ଆଇନ ସଚେତନତା ଶିବିର ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ନାଲସା (NALSA) ର ଜାଗ୍ରିତି (JAGRITI )ଓ “ସ୍ଥାୟୀ ଲୋକ ଅଦାଲତ (PLA) ସମ୍ବନ୍ଧୀୟ ଏକ ଆଇନ ସଚେତନତା ଶିବିର ତେଲିବନ୍ଧ ଗ୍ରାମ ପଞ୍ଚାୟତର ପୋଡ଼ାଭଲସ ଗ୍ରାମ ର କ୍ଲବ୍ ଗୃହରେ ଅନୁଷ୍ଠିତ ହୋଇଯାଇଛି l
ଏହାର ସ୍ଥାପନା, କାର୍ଯ୍ୟପ୍ରଣାଳୀ, ପବ୍ଲିକ୍ ୟୁଟିଲିଟି ସେବା ସମ୍ବନ୍ଧୀୟ ମାମଲାର ସ୍ୱଭାବ ଏବଂ ଆଇନ ସେବା କର୍ତ୍ତୃପକ୍ଷ ଆଇନ, ୧୯୮୭ ର ଅଧ୍ୟାୟ-VIA ଅନୁଯାୟୀ ଯୋଜନାର ସୁବିଧା, ବିକଳ୍ପ ବିବାଦ ସମାଧାନ ପ୍ରଣାଳୀ, ଯୌତୁକ ନିଷେଧ ଆଇନ, ଘରୋଇ ହିଂସା ନିରୋଧ ଆଇନ ଏବଂ ଅନ୍ୟାନ୍ୟ ଆପରାଧିକ ଆଇନ, ସମାଧାନ ସମାରୋହ- ୨୦୨୬” ଆଦି ବିଷୟ ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଓ ଦୌରା ଜଜ୍ ଏବଂ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଚିବ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତର ଗଠନ, କାର୍ଯ୍ୟପ୍ରଣାଳୀ ଓ ଏହାର ଅଧିକାର କ୍ଷେତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପବ୍ଲିକ୍ ୟୁଟିଲିଟି ସେବା ସମ୍ବନ୍ଧୀୟ ବିବାଦଗୁଡିକ କେମିତି ଲୋକ ଅଦାଲତ ଦ୍ୱାରା ସମାଧାନ କରାଯାଇ ପାରିବ ଏବଂ ଏହା ମାଧ୍ୟମରେ ଶୀଘ୍ର, ସହଜ ଓ ଅଳ୍ପ ବ୍ୟୟରେ ନ୍ୟାୟ ପ୍ରାପ୍ତି ସମ୍ଭବ ବୋଲି ଅବଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ଲୋକ ଅଦାଲତ, ମଧ୍ୟସ୍ଥତା ଓ ସମଝୌତା ଭଳି ବିକଳ୍ପ ବିବାଦ ସମାଧାନ ପ୍ରଣାଳୀର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିସହିତ ଯୌତୁକ ନିଷେଧ ଆଇନ, ଘରୋଇ ହିଂସା ନିରୋଧ ଆଇନ ଏବଂ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଆପରାଧିକ ଆଇନ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଵିଭାଗ ତରଫରୁ ଶ୍ରୀମତୀ ସାଗରିକା ଦତ୍ତ ଏବଂ ସନ୍ତୋଷିନୀ ଭୋଇ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ, ମହିଳାଙ୍କ ଅଧିକାର ସୁରକ୍ଷା ଓ ସରକାରୀ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଇଥିଲେ। “ସମାଧାନ ସମାରୋହ- ୨୦୨୬” ର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା ଏବଂ ସମସ୍ତଙ୍କୁ ଆଇନ ସେବା କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ନିଶୁଳ୍କ ଆଇନ ସେବା ଓ ବିବାଦ ସମାଧାନ ସୁବିଧାର ସଦୁପଯୋଗ କରିବାକୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆଇନ ସଚେତନତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ସମସ୍ତଙ୍କ ପାଇଁ ନ୍ୟାୟର ସହଜ ପ୍ରାପ୍ୟତା ସୁନିଶ୍ଚିତ କରିବାକୁ ଉଦବୋଧନ ଦିଆ ଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
