ଅପମିଶ୍ରଣ ପନିର କୁ ନେଇ ରାଜ୍ୟ ସ୍ତରରେ ତନାଘନା
ଅପମିଶ୍ରଣ ପନିର କୁ ନେଇ ରାଜ୍ୟ ସ୍ତରରେ ତନାଘନା ହେବା ପରେ ପୁରୀ ଜିଲ୍ଲାର ବିଭିନ୍ନ୍ ସ୍ଥାନରେ ଚଢଉ ଜୋରଦାର କରାଯାଇଛି। ଗତ ଦୁଇ ଦିନ ହେବ ଖାଦ୍ୟ ନିରାପତ୍ତା ଦଳ ଚଳାଇଥିବା ଅଭିଯାନ ରେ ୫୦ କେଜି ପନିର ଓ ୫ କେଜି ମିଠା ନଷ୍ଟ କରାଯାଇଛି। ସେଥରୁ ୮ ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ନମୁନା ରିପୋର୍ଟ ରେ ଅପମିଶ୍ରଣ ଧରା ପଡ଼ିଲେ ସମ୍ପୃକ୍ତ ବ୍ୟବସାୟୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି। ତେବେ ଅପମିଶ୍ରଣ ପନିର କୁ ରୋକିବା ପାଇଁ ନିୟମିତ ଚଢଉ ପାଇଁ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଖୁଚୁରା ବ୍ୟବସାୟ ସହ ଯେଉଁମାନେ ପୁରୀ କୁ ଛେନା ଓ ପନିର ଯୋଗାଉଛନ୍ତି ସେମାନଙ୍କୁ ଚିହ୍ନଟ କରି ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀ ମାନେ ଅପମିଶ୍ରଣ ନକରିବା ପାଇଁ ସଚେତନ କରାଯାଉଛି।
ପୁରୀ ବାସୀନ୍ଦା ଚକ୍ରଧର ମହାପାତ୍ର କହିଛନ୍ତି, ପୁରୀ ରେ ଅପମିଶ୍ରଣ ପନିର ବ୍ୟବସାୟ ରେ ରାକେଟ କାର୍ଯ୍ଯ କରୁଛି । ନିମ୍ନ ମାନର ପନିର ପ୍ରସ୍ତୁତ କରାଯାଇ ଅଧିକ ଦାମ୍ ରେ ବିକ୍ରି କରାଯାଉଛି। ତେବେ ଅପମିଶ୍ରଣ ପନିର ରେ ମିଠା ପ୍ରସ୍ତୁତ କରାଯାଇ ଦୋକାନ ରେ ବିକ୍ରି ହେଉଛି। ଏହାକୁ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ଅନେକ ବିପଦ ରହିଛି। ଏଣୁ ପୁରୀ ସହର ସମେତ ଜିଲାରେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀ ବିଭିନ୍ନ୍ ମିଠା ଦୋକାନ ବୁଲି ମିଠା ଓ ପନିର ର ମାନ ଯାଞ୍ଜ କରନ୍ତୁ। କେଉଁଠୁ ଅପମିଶ୍ରଣ ପନିର ଆସୁଛି ତାହାର ସନ୍ଧାନ କରାଯାଇ ଅସାଧୁ ବ୍ୟବସାୟୀ ଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ


ନିମାପଡ଼ା ର ଛେନା ବ୍ୟବସାୟୀ ବିଜୟ ବେହେରା କହିଛନ୍ତି, ନିମାପଡ଼ା ରେ ଗୋପାଳ ଭାଇ ମାନେ କ୍ଷୀର ଛେନା ବ୍ୟବସାୟ କରନ୍ତି। ହେଲେ ଏବେ ବିଭିନ୍ନ ବ୍ୟକ୍ତି ଡାଇରୀ ଫାର୍ମ କରି କ୍ଷୀର ଛେନା ବ୍ୟବସାୟ କରୁଛନ୍ତି। କେତେକ ଅସାଧୁ ବ୍ୟକ୍ତି ଅପମିଶ୍ରଣ ପନିର ବ୍ୟବସାୟ କରୁଛନ୍ତି । କିନ୍ତୁ ଗୋପାଳ ଭାଇ ମାନେ କେବଳ କ୍ଷୀର ରୁ ଛେନା ଓ ପନିର ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି । ଆମେ କିଛି ଭେଜାଲ ଛେନା ଓ ପନିର ପ୍ରସ୍ତୁତ କରୁନୁ। ତେବେ କେତେକ ଅସାଧୁ ବ୍ୟବସାୟୀ ଙ୍କ ଯୋଗୁଁ ଆମେ ଅସୁବିଧା ସମ୍ମୁଖୀନ ହେଉଛୁ । ଆମକୁ ବାରମ୍ବାର ଯାଞ୍ଜ ର ସମ୍ମୁଖୀନ ହେବାକୁ ପଡୁଛି। ଅନେକ ଦୋକାନୀ ମଧ୍ୟ ଆମ ଠାରୁ ସାମଗ୍ରୀ ନେବାରେ କୁଣ୍ଠା ବୋଧ ପ୍ରକାଶ କରୁଛନ୍ତି। ଆମେ ଗରିବ ନିରୀହ ଛୋଟ ବ୍ୟବସାୟୀ ମାନେ ଅସୁବିଧା ସମ୍ମୁଖୀନ ହେଉଛୁ। ଯେଉଁ ମାନେ ପ୍ରକୃତ ରେ ଅପମିଶ୍ରଣ ପନିର କରୁଛନ୍ତି ସେମାନଙ୍କ ବିରୋଧରେ ପ୍ରଶାସନ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ
ସୁଚନା ଅନୁସାରେ ସର୍ବାଧିକ ଛେନା ଓ ପନିର ବଳଙ୍ଗା ର ନିନିଗାଁ, ଗୋପର ନାଗପୁର ଓ ଛଇତନା ରୁ ପୁରୀ ଆସୁଥିବା ଜଣାପଡିଛି। ଖାଦ୍ୟ ନିରାପତ୍ତା ଟିମ୍ ଏହି ସବୁ ଅଞ୍ଚଳ କୁ ଯାଇ ବ୍ୟବସାୟୀଙ୍କ ଠାରୁ ନମୁନା ସଂଗ୍ରହ କରିଛୁ। ବାଇକ୍ ଓ ଅଟୋ ଯୋଗେ ଆସୁଥିବ ପନିର ଓ ଛେନା କୁ ମଧ୍ୟ ଯାଞ୍ଜ କରାଯାଉଛି।
ସେହିପରି ବଡଦାଣ୍ଡ ରେ ଥିବା ନାମୀ ମିଠା ଦୋକାନ ଗୁଡିକରେ ମଧ୍ୟ ଚଢ଼ାଉ କରାଯାଇ ମିଠା ର ମାନ ଯାଞ୍ଜ କରାଯାଉଛି। ତେବେ ୪୦ କେଜିରୁ ଅଧିକ ପନିର କୁ ନଷ୍ଟ କରାଯାଇଛି। ବାସୀ ପନିର ନରଖିବାକୁ ବ୍ୟବସାୟୀ ଙ୍କୁ ତାଗିଦ୍ କରାଯାଇଛି। ବଡଦାଣ୍ଡ, ଅଠରନଳା, ସମୁଦ୍ରକୂଳ ଅଞ୍ଚଳ ରେ ଥିବା ମିଠା ଦୋକାନ ଗୁଡିକରେ ଚଢ଼ାଉ କରାଯାଇ ଯାଞ୍ଜ କରାଯାଉଛି। ଗତ ଦୁଇ ଦିନ ଭିତରେ ୫୫ କେଜି ପନିର ଓ ମିଠା ନଷ୍ଟ କରାଯାଇଛି। ପୁରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ନିରାପତ୍ତା ଅଧିକାରି, ପୁରୀ ମହାନଗର ନିଗମ ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ଏହି ଚଢାଉ ରେ ସାମିଲ ହୋଇଛନ୍ତି।
ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି, ପୁରୀ ଜିଲାରେ ନକଲି ପନିର ଓ ଛେନା ବ୍ୟବସାୟ ଉପରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ପୁରୀ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ୍, ଖାଦ୍ଯ ନିରାପତ୍ତା ଅଧିକାରୀ ଯାଞ୍ଜ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମେ ଅନୁରୋଧ କରୁଛୁ ଯେଉଁ ମାନେ ବେଆଇନ୍ ଭାବେ ନକଲି ଅପମିଶ୍ରିତ ପନିର ଓ ଛେନା ବ୍ୟବସାୟ କରୁଛନ୍ତି ସେମାନେ ଏହି ବ୍ୟବସାୟ ବନ୍ଦ କରନ୍ତୁ। ନହେଲେ ଆଇନ ଅନୁସାରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ
