ସମ୍ପର୍କ ତରଫରୁ ଔଷଧୀୟ ବୃକ୍ଷରୋପଣ ଶିବିରରେ ମନ୍ତ୍ରୀଙ୍କୁ ଆଳନ୍ଦିଆ ଗାମୁଛାରେ ସମ୍ମାନିତ
ପୁରୀ: ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ସମ୍ପର୍କ’ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ଔଷଧୀୟ ବୃକ୍ଷରୋପଣ ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ଯୋଗ ଦେଇ ଗଛ ଲଗାଇବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ।
ଏହି ଅବସରରେ ପୁରୀ ଜିଲ୍ଲା ବ୍ରାହ୍ମଣ ଆଳନ୍ଦିଆ ଗ୍ରାମର ପ୍ରସିଦ୍ଧ ଆଳନ୍ଦିଆ ଗାମୁଛା ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଆଳନ୍ଦିଆ ଗାମୁଛା ପୁରୀ ମାଟିର ଗ୍ରାମୀଣ ଜୀବନ, ଓଡ଼ିଆ ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ଦକ୍ଷତା ଓ ସାଂସ୍କୃତିକ ପରିଚୟର ଏକ ପ୍ରତୀକ। ପିଢ଼ି ପରେ ପିଢ଼ି ବୁଣାକାର ପରିବାରଙ୍କ ପରିଶ୍ରମ ଓ ଅଭିଜ୍ଞତାରେ ଏହି ଗାମୁଛା ଆଳନ୍ଦିଆ ଗ୍ରାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଆସିଛି।ଆଧୁନିକ ଯୁଗରେ ଯନ୍ତ୍ରନିର୍ମିତ ବସ୍ତ୍ରର ବ୍ୟବହାର ବଢ଼ୁଥିବାବେଳେ ଆଳନ୍ଦିଆ ଗାମୁଛା ଭଳି ହସ୍ତତନ୍ତ ଉତ୍ପାଦର ପ୍ରଚାର ଓ ବ୍ୟବହାର ଗ୍ରାମୀଣ ବୁଣାକାର ଓ କାରିଗରଙ୍କ ଜୀବିକାକୁ ସୁଦୃଢ଼ କରିବାରେ ସହାୟକ ହେବ। ଓଡ଼ିଆ ସମାଜରେ ଗାମୁଛାର ମଧ୍ୟ ଏକ ସ୍ୱତନ୍ତ୍ର ସାମାଜିକ ଓ ସାଂସ୍କୃତିକ ମହତ୍ୱ ରହିଛି। ପୂଜାପର୍ବ, ସାମାଜିକ ଅନୁଷ୍ଠାନ, ଅତିଥି ସମ୍ମାନ ଓ ବିଭିନ୍ନ ଶୁଭକାର୍ଯ୍ୟରେ ଏହାର ବ୍ୟବହାର ଓଡ଼ିଆ ପରମ୍ପରାର ଅଂଶ ହୋଇଆସିଛି।

ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କୁ ଆଳନ୍ଦିଆ ଗାମୁଛା ପ୍ରଦାନ କରାଯିବା କେବଳ ଏକ ସମ୍ମାନ ପ୍ରଦାନ ନୁହେଁ, ବରଂ ପୁରୀର ଗ୍ରାମୀଣ ହସ୍ତତନ୍ତ ପରମ୍ପରା, ଆଳନ୍ଦିଆ ଗ୍ରାମର କାରିଗରୀ ଐତିହ୍ୟ ଓ ଓଡ଼ିଆ ସଂସ୍କୃତି ପ୍ରତି ସମ୍ମାନର ଏକ ନିଆରା ପ୍ରୟାସ ବୋଲି ଆୟୋଜକମାନେ କହିଥିଲେ।
ଅନ୍ୟପକ୍ଷରେ, ଔଷଧୀୟ ବୃକ୍ଷରୋପଣ ଓ ଆଳନ୍ଦିଆ ଗାମୁଛାର ସମ୍ମିଳନ ପ୍ରକୃତି ଓ ପରମ୍ପରାର ସୁରକ୍ଷାର ଏକ ସୁନ୍ଦର ବାର୍ତ୍ତା ବହନ କରିଛି। ଔଷଧୀୟ ବୃକ୍ଷ ଆମ ପ୍ରକୃତି ଓ ସ୍ୱାସ୍ଥ୍ୟର ସୁରକ୍ଷାର ପ୍ରତୀକ ହୋଇଥିବାବେଳେ ଆଳନ୍ଦିଆ ଗାମୁଛା ଆମ ମାଟି, କାରିଗରୀ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଉଭୟର ସୁରକ୍ଷା ଆମ ସାମୂହିକ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ, ଉପନିର୍ଦ୍ଦେଶକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସନ୍ତୋଷ କୁମାର ସେଠୀ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ସମ୍ବିତ୍ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ନୀଳ ମାଧବ ଭୋଇ ଓ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ବିପିନି ବିହାରୀ ଖୁଣ୍ଟିଆ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ,ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସରକାରୀ ଅଧିବକ୍ତା ଦିଗ ଦର୍ଶନ ପଟ୍ଟନାୟକ, କମଲେଶ ପ୍ରଧାନ, ଟି. ବାନାମ୍ବର ପାତ୍ର,ଟି ନରସିଂହ ପାତ୍ର, ଅରବିନ୍ଦ ଶତପଥୀ, ପଦ୍ମନାଭ ପଣ୍ଡା ଓ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଔଷଧୀୟ ବୃକ୍ଷରୋପଣ କରିଥିଲେ।‘ସମ୍ପର୍କ’ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଶୁଭ ପ୍ରସାଦ ଶର୍ମା, ବିଶ୍ୱଜିତ ମିଶ୍ର, ଶ୍ରୀତମ ମହସୁଆର, ସରୋଜ ଦାସ ପ୍ରମୁଖ ସହଯୋଗ କରିଥିଲେ। ଆଳନ୍ଦିଆ ଗାମୁଛାର ସୁରକ୍ଷା, ପ୍ରଚାର ଓ ବ୍ୟବହାର ମାଧ୍ୟମରେ ଗ୍ରାମୀଣ ବୁଣାକାର ପରିବାରଙ୍କୁ ଉତ୍ସାହିତ କରିବା ସହିତ ଓଡ଼ିଆ ହସ୍ତତନ୍ତ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଆହ୍ୱାନ ଦିଆଯାଇଥିଲା।
