀଙ୍କ ଏହି ଯୁକ୍ତିଯୁକ୍ତ ଦାବିଗୁଡ଼ିକୁ ରେଳ ବିଭାଗ ଶୀଘ୍ର ବିଚାର କରି ପଦକ୍ଷେପ ନେବ ବୋଲି ନାଗରିକ ମଞ୍ଚ ଆଶା ପ୍ରକାଶ କରିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *