ଅନ୍ୟ ଜାତିରେ ବାହା ହୋଇ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ୧୨ବର୍ଷ ପର୍ଯ୍ୟନ୍ତ ସାମାଜିକ ବାସନ୍ଦ କଲା ଭତ୍ରା ସମାଜ

ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ (୪୮)ଚଳିତ ମାସ ୧୨/୦୩/୨୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ସଙ୍ଗତା ସାହୁ ନାମକ ଯୁବତୀ ସହ ଗୋଆରେ ଥିବା ପଞ୍ଜିମ କେଡିନା ହାଉସ୍ରେ ଆୟୋଜିତ ବିବାହ ସମାରୋହରେ ଉଭୟ ପରିବାରର କେବଳ ଅଳ୍ପ କିଛି ସଦସ୍ୟଙ୍କ ଉପସ୍ଥିତରେ ବହୁ ଆଡମ୍ବର ସହକାରେ ବିବାହ ହୋଇଥିଲେ । କିନ୍ତୁ ମାଝୀଙ୍କ ନିଜ ଜାତିସମାଜ ଏହାକୁ ସ୍ୱୀକାର କରିନଥିଲା । ଅନ୍ୟ ଜାତିର ଝିଅ ସହ ପ୍ରଦୀପ ବିବାହ ବନ୍ଧନରେ ବାନ୍ଧି ହେବା ଫଳସ୍ୱରୂପ ୧୪/୦୩/୨୫ ତାରିଖରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧାମନାଗୁଡାରେ ଥିବା ମାଁ ଦନ୍ତେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ଭତ୍ରା ସମାଜର ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ଵାରା ଆୟୋଜିତ ଏକ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ପ୍ରଦୀପ ମାଝୀ ଓ ତାଙ୍କ ବାପା, ଭାଇ ଭଉଣୀ ସହ ସମସ୍ତ ପରିବାରକୁ ୧୨ବର୍ଷ ପାଇଁ ତାଙ୍କ ଭତ୍ରା ଜାତି ସମ୍ପ୍ରଦାୟ/ସମାଜରୁ ବହିଷ୍କାର କରିଛି ।ପ୍ରଦୀପ ମାଝୀଙ୍କ ପରିବାରର ଦୁଃଖ ସୁଖରେ ଭତ୍ରା ସମାଜର କୌଣସି ବ୍ୟକ୍ତି ୧୨ ବର୍ଷ ପାଇଁ ଯୋଗ ଦେବେ ନାହିଁ । ଏପରି ଆଦିବାସୀ ସମାଜର ଏକ କଠୋର ନିଷ୍ପତ୍ତି ନେଇ କେନ୍ଦ୍ରୀୟ କମିଟିର ଉପସଭାପତି ଗୋପାଳ ପୂଜାରୀ ଏବଂ ଝରିଗାଁ ବ୍ଲକ ଭତ୍ରା ସମାଜର ସଭାପତି ଟିକଚନ୍ଦ ମାଝୀ ଜଣାଇଛନ୍ତି । ଏହି ବିଷୟ ନେଇ ପ୍ରଦୀପଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଯୁବତୀ ଜଣକ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜେଏମସି ସାରି ବିବାହ ପୂର୍ବରୁ ଭୁବନେଶ୍ୱରରେ ଥିବା ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ତଥା ଭୁବନେଶ୍ୱରରେ ନିଜସ୍ବ ଡିଜିଟାଲ ମାର୍କେଟିଂ କାର୍ଯ୍ୟ କରୁଥିଲେ ।
ପ୍ରଦୀପ ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦର ସଭାପତ,ଓଡ଼ିଶାରେ ଯୁବ କଂଗ୍ରେସର ସଭାପତି,୨୦୦୯ରେ କଂଗ୍ରେସ ଟିକେଟ ପାଇ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୨୧ ମସିହାରେ ବିଜେଡିରେ ଯୋଗ ଦେଇଥିଲେ ।
ସୂଚନା ମୁତାବକ ଏଥି ପୂର୍ବରୁ କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ତାଙ୍କ ନିଜ ଭଉଣୀ ସଞ୍ଜୁ ମାଝୀଙ୍କର ବିବାହ ଏକ ବ୍ରାହ୍ମଣ ପରିବାରରେ କରାଇଥିଲେ। ଏଣୁ ପ୍ରଦୀପ ମାଝୀଙ୍କ ପରିବାର ଲୋକେ ତାଙ୍କ ଜାତି ସମ୍ପ୍ରଦାୟକୁ କ୍ରମଶଃ ଅତି ନ୍ୟୁନ ଦୃଷ୍ଟିରେ ଦେଖୁଥିବା ହେତୁ ତାଙ୍କ ଭତ୍ରା ସମାଜ ୧୨ ବର୍ଷ ପାଇଁ ବାସନ୍ଦ କରିଥିବା ନେଇ ଆଦିବାସୀ କେନ୍ଦ୍ରୀୟ କମିଟି ସଦସ୍ୟ କହିଛନ୍ତି ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ