September 16, 2026
Home » ‘ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ

‘ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ

0
Screenshot 2026-09-16 175021

 

 

ଭୁବନେଶ୍ୱର,: ଆଜି ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ସଫଳ ଦୁଇ ବର୍ଷ ପୂରଣ ଅବସରରେ ଆସନ୍ତାକାଲି-ସେପ୍ଟେମ୍ବର ୧୭ ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ୫ଟି କିସ୍ତି ଜରିଆରେ ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (DBT) ୨୫,୮୦୦ କୋଟି ଟଙ୍କା ସହାୟତା ହସ୍ତାନ୍ତର କରାଯାଇଛି। ଆଇଆଇଏମ୍‌ ସମ୍ବଲପୁର, ଏସବିଆଇ ଏବଂ ନୀତି ଆୟୋଗର ଆକଳନ ଅନୁଯାୟୀ, ଏହି ଯୋଜନା ଫଳରେ ରାଜ୍ୟର ୨୬ ପ୍ରତିଶତରୁ ଊର୍ଦ୍ଧ୍ୱ ମହିଳା ନିଜସ୍ୱ ଉଦ୍ୟୋଗୀ ଭାବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ଏହି ପରିପ୍ରେକ୍ଷୀରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରି କହିଛନ୍ତି, “ଆସନ୍ତା କାଲି ମହିଳା ସଶକ୍ତୀକରଣ ଓ ଆତ୍ମସମ୍ମାନର ସଂକଳ୍ପ ଦିବସ ଭାବେ ପାଳନ କରାଯିବ। ଏହି ଅବସରରେ ରାଜ୍ୟର ସମସ୍ତ ଆଇ ଇସିଡିଏସ୍ (ICDS) ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର ଓ ସିଡିପିଓ କାର୍ଯ୍ୟାଳୟଗୁଡ଼ିକରେ ରଙ୍ଗୋଲି ପ୍ରତିଯୋଗିତା ଏବଂ ସବିଶେଷ ସମାରୋହ ଆୟୋଜନ କରାଯିବ।” ଏଥିସହ ‘ପୋଷଣ ଅଭିଯାନ’ ମାଧ୍ୟମରେ ଓଡ଼ିଶାକୁ ୧୦୦% କୁପୋଷଣମୁକ୍ତ କରି ଏକ ‘ସୁପୋଷିତ ଓ ବିକଶିତ ଓଡ଼ିଶା’ ଗଠନ ପାଇଁ ବିଭାଗ ସଂକଳ୍ପବଦ୍ଧ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।ଉପମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ମହିଳା ସଶକ୍ତୀକରଣ, ମର୍ଯ୍ୟାଦା ଓ ସ୍ୱାବଲମ୍ବନର ଭାବନାକୁ ଉତ୍ସବ ଆକାରରେ ପାଳନ କରିବାକୁ ଆହ୍ୱାନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *