June 7, 2026
Home » ସୋନପୁର ମ୍ୟୁନିସିପାଲିଟି ଦୁର୍ନୀତି ପେଡ଼ି ଭାଗ-୪ : ଷ୍ଟ୍ରିଟ୍ ଲାଇଟ୍ କିଣା ଓ ଟେଣ୍ଡରରେ ମେଗା ସ୍କାମ୍‌; ଅନ୍ଧାରରେ ସହର

ସୋନପୁର ମ୍ୟୁନିସିପାଲିଟି ଦୁର୍ନୀତି ପେଡ଼ି ଭାଗ-୪ : ଷ୍ଟ୍ରିଟ୍ ଲାଇଟ୍ କିଣା ଓ ଟେଣ୍ଡରରେ ମେଗା ସ୍କାମ୍‌; ଅନ୍ଧାରରେ ସହର

0
WhatsApp Image 2026-06-06 at 11.45.37 AM

ସୁବର୍ଣ୍ଣପୁର — ସଫେଇ ଗାଡ଼ି କିଣା ଓ ତେଲ ବିଲ୍ ଜାଲିଆତିର ଗୁମର ଖୋଲିବା ପରେ ଏବେ ସୋନପୁର ପୌରପରିଷଦର ଆଉ ଏକ ବଡ଼ ଦୁର୍ନୀତିର କଳା ଚିଠା ସାମ୍ନାକୁ ଆସିଛି। ସହରକୁ ଆଲୋକିତ କରିବା ନାଁରେ କୋଟି କୋଟି ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ବା ରାସ୍ତା କଡ଼ ଆଲୁଅ କିଣା ଏବଂ ଏହାର ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ହରିଲୁଟ୍ ହୋଇଥିବା ନେଇ ସଂଘାତିକ ଅଭିଯୋଗ ହୋଇଛି। ସହରର ଅଧିକାଂଶ ୱାର୍ଡ ଓ ମୁଖ୍ୟ ରାସ୍ତା ରାତି ହେଲେ ଅନ୍ଧାରରେ ବୁଡ଼ି ରହୁଥିବା ବେଳେ, କାଗଜପତ୍ରରେ ମାତ୍ରାଧିକ ଲାଇଟ୍ କିଣାଯାଇ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିବା ନେଇ ସହରରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ମ୍ୟୁନିସିପାଲିଟି ପକ୍ଷରୁ ସହର ପାଇଁ ଯେଉଁ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଓ ଫ୍ଲଡ୍ ଲାଇଟ୍ କିଣାଯାଇଛି, ତାର ଦାମ୍ ବଜାର ମୂଲ୍ୟଠାରୁ ପ୍ରାୟ ଦୁଇରୁ ତିନିଗୁଣା ଅଧିକ ଦେଖାଇ ଅର୍ଥ ହଡ଼ପ କରାଯାଇଛି। ଏହା ସହିତ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ କିଣାଯାଇଥିବାରୁ ଲଗାଯିବାର ମାସେ ଦୁଇମାସ ମଧ୍ୟରେ ସେଗୁଡ଼ିକ ଅଚଳ ହୋଇଯାଉଛି, ଯାହାଫଳରେ ସହରବାସୀ ଅନ୍ଧାରରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଅନ୍ୟପଟେ ପୌର ଅଧିକାରୀ ଓ ପିସିଖୋର ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନୂଆ ଲାଇଟ୍ କିଣା ନାଁରେ ବିଲ୍ ପରେ ବିଲ୍ ପାସ୍ ଚାଲିଥିବା ବେଳେ ବାସ୍ତବରେ ସହରବାସୀ କେବଳ ପ୍ରତାରଣା ହିଁ ପାଉଛନ୍ତି।ଏହି ମେଗା ସ୍କାମ୍‌ର ସବୁଠାରୁ ବଡ଼ ସଂଘାତିକ ଦିଗ ହେଉଛି ଷ୍ଟ୍ରିଟ୍ ଲାଇଟ୍ ଯୋଗାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ହୋଇଥିବା କଳା ଟେଣ୍ଡର ପ୍ରକ୍ରିୟା। ସରକାରୀ ଓଡ଼ିଶା କେନ୍ଦ୍ରୀୟ କ୍ରୟ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ, କୌଣସି ସ୍ୱଚ୍ଛତା ନରଖି ନିଜ ପ୍ରିୟାପ୍ରୀତି ତୋଷଣ ଭିତ୍ତିରେ କିଛି ନିର୍ଦ୍ଦିଷ୍ଟ ଦଲାଲ ଓ ପ୍ରଭାବଶାଳୀ ଠିକାଦାରଙ୍କୁ ଏହି ଟେଣ୍ଡର ଟେକି ଦିଆଯାଇଛି। ଅନ୍ୟ ସମସ୍ତ ଯୋଗ୍ୟ ତଥା ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଚତୁରତାର ସହ ଏହି ପ୍ରକ୍ରିୟାରୁ ବାଦ୍ ଦିଆଯାଇ କେବଳ ମିଛ କାଗଜପତ୍ର ଆଧାରରେ ‘ଟେଣ୍ଡର ଫିକ୍ସିଂ’ କରାଯାଇଥିବା ଚର୍ଚ୍ଚା ଜୋର ଧରିଛି। ନିୟମ ଅନୁଯାୟୀ ଏହି ଲାଇଟ୍‌ଗୁଡ଼ିକ ଖରାପ ହେଲେ ତାକୁ ସମ୍ପୃକ୍ତ ଠିକା ସଂସ୍ଥା ତୁରନ୍ତ ସଜାଡ଼ିବା କଥା, ମାତ୍ର ସୋନପୁର ସହରର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ସହରର ବିଭିନ୍ନ ଗଳିକନ୍ଦିରେ ମାସ ମାସ ଧରି ଲାଇଟ୍ ଅଚଳ ହୋଇ ପଡ଼ିରହିଥିଲେ ସୁଦ୍ଧା, କାମ ନକରି ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କାର ରକ୍ଷଣାବେକ୍ଷଣ ଓ ମରାମତି ବିଲ୍ ସମ୍ପୂର୍ଣ୍ଣ ଜାଲିଆତି କରି ଉଠାଯାଉଛି। କେଉଁ ୱାର୍ଡରେ ପ୍ରକୃତରେ କେତୋଟି ଲାଇଟ୍ ଲାଗିଲା, କେତୋଟି ନଷ୍ଟ ହେଲା ଏବଂ କେତୋଟି ସଜଡ଼ା ହେଲା—ତାର କୌଣସି ସଠିକ୍ ‘ଷ୍ଟକ୍ ରେଜିଷ୍ଟର’ କାର୍ଯ୍ୟାଳୟରେ ନାହିଁ, ଯାହା ଏହି ବଡ଼ ଧରଣର ଆର୍ଥିକ ଅନିୟମିତତାକୁ ସ୍ପଷ୍ଟ ପ୍ରମାଣିତ କରୁଛି।ଗୋଟିଏ ପଟେ ସଫେଇ ଗାଡ଼ି ମହାଘୋଟାଲାର ତଦନ୍ତ ଭିଜିଲାନ୍ସ ବିଭାଗ କରୁଥିବା ବେଳେ, ଏବେ ଷ୍ଟ୍ରିଟ୍ ଲାଇଟ୍ କିଣା ଦୁର୍ନୀତି ସୋନପୁର ପୌରପରିଷଦର ଅସଲ ଚେହେରାକୁ ଜନସାଧାରଣଙ୍କ ସାମ୍ନାରେ ଧରାପକାଇ ଦେଇଛି। ସାଧାରଣ ଜନତାଙ୍କ ଟିକସ ପଇସାରେ ନିଜ ପକେଟ୍ ଗରମ କରୁଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ କିଛି ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କ ବିରୋଧରେ ସରକାର କେବେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ସାରା ସୋନପୁରବାସୀଙ୍କ ତୀକ୍ଷ୍ଣ ନଜର ରହିଛି। ସହରବାସୀ ଏବେ ଏହି ଦୁର୍ନୀତି ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ସହ “ଆମକୁ ଆଲୁଅ ଦିଅ, ନଚେତ୍ ଦୁର୍ନୀତିବାଦୀଙ୍କୁ ଜେଲ୍ ପଠାଅ” ବୋଲି ଦୃଢ଼ ଦାବି କରିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *