ସ୍ଥଗିତ ରହିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେସନକ ଚଳଚ୍ଚିତ୍ର ମୁକ୍ତିଲାଭ
ସ୍ଥଗିତ ରହିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେସନକ ଚଳଚ୍ଚିତ୍ର ମୁକ୍ତିଲାଭ। ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ନେଇ ଗଜପତି ମହାରାଜାଙ୍କ ଆପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଚାର, ପ୍ରସାର କମିଟି ବୈଠକରେ ମହାପ୍ରଭୁ ଜଗନ୍ନାଥ ଆନିମେସନ ଚଳଚ୍ଚିତ୍ର କିଛି ସମୟ ପ୍ରଦର୍ଶିତ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇ କହିଛନ୍ତି ,କଏହି ଫିଲ୍ମ ସଂପୂର୍ଣ୍ଣ କାଳ୍ପନିକ। ଆଜିର ଛୋଟ ପିଲା, ଯୁବ ପିଢୀଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ ସ୍ୱାଗତଯୋଗ୍ୟ। କିନ୍ତୁ ଏହା କାଳ୍ପନିକ କିମ୍ବା ମନଗଢ଼ା କାହାଣୀ ହେବା କଥା ନୁହେଁ।ବୈଠକରେ ଚଳଚ୍ଚିତ୍ରର ନିର୍ଦ୍ଧେଶକ ମଧ୍ୟ ନିଜ ଭୁଲ ସ୍ୱୀକାର କରିଥିଲେ। ଭୁବନେଶ୍ୱର (M/s Ele Animations Pvt Ltd) ଦ୍ୱାରା ନିର୍ମିତ ଏବଂ ଆସନ୍ତା ଜୁଲାଇ ୧୦ ରେ ପ୍ରେକ୍ଷାଳୟକୁ ଆସିବାକୁ ଥିବା “ମହାପ୍ରଭୁ ଜଗନ୍ନାଥ” ଚଳଚ୍ଚିତ୍ରର ମୁକ୍ତିଲାଭ ସ୍ଥଗିତ ରଖାଯାଇଛି। ସଂପୂର୍ଣ୍ଣ ଚଳଚ୍ଚିତ୍ର ଆଉ ଥରେ ତର୍ଜମା ହୋଇ ପରିବର୍ତ୍ତିତ ହେବ।ସେହିପରି ଇସ୍କନ ର ଅଦିନିଆ ରଥଯାତ୍ରା ଆୟୋଜନ କୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ।ଗଜପତି ନିଜ ପ୍ରତିକ୍ରିୟାରେ କହିଛନ୍ତି,ଦୁଇ ଦିନ ତଳେ ଇସ୍କନ GVC ର ନୂଆ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଅବଗତ କରାଯାଇଛି।ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଦିଆଯାଇଛି। ନୀଳାଦ୍ରି ବିଜେ ପରେ ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବେ। ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ ବୋଲି ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।ତେବେ ଜଗନ୍ନାଥ ଙ୍କ ଉପରେ ଏଲି ଏନିମେସନ ର ଏନିମେସନ ଫିଲ୍ମର ଅଫିସିଆଲ୍ ଟ୍ରେଲର୍କୁ ଦେଖିବା ପରେ ଗଜପତି ମହାରାଜା ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ କହିବା ଅନୁଯାୟୀ ଏହା ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କର ଏକ ସମ୍ପୂର୍ଣ୍ଣ ମନଗଢ଼ା ଓ କାଳ୍ପନିକ କାହାଣୀ ପ୍ରଦର୍ଶନ କରାଯାଇଛି। ଯାହା ଆମର ପବିତ୍ର ଶାସ୍ତ୍ର ସହିତ ଆଦୌ ମେଳ ଖାଉନାହିଁ।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗବେଷକ, ବିଭିନ୍ନ ମଠର ମଠାଧୀଶ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।
