ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା… ପୁରୀ ସହରକୁ ସଂଯୋଗ କରୁଥିବା ରାସ୍ତା ଉପରେ ନଜର… ମାଟିଆପଡ଼ା ଆରଓବି କାର୍ଯ୍ୟର ସମୀକ୍ଷା…
ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା। ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ପୁରୀ ଆସିବାର ସମ୍ଭାବନା ଥିବାରୁ ସହରର ଯାତାୟାତ ବ୍ୟବସ୍ଥା ଓ ସଂଯୋଗୀ ରାସ୍ତାଗୁଡ଼ିକର ସୁଦୃଢ଼ୀକରଣ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏନ୍ଏଚ୍-୩୧୬ ଅନ୍ତର୍ଗତ ମାଟିଆପଡ଼ା ରୋଡ୍ ଓଭର ବ୍ରିଜ୍ (ଆରଓବି) ନିର୍ମାଣ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି.

ପରିଦର୍ଶନ ସମୟରେ ସେ ପ୍ରକଳ୍ପର ବିଭିନ୍ନ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହିତ ଶୀଘ୍ର ସମାପ୍ତି ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି କ୍ରାସ୍ ବ୍ୟାରିୟର ଢଳେଇ, ଆପ୍ରୋଚ୍ ରୋଡରେ ପିଚୁ ଓ କଙ୍କ୍ରିଟ୍ ବିଛାଇବା, ଏକ୍ସପାନସନ୍ ଜଏଣ୍ଟ ସ୍ଥାପନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକୁ ସମାନ୍ତରାଳ ଭାବେ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ. ନିର୍ମାଣ ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛି. ଜନସାଧାରଣଙ୍କ ସୁବିଧା ପାଇଁ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପ୍ରତିବଦ୍ଧ.ଏଥି ସହିତ ଆସନ୍ତା ରଥଯାତ୍ରା-୨୦୨୬ ପୂର୍ବରୁ ଆରଓବିର ଉଭୟ ପାର୍ଶ୍ୱରେ ଥିବା ସର୍ଭିସ୍ ରୋଡ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ଯାତାୟାତ ଉପଯୋଗୀ କରିବାକୁ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ. ତେବେ ଏହି ପରିଦର୍ଶନ ସମୟରେ ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ), ତତ୍ତ୍ୱାବଧାୟକ ଯନ୍ତ୍ରୀ (ଜାତୀୟ ରାଜପଥ) ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ.ଏହା ସହିତ ପୁରୀ କୁ ଯେଉଁ ସମସ୍ତ ରାସ୍ତା ସଂଯୋଗ କରୁଛି ତାହାକୁ ମଧ୍ୟ ସଠିକ ଭାବରେ ଯାଞ୍ଚ କରାଯିବ. ରାସ୍ତା ଖରାପ ଥିଲେ ତାହାକୁ ଠିକ କରାଯିବ. ବିଶେଷ କରି ଭିଡ଼ କମେଇବାକୁ ଏଭଳି ନିଷ୍ପତ ନିଆଯାଇଛି. ଏହା ସହିତ ରେଳ ବିଭାଗ ମଧ୍ୟ ପୁରୀ ରେଳ ଷ୍ଟେସନ ଓ ଖୋର୍ଦ୍ଧା ରେଳ ଷ୍ଟେସନ ର ଆଧୁନିକରଣ ପାଇଁ ନିର୍ମାଣ କାମ ଜାରି ରଖିଛି. ଯାହା ଫଳରେ ରଥ ଯାତ୍ରା ସମୟରେ ଯେଭଳି ଭାବରେ କୌଣସି ଯାତ୍ରୀଙ୍କ ବା ଶ୍ରଦ୍ଧାଲୁଙ୍କ ଅସୁବିଧା ନପଡ଼ନ୍ତି. ସେନେଇ ଜୋରଦାର ଚାଲିଛି ପ୍ରସ୍ତୁତି.
