ଆଡ଼ପ ମଣ୍ଡପ ବିରାଜମାନ କରିଛନ୍ତି ମହାପ୍ରଭୁ
ଆଡ଼ପ ମଣ୍ଡପ ବିରାଜମାନ କରିଛନ୍ତି ମହାପ୍ରଭୁ। ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଙ୍କ ଆଡ଼ପ ଦର୍ଶନ ପାଇଛନ୍ତି। ସେପଟେ ଆଜି ବାହାରିଛି ପ୍ରଥମ ଆଡ଼ପ ଅବଢ଼ା। ଆଡ଼ପ ଅବଢ଼ା ପାଇ ଭକ୍ତ ହୋଇଛନ୍ତି ଆନନ୍ଦିତ। ଶ୍ରୀମନ୍ଦିର ମହାପ୍ରଭୁ ଙ୍କ ଅବସ୍ଥାନ ବେଳେ ଯେଉଁ ପ୍ରସାଦ ବାହାରିଥାଏ ତାହାକୁ ମହାପ୍ରସାଦ କୁହାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଙ୍କ ଅବସ୍ଥାନ ବେଳେ ଯେଉଁ ପ୍ରସାଦ ବାହାରିଥାଏ ତାହାକୁ ଆଡ଼ପ ଅବଢ଼ା କୁହାଯାଏ। ମହାପ୍ରଭୁ ଙ୍କ ଜନ୍ମସ୍ଥାନ ହେଉଛି ଗୁଣ୍ଡିଚା ମନ୍ଦିର। ରାଣୀ ଗୁଣ୍ଡିଚା ଙ୍କୁ ମହାପ୍ରଭୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ପ୍ରତିବର୍ଷ ରଥଯାତ୍ରା ରେ ମହାପ୍ରଭୁ ନିଜର ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର କୁ ଆସିଥାନ୍ତି। ତେବେ ଆଡ଼ପ ଅବଢ଼ା ର ବେଶ୍ ମାହାତ୍ମ୍ୟ ରହିଛି। ଏହି ଅବଢ଼ା କୁ ନିଜର ପୂର୍ବ ପୁରୁଷ ଙ୍କ ତୃପ୍ତି ଉଦ୍ଦେଶ୍ୟରେ ବ୍ରାହ୍ମଣ ମାନଙ୍କୁ ଭୋଜନ ଦିଆଯାଏ।

ଏହା ଦ୍ଵାରା ନିଜର ପିତୃ ପୁରୁଷ ତୃପ୍ତ ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି ବୋଲି ବିଶ୍ୱାସ ରହିଛି। ଏଣୁ ହଜାର ହଜାର ଭକ୍ତ ଆଡ଼ପ ଅବଢ଼ା ଆଣି ବ୍ରାହ୍ମଣ ଭୋଜନ କରାଇବା ସହ ନିଜେ ସେବନ କରନ୍ତି।ଆଡ଼ପ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରିଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ଆସି ଆଡ଼ପ ମଣ୍ଡପ ରେ ମହାପ୍ରଭୁ ଙ୍କୁ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତ ମାନେ ଗୁଣ୍ଡିଚା ମନ୍ଦିର ର ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି। ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ମୁତୟନ କରାଯାଇଛି। ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି।
