୧୦୭ତମ ସ୍ୱନକ୍ଷତ୍ର ଦିବସ
ଶତାୟୁ ହେଲେ ବି ଯୁବକ ପରି କାର୍ଯ୍ୟ କରୁଛି ‘ସମାଜ’: ମୁଖ୍ୟମନ୍ତ୍ରୀ
ଯୁବଗୋଷ୍ଠୀଙ୍କୁ ଯୋଡ଼ିଲା ‘ପ୍ରଜ୍ବଳିତ ଓଡ଼ିଶା: ୟୁଥ୍ କନେକ୍ଟ’ କାର୍ଯ୍ୟକ୍ରମ
ଜ୍ୟୋତିର୍ମୟୀଙ୍କ ସ୍ୱରରେ ଝୁମିଲେ, ନିଶାମୁକ୍ତିର ସଂକଳ୍ପ ପାଠ କରାଇଲେ ଅର୍ପିତା
ଭୁବନେଶ୍ୱର,: ଦୈନିକ ଖବରକାଗଜ ‘ସମାଜ’ ଶତାୟୁ ହୋଇଛି ସତ, ହେଲେ ଯୁବକ ପରି କାମ କରୁଛି। ଓଡ଼ିଶା ଯେତେବେଳେ ପରାଧୀନ ଥିଲା, ସେତେବେଳେ ଓଡ଼ିଶାକୁ ପ୍ରାକୃତିକ ଦୁର୍ବିପାକ କବଳିତ କରି ରଖୁଥିଲା। ବନ୍ୟା, ବାତ୍ୟା ପ୍ରପୀଡ଼ିତ ଲୋକେ ଭାବୁଥିଲେ, ଆମ ପାଖରେ ଆଉ କିଏ ପହଞ୍ଚୁ କି ନ ପହଞ୍ଚୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଶ୍ଚିତ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ‘ସମାଜ’ର ୧୦୭ତମ ସ୍ବନକ୍ଷତ୍ର ଦିବସ ଅବସରରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଲୋକେ ସରକାରଙ୍କ ଉପରେ ଭରସା କରୁନଥିଲେ, ଗୋପବନ୍ଧୁଙ୍କ ଉପରେ ଭରସା କରୁଥିଲେ। ‘ସମାଜ’ ଖବରକାଗଜ ଲମ୍ବା ସମୟ ଧରି ଗୋପବନ୍ଧୁଙ୍କ ଆଦର୍ଶକୁ ମୁଖ୍ୟ ଆଧାର କରି ଚାଲିଛି।
ମୁଖ୍ୟମନ୍ତ୍ରୀ କହିଥିଲେ, ଟେଲିଭିଜନ ଯେତେ ୨୪ ଘଣ୍ଟିଆ ଖବର ଦେଲେ ମଧ୍ୟ ଛାପା ଗଣମାଧ୍ୟମ ତା’ର ବିଶ୍ୱସନୀୟତା ବଜାୟ ରଖିଛି। ଖବର ପରିବେଷଣରେ ସମାଜ କେବେ ବି ସାଲିସ କରିନାହିଁ। ଉତ୍କଳମଣିଙ୍କ ପ୍ରେରଣାରେ ‘ସମାଜ’ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସେବା କରି ଚାଲିବ। ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁ ମହତ୍ ଉଦ୍ଦେଶ୍ୟ ରଖି ପଣ୍ଡିତ ଗୋପବନ୍ଧୁ ‘ସମାଜ’ର ପ୍ରତିଷ୍ଠା କରିଥିଲେ, ତାଙ୍କ ଅବର୍ତ୍ତମାନରେ ମଧ୍ୟ ‘ସମାଜ’ ତାହା ପରିପୂରଣ କରି ଚାଲିଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ବତନ୍ତ୍ର ଓଡ଼ିଶା ଗଠନ ଦିଗରେ ‘ସମାଜ’ର ଗୌରବମୟ ଯାତ୍ରା ଉତ୍ତର ପିଢ଼ିକୁ ଅନୁପ୍ରାଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ଉତ୍କଳମଣିଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ସମାଜ’ ପିଢ଼ି ପରେ ପିଢ଼ି ଧରି ଓଡ଼ିଆ ଜାତିକୁ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ କରି ଆସୁଛି। ନିର୍ଭୀକ ଖବରର ଏହି ଧାରା ଆଗାମୀ ଦିନରେ ମଧ୍ୟ ‘ସମାଜ’ ଜାରି ରଖିବ ବୋଲି ମୋର ବିଶ୍ୱାସ। ସଭାପତିତ୍ୱ ଅଭିଭାଷଣରେ ଲୋକସେବକ ମଣ୍ଡଳ ସଭାପତି ଶ୍ରୀ ରାଜକୁମାର କହିଥିଲେ, ଉତ୍କଳମଣି ଗୋପବନ୍ଧୁ ଲୋକସେବକ ମଣ୍ଡଳକୁ ‘ସମାଜ’ ପରିଚାଳନାର ଦାୟିତ୍ୱ ଦେବା ହୁଏତ ଏହି ଖବରକାଗଜକୁ ଶତାୟୁ କରିଛି। ସ୍ୱାଧୀନତା ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ କଲମକୁ ଜନସେବାର ସାଧନ କରିଥିଲେ। ସେହି ଆଦର୍ଶରେ ଏହା ଆଜି ବି ଚାଲିଛି। ‘ସମାଜ’ ଖବରକାଗଜ କେବଳ କାଗଜ ଉପରେ ଛାପା ଶବ୍ଦ ନୁହେଁ, ଲୋକତନ୍ତ୍ରର ସ୍ୱର ହେଉଛି ‘ସମାଜ’। ଏହି ମହାନ ଲିଗାସିକୁ ଆଗକୁ ଅକ୍ଷୁଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ କହିଥିଲେ, ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି କୌଣସି ସରକାର ଦେଇ ନ ଥିଲେ, ଓଡ଼ିଶାର ଜନସାଧାରଣ ଦେଇଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ବିଚାରଧାରା, ମୂଲ୍ୟବୋଧକୁ ନେଇ ‘ସମାଜ’ ତା’ର ଦୀର୍ଘଦିନର ଯାତ୍ରା ଅବ୍ୟାହତ ରଖିଛି। ‘ସମାଜ’ ତଥାକଥିତ କର୍ପୋରେଟ କଲ୍ଚରରେ ବିଶ୍ୱାସ କରେନି। ସମୟକୁ ଚାହିଁ ‘ସମାଜ’ ମଧ୍ୟ ତା’ର ରଣନୀତି ବଦଳାଉଛି; ମାତ୍ର ପାଠକ ହିଁ ସର୍ବାଗ୍ରେ ବୋଲି ସେ କହିଥିଲେ।
ଲୋକସେବକ ମଣ୍ଡଳ ସମ୍ପାଦକ ରମାନାଥ ଝା କହିଥିଲେ, ‘ସମାଜ’କୁ ପୁରୁଣା ଲୋକଙ୍କ ଖବରକାଗଜ କୁହାଯାଉଥିଲା। ହେଲେ ଆଜି ଏତେସଂଖ୍ୟାରେ ଯୁବବର୍ଗଙ୍କ ଉପସ୍ଥିତି ଏହି ଭ୍ରମକୁ ଦୂର କରିପାରିଛି। ‘ସମାଜ’ କେବଳ କାଗଜ ଓ କାଳି ନୁହେଁ, ବରଂ ଓଡ଼ିଶାର କୋଟିକୋଟି ଲୋକଙ୍କ ବିଶ୍ୱାସର ପ୍ରତୀକ। ଏହା ଏକ ଦାୟିତ୍ୱବାନ ଗଣମାଧ୍ୟମ। ‘ସମାଜ’ ଉପରେ ଓଡ଼ିଆଙ୍କ ପୂର୍ଣ୍ଣ ଆବେଗିକ ଅଧିକାର ରହିଛି। ଏହି ୧୦୭ ବର୍ଷ ମଧ୍ୟରେ ‘ସମାଜ’ରେ ଅନେକ ପରିବର୍ତ୍ତନ ଆସିଛି। ଆଗକୁ ଆହୁରି ମଧ୍ୟ ପରିବର୍ତ୍ତନ ଆସିବ। ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଏବଂ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ‘ସମାଜ’ କିଭଳି ଲୋକଙ୍କ ସହ ଯୋଡ଼ି ହୋଇ ରହିଛି, ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ବିପନ୍ନ ଓ ଦୁଃଖୀଜନଙ୍କ ପାଇଁ ବିପତ୍ତିକାଳରେ ‘ସମାଜ’ ରିଲିଫ୍ ଏକ ଆଶ୍ବାସନା ବୋଲି ସେ କହିଥିଲେ। ଏହି ଅବସରରେ ‘ସମାଜ’ର ୧୦୭ ବର୍ଷ ପଦାର୍ପଣ ସମ୍ପର୍କିତ ଲୋଗୋ, ବାର୍ଷିକ ପ୍ରସଙ୍ଗଭିତ୍ତିକ ଲୋଗୋ ‘ନିଶାମୁକ୍ତ ଯୁବ ସମାଜ, ସମାଜର ପ୍ରୟାସ’ ସମେତ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଆଗାମୀ ପୂଜା ସଂଖ୍ୟା ସହ ‘ସମାଜ’ର ସ୍ୱତନ୍ତ୍ର ସ୍ବନକ୍ଷତ୍ର ବିଶେଷାଙ୍କ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ‘ସମାଜ’ର ଶ୍ରେଷ୍ଠ ସାମ୍ବାଦିକ, ବିତରକ, ବିଜ୍ଞାପନଦାତା ଓ ୟୁଥ୍ ଆଇକନ୍ଙ୍କୁ ପୁରସ୍କୃତ କରାଯାଇଥିଲା।
‘ସମାଜ’ର ପରମ୍ପରା ଓ ଆଦର୍ଶକୁ ନେଇ ଶିଳ୍ପୀ ମାନସ ସାହୁ ଓ ତାଙ୍କ ଟିମ୍ ଦ୍ବାରା ପ୍ରସ୍ତୁତ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ରଖିଥିଲେ। ‘ସମାଜ’ର ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଯୁବଗୋଷ୍ଠୀଙ୍କୁ ‘ସମାଜ’ ସହ ଯୋଡ଼ିବା ଅଭିପ୍ରାୟରେ ‘ପ୍ରଜ୍ୱଳିତ ଓଡ଼ିଶା: ୟୁଥ୍ କନେକ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ବିଜେତା, ଯୁବ ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ସଙ୍ଗୀତ ପରିବେଷଣ କରି ଯୁବେଶ୍ରାତାଙ୍କୁ ବାନ୍ଧି ରଖିଥିଲେ। ନିଶାମୁକ୍ତି ଅଭିଯାନର ପ୍ରେରଣାଦାୟୀ ଯୁବ ପ୍ରତିଭା ଅର୍ପିତା ବେହେରା ଯୁବଗୋଷ୍ଠୀଙ୍କୁ ନିଶାମୁକ୍ତିର ସଂକଳ୍ପ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ବହୁ ବିିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ‘ସମାଜ’ର ପାଠକ, ସାମ୍ବାଦିକ, ବିଜ୍ଞାପନଦାତା, ବିତରକ, ଯୁବଗୋଷ୍ଠୀ ଯୋଗ ଦେଇଥିଲେ।
