October 28, 2026
Home » ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଶତଚେଷ୍ଟା ସତ୍ତ୍ୱେ ଅବହେଳିତ ଐତିହାସିକ ସମ୍ପଦ ଆମ ସଂଗ୍ରାହାଳୟ

ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଶତଚେଷ୍ଟା ସତ୍ତ୍ୱେ ଅବହେଳିତ ଐତିହାସିକ ସମ୍ପଦ ଆମ ସଂଗ୍ରାହାଳୟ

0
WhatsApp Image 2026-10-27 at 3.12.12 PM

 

ବରଗଡ଼: ଇତିହାସ ହେଉଛି ଏକ ଜାତିର ଆତ୍ମପରିଚୟ, ସଂସ୍କୃତି ହେଉଛି ତାହାର ଅସ୍ମିତା ଏବଂ ଐତିହ୍ୟ ହେଉଛି ତାହାର ଗୌରବମୟ ଅତୀତର ଅମ୍ଳାନ ସ୍ମୃତି। ହେଲେ ଆଜି ବରଗଡ଼ ଜିଲ୍ଲାର ଏହି ଅମୂଲ୍ୟ ଐତିହାସିକ ସମ୍ପଦର ଭବିଷ୍ୟତକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଯେଉଁ ସଂଗୃହୀତ ସାମଗ୍ରୀ ଜିଲ୍ଲାର ଗୌରବମୟ ଇତିହାସ, କଳା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ଦସ୍ତାବିଜ ହୋଇପାରନ୍ତା, ତାହା ଆଜି ବନ୍ଦ କୋଠରୀର ଅନ୍ଧକାର ଭିତରେ ଧୂଳି ଓ ଅବହେଳାର ଆସ୍ତରଣ ତଳେ ନିଜ ଅସ୍ତିତ୍ୱ ହରାଇବାକୁ ବସିଛି। ଏଭଳି ସ୍ଥିତିରେ ସ୍ୱାଭାବିକ ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବରଗଡ଼ ଜିଲ୍ଲା ସଂଗ୍ରହାଳୟର ସ୍ୱପ୍ନ ?ବରଗଡ଼ର ଐତିହାସିକ ସମ୍ପଦକୁ ସଂରକ୍ଷିତ କରିବା ଏବଂ ଏକ ସୁବ୍ୟବସ୍ଥିତ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା କରିବା ଦିଗରେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଶତଚେଷ୍ଟା ଓ ନିରନ୍ତର ଉଦ୍ୟମ ଅବିସ୍ମରଣୀୟ। ଏହି ମହତ୍ ଉଦ୍ୟମ ପଛରେ ରହିଥିଲା ନିଜ ମାଟିର ଇତିହାସକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାର ଆନ୍ତରିକ ଆକାଂକ୍ଷା। କିନ୍ତୁ ଦୁଃଖର ବିଷୟ, ତାଙ୍କ ନିଷ୍ଠାପର ପ୍ରୟାସ ସତ୍ତ୍ୱେ ଏହି ଐତିହାସିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗ ଆଜି ମଧ୍ୟ ଆଶାନୁରୂପ ଗୁରୁତ୍ୱ ପାଇପାରିନାହିଁ। ତାଙ୍କ ଅବର୍ତ୍ତମାନରେ ଏହି ପ୍ରସଙ୍ଗ ଆହୁରି ଗୁରୁତ୍ୱ ବହନ କରୁଛି।

ସଂଗ୍ରହାଳୟ କେବଳ ପୁରୁଣା ସାମଗ୍ରୀର ସମାହାର ନୁହେଁ, ଏହା ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏକ ଜୀବନ୍ତ ସେତୁ। ପୂର୍ବପୁରୁଷଙ୍କ ଜୀବନଶୈଳୀ, ସାମାଜିକ ପରମ୍ପରା, ଲୋକକଳା, ସଭ୍ୟତା ଓ ଐତିହାସିକ ଯାତ୍ରାର ଅନେକ ଅଜଣା ଅଧ୍ୟାୟ ଏହି ସାମଗ୍ରୀ ମାଧ୍ୟମରେ ଉନ୍ମୋଚିତ ହୋଇଥାଏ। ତେଣୁ ଏହାର ଅବହେଳା କେବଳ କିଛି ପୁରୁଣା ବସ୍ତୁର କ୍ଷତି ନୁହେଁ, ବରଂ ଆମ ସାମୂହିକ ସ୍ମୃତି ଓ ସାଂସ୍କୃତିକ ପରିଚୟ ପ୍ରତି ଏକ ଗଭୀର ଆଘାତ।ଏଠାରେ ପ୍ରଶ୍ନ ଉଠୁଛି, ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ଦାୟିତ୍ୱ କାହାର? ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏ ଦିଗରେ କେବେ ଠୋସ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଶ୍ନ ଉଠିଛି । ସଂଗୃହୀତ ସାମଗ୍ରୀର ସୁରକ୍ଷା, ଉପଯୁକ୍ତ ରକ୍ଷଣାବେକ୍ଷଣ, ସ୍ଥାୟୀ ସଂଗ୍ରହାଳୟ ପ୍ରତିଷ୍ଠା ଏବଂ ଏହାର ସୁଚାରୁ ପରିଚାଳନା ପାଇଁ କେବେ ପ୍ରସ୍ତୁତ ହେବ ଏକ ସ୍ପଷ୍ଟ କାର୍ଯ୍ୟଯୋଜନା ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ସମୟର ଆହ୍ୱାନ।ସଂଗ୍ରହାଳୟର ସ୍ଥାୟୀ ବ୍ୟବସ୍ଥା କରିବା ସହ ସଂଗୃହୀତ ସମସ୍ତ ସାମଗ୍ରୀର ସଠିକ୍ ତାଲିକା ପ୍ରସ୍ତୁତି, ସେଗୁଡ଼ିକର ବର୍ତ୍ତମାନ ସ୍ଥିତି ଯାଞ୍ଚ ଏବଂ ନଷ୍ଟ ହେବା ଆଶଙ୍କା ଥିବା ସାମଗ୍ରୀର ତୁରନ୍ତ ସଂରକ୍ଷଣ ଅତ୍ୟନ୍ତ ଜରୁରୀ। ଏଥିପାଇଁ ସରକାରୀ ଇଚ୍ଛାଶକ୍ତି ସହିତ ପ୍ରଶାସନିକ ତତ୍ପରତା ଓ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। ଯେଉଁ ଐତିହ୍ୟ ଥରେ ନଷ୍ଟ ହୋଇଯିବ, ତାହାକୁ ପୁନର୍ବାର ଫେରାଇ ଆଣିବା ସମ୍ଭବ ନୁହେଁ।ବରଗଡ଼ର ଐତିହ୍ୟ ଓ ସଂସ୍କୃତି ଜିଲ୍ଲାବାସୀଙ୍କ ଗର୍ବ। ଏହି ଗର୍ବର ପ୍ରତୀକଗୁଡ଼ିକୁ ଅବହେଳାର ଅନ୍ଧକାରରେ ହଜିଯିବାକୁ ଦେବା ଅର୍ଥ ନିଜ ଇତିହାସ ପ୍ରତି ଦାୟିତ୍ୱହୀନ ହେବା। ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ଦିଗରେ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ। ଏହା କେବଳ ଜଣେ ସାମ୍ବାଦିକଙ୍କ ଉଦ୍ୟମର ସମ୍ମାନ ନୁହେଁ, ବରଂ ସମଗ୍ର ବରଗଡ଼ର ଐତିହାସିକ ଅସ୍ମିତା ପ୍ରତି ଯଥାର୍ଥ ସମ୍ମାନ ହେବ।

ଶେଷରେ ଅନେକ ପ୍ରଶ୍ନ ମନରେ ସୃଷ୍ଟି ହୁଏ … ବରଗଡ଼ର ଏହି ଅମୂଲ୍ୟ ଐତିହ୍ୟକୁ ଆଉ କେତେଦିନ ଧୂଳି ଓ ଅବହେଳା ମଧ୍ୟରେ ପଡ଼ିରହିବାକୁ ଦିଆଯିବ ? ପ୍ରଶାସନ ଆଉ କେତେଦିନ ନିରବ ରହିବ? ଇତିହାସର ଏହି ଅମୂଲ୍ୟ ସମ୍ପଦକୁ ସୁରକ୍ଷା ଦେବା ପାଇଁ ଏବେ ଆବଶ୍ୟକ କେବଳ ପ୍ରତିଶ୍ରୁତି ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଓ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ। କାରଣ ଇତିହାସ ହଜିଗଲେ ତାହାର ଶୂନ୍ୟସ୍ଥାନ କେବେ ପୂରଣ ହୋଇପାରିବ ନାହିଁ ଏବଂ ଆମ ପରବର୍ତ୍ତୀ ପିଢିଙ୍କ ପାଇଁ ଅଜଣା ଓ ଅଚିହ୍ନା ହୋଇ ରହିଯିବ ଅନେକ ଅତୀତ …..

ବ୍ୟୋମକେଶ କର
ବରଗଡ଼

Leave a Reply

Your email address will not be published. Required fields are marked *