ଲଗାଣ ବର୍ଷା: ରାଜ୍ୟର ସମସ୍ତ ୟୁଏଲ୍ବି ହାଇ ଆଲର୍ଟରେ
ଭୁବନେଶ୍ୱର:ରାଜ୍ୟରେ ଲଗାଣ ମୌସୁମୀ ବର୍ଷା ଜାରି ରହିଥିବାବେଳେ ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍ବି)କୁ ହାଇ ଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଓ ସମସ୍ତ ୟୁଏଲ୍ବିକୁ ଯେକୌଣସି ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛନ୍ତି ।
ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ, ମୌସୁମୀ ଋତୁରେ ନାଗରିକଙ୍କ ସୁରକ୍ଷା ଏବଂ ନିରବଚ୍ଛିନ୍ନ ନାଗରିକ ସେବା ଯୋଗାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ତେଣୁ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମସ୍ତ ୟୁଏଲ୍ବିକୁ ସଜାଗ ଓ ସତର୍କ ରହିବା ଆବଶ୍ୟକ ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏକ ପରାମର୍ଶ ଜାରି କରିଛି । ଏଥିରେ ଚିହ୍ନଟ ହୋଇଥିବା ହଟ୍ସ୍ପଟ୍ ଓ ନିମ୍ନାଞ୍ଚଳରେ ଜଳବନ୍ଦୀ ଏବଂ ଜଳ ଜମିବାକୁ ରୋକିବା ପାଇଁ ସମସ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ କୁହାଯାଇଛି ।
ବିଭାଗ ପକ୍ଷରୁ ସମସ୍ତ ୟୁଏଲ୍ବିକୁ ଚବିଶ ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ, ରାପିଡ୍ ଆକ୍ସନ ଟିମ୍ଗୁଡ଼ିକୁ ପୂର୍ଣ୍ଣ ସକ୍ରିୟ ରଖିବା, ପମ୍ପ ଓ ଡି-ୱାଟରିଂ ଉପକରଣକୁ କାର୍ଯ୍ୟକ୍ଷମ ରଖିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ପୌର ଅଧିକାରୀ, ଯନ୍ତ୍ରୀ ଏବଂ ପରିମଳ କର୍ମଚାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ବଢ଼ାଇ ଜଳ ଜମିବା, ନାଳ ଅବରୋଧ, ସମସ୍ୟା ଓ ଗଛ ଉପୁଡ଼ିବା ଭଳି ଘଟଣାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି ଶୀଘ୍ର ଓ ପ୍ରଭାବୀ ପଦକ୍ଷେପ ଗ୍ରହଣ ପାଇଁ ମଧ୍ୟ ୟୁଏଲ୍ବିଗୁଡ଼ିକୁ କୁହାଯାଇଛି ।
ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସହରାଞ୍ଚଳ ଅଭିଯୋଗ ନିବାରଣ ହେଲ୍ପଲାଇନ ‘ସହର ସାଥୀ-୧୯୨୯’କୁ ସକ୍ରିୟ କରାଯାଇଛି । ଜଳବନ୍ଦୀ, ଡ୍ରେନେଜ୍ ସମସ୍ୟା କିମ୍ବା ଅନ୍ୟାନ୍ୟ ନାଗରିକ ସମସ୍ୟା ନେଇ ଲୋକେ ଏହି ହେଲ୍ପଲାଇନରେ ଅଭିଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ବର୍ଷାଜନିତ ସ୍ଥିତି ଉପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିରନ୍ତର ନଜର ରଖିଥିବାବେଳେ ସହରାଞ୍ଚଳବାସୀଙ୍କ ସୁରକ୍ଷା ଏବଂ ନିରବଚ୍ଛିନ୍ନ ନାଗରିକ ସେବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି ।
