ସଡକ ସୁରକ୍ଷା ଓ ସେଫ୍ଟି ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ
ନୟାଗଡ଼ ( ଇପିଏ ) ନୟାଗଡ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସିଫ୍ଟି ଟାକ୍ସଫୋର୍ସ ବୈଠକ ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଉପସ୍ଥିତିରେ ସଡ଼କ ଦୁର୍ଘଟଣାର କାରଣ ଗୁଡ଼ିକ ଉପରେ ବିଶ୍ଳେଷଣ କରାଯାଇ, ତାହାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୋଲିସ୍,ଆଞ୍ଚଳିକ ପରିବହନ ଅଧିକାରୀ ଓ ପୌରପାଳିକା ବିଭାଗର ମିଳିତ ସହଯୋଗରେ ଅବୈଧ ପାର୍କିଂ ବିରୁଦ୍ଧରେ ଜଏଣ୍ଟ ଏନଫୋର୍ସମେଣ୍ଟ କରିବା ନିମନ୍ତେ ପରାମର୍ଶ ନିଷ୍ପତି ହୋଇଥିଲା। ଦୁର୍ଘଟଣା ପ୍ରବଣ ନୟାଗଡ଼ ବାଇପାସରେ ଆଲୋକ ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ NH ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।


ପୌରାଞ୍ଚଳରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ରାସ୍ତା କଡ଼ରେ ଅବୈଧ ଭାବରେ ବସିଥିବା ବେପାରୀ ମାନଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ପୌରପାଳିକା ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସଙ୍ଗେ ସଙ୍ଗେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମଦ୍ୟପାନ,ବିନା ହେଲମେଟ ଓ ମୋବାଇଲ ବ୍ୟବହାର କରି ଗାଡ଼ି ଚଳାଉଥିବା ଚାଳକ ମାନଙ୍କ ଉପରେ କଡ଼ା ଦୃଷ୍ଟି ଦେବା ପାଇଁ ଆଜିର ବୈଠକରେ ନିଷ୍ପତି ସହିତ ବିଭାଗୀୟ ଅଧିକାରୀଆନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ, ଜିଲ୍ଲା ଅଧିକାରୀ ବୃନ୍ଦ,ଘରୋଇ ବସ୍ ମାଲିକ ସଂଘ,ଟ୍ରକ୍ ମାଲିକ ସଂଘ,ବରିଷ୍ଠ ନାଗରିକ ସଂଘ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗ ଦାନ କରିଥିଲେ। ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ବିଭୂରଞ୍ଜନ ନାଏକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଦୁଃଖର ବିଷୟ ଜିଲ୍ଲାର ମୁଖ୍ୟ ସମସ୍ୟା ସଡକ ସୁରକ୍ଷା ଓ ସେଫ୍ଟି ଟାକ୍ସଫୋର୍ସ ବୈଠକକୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦୂରେଇ ରଖିବା କେଉଁ ମାନବିକତାର ପରିଚୟ ବୋଲି ସହରସାରା ଆଲୋଚନା ଚାଲିଛି । ଧନ୍ୟ ଧନ୍ୟ କହିବା ପ୍ରଶାସନକୁ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
