ଓଡ଼ିଶା ପାଇଁ କ୍ଷତିକାରକ ହୋଇଛି ଶୁକ୍ରବାର
୧୯୯୯ରେ ମହାବାତ୍ୟା, ୨୦୧୯ରେ ‘ଫନି’, ଆଉ ଏବେ ୨୦୨୪ଶୁକ୍ରବାର ‘ଦାନା’ ୧୯୯୯ ମସିହା ଅକ୍ଟୋବର ୨୯। ସେଦିନ ଥିଲା ଶୁକ୍ରବାର। ସକାଳୁ ସକାଳୁ ଉପକୂଳ ଓଡ଼ିଶାରେ ପ୍ରକୃତି ରଚିଥିଲା ତାଣ୍ଡବ। ମହାବାତ୍ୟାର କରାଳ ରୂପରେ ସବୁ କିଛି ଛାରଖାର ହୋଇଗଲା।
ସେହି ଶୁକ୍ରବାର, ୧୯୯୯ରେ ମହାବାତ୍ୟା, ୨୦୧୯ରେ ‘ଫନି’, ଆଉ ଏବେ ‘ଦାନା’
ଭୁବନେଶ୍ବର: ୧୯୯୯ ମସିହା ଅକ୍ଟୋବର ୨୯। ସେଦିନ ଥିଲା ଶୁକ୍ରବାର। ସକାଳୁ ସକାଳୁ ଉପକୂଳ ଓଡ଼ିଶାରେ ପ୍ରକୃତି ରଚିଥିଲା ତାଣ୍ଡବ। ମହାବାତ୍ୟାର କରାଳ ରୂପରେ ସବୁ କିଛି ଛାରଖାର ହୋଇଗଲା। ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଗଞ୍ଜାମ, କଟକ, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ ପ୍ରଭୃତି ଜିଲ୍ଲା ପ୍ରଭାବିତ ହୋଇଥିଲା। ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ଲୋକ ପ୍ରାଣ ହରାଇଲେ। ବାସହୀନ ହୋଇପଡ଼ିଥିଲେ ଲକ୍ଷାଧିକ। କେତେ ଜୀବଜନ୍ତୁ ମରିଲେ ସେନେଇ କେହି ଗଣିପାରିଲେ ନାହିଁ। ସେତେବେଳର ଛାତି ଥରା ଦୃଶ୍ୟକୁ ଯିଏ ଦେଖିଛି ଆଜି ପର୍ଯ୍ୟନ୍ତ ତାହା ମନରୁ ଲିଭିପାରୁନି।
ଏହାର ଠିକ୍ ୨୦ ବର୍ଷ ପରେ ଅର୍ଥାତ୍ ୨୦୧୯ ମେ’ ୩। ପୁଣିଥରେ ସେହି ଶୁକ୍ରବାର। ପ୍ରକୃତି ଦେଖାଇଲା ତା’ର ରୂପ। ବାତ୍ୟା ‘ଫନି’ ସକାଳୁ ସକାଳୁ ଉପକୂଳ ଓଡ଼ିଶାକୁ ମାଡ଼ କଲା। ଶ୍ରୀକ୍ଷେତ୍ରକୁ ଛୁଇଁବା ସହ ଖୋର୍ଦ୍ଧା, ଗଞ୍ଜାମ, ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲାରେ ପଭାବ ପକାଇଲା। ୧୯୯୯ରୁ ୨୦୧୯ ଭିତରେ ଫାଇଲିନ୍, ହୁଡ୍ହୁଡ୍, ତିତଲି ଭଳି ବାତ୍ୟାକୁ ଓଡ଼ିଶା ସମ୍ମୁଖୀନ କରିଥିଲେ ମଧ୍ୟ ସେତେଟା ଧନଜୀବନ ପ୍ରଭାବିତ ହୋଇ ନ ଥିଲା, ଯାହାକି ‘ଫନି’ ଘଟାଇଥିଲା। ଲୋକଙ୍କଠାରୁ ଅନେକ କିଛି ଛଡ଼ାଇ ନେଇଗଲା। ମହାବାତ୍ୟା ପରି ‘ଫନି’ର ତାଣ୍ଡବ ଲୋକଙ୍କ ଦୂର୍ଦଶା ବଢ଼ାଇ ଦେଇଥିଲା। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ସହର ଛାରଖାର ହୋଇଗଲା। ବସ୍, ଟ୍ରେନ୍, ବିମାନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଶ୍ରୀହୀନ ହୋଇଯାଇଥିଲା ଶ୍ରୀକ୍ଷେତ୍ର। ପର୍ଯ୍ୟଟନର ସହର ପୁରୀର ସବୁ ହୋଟେଲ ଭାଙ୍ଗିରୁଜି ଯାଇଥିଲା। କୋଟି କୋଟି ଟଙ୍କାର କୋଠାବାଡ଼ି ମାଟିରେ ଲୋଟି ପଡ଼ିଥିଲା। ଯାହାକୁ ଭରଣା କରିବା ଆଜି ପର୍ଯ୍ୟନ୍ତ ସମ୍ଭବପର ହୋଇ ନାହିଁ।
କେବଳ ସେତିକି ନୁହେଁ, ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ତଥା ବାଲୁଖଣ୍ଡ ଅଭୟାରଣ୍ୟ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିବାରୁ ମାସେ ଯାଏ ଅନ୍ଧାରରେ ରହିଥିଲା ଶ୍ରୀକ୍ଷେତ୍ର। ଏମିତିକି ରାଜଧାନୀ ଭୁବନେଶ୍ବର ୪ ଦିନ ଧରି ଅନ୍ଧାରରେ ରହିଥିଲା। ଲୋକମାନଙ୍କ ଦୁର୍ଦ୍ଦଶା ମଧ୍ୟ ଦିନକୁ ଦିନ ବଢ଼ିଚାଲିଥିଲା। ମେ’ ମାସର ଗରମ ସାଙ୍ଗକୁ ପାଣି ଓ ବିଜୁଳି ନ ମିଳିବା କାରଣରୁ ଅସନ୍ତୋଷ ବଢ଼ିଥିଲା। କ୍ଷୟକ୍ଷତି ଏତେ ବ୍ୟାପକ ଯେ କେବେ ପରିସ୍ଥିତି ଠିକ୍ ହେବ ତାହା କହିବା ବାସ୍ତବରେ ମୁସ୍କିଲ ହୋଇପଡ଼ିଥିଲା। ପ୍ରଶାସନ ସହଯୋଗରେ ପୁରୀ ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ସେବେଠାରୁ ବହୁ ବର୍ଷ ପଛକୁ ଠେଲି ହୋଇଯାଇଛି ଶ୍ରୀକ୍ଷେତ୍ର।
୨୦୨୪ ଅକ୍ଟୋବର ୨୫। ଅର୍ଥାତ୍ ଆଜି ପୁଣି ସେହି ଶୁକ୍ରବାର। ଭିତରକନିକା-ଧାମରା ମଧ୍ୟରେ ଉପକୂଳ ଓଡ଼ିଶାରେ ମାଡ଼ ହୋଇଛି ବାତ୍ୟା ‘ଦାନା’। ୨୫ ତାରିଖ ଭୋର ସମୟରେ ବାତ୍ୟା ମାଡ଼ ହେବା ସହ ନିଜର କରାଳ ରୂପ ଦେଖାଉଛି। ମାଡ଼ ହେବା ସହ ଧୀରେ ଧୀରେ ଆଭ୍ୟନ୍ତରୀଣ ଓଡ଼ିଶା ଭିତରକୁ ପ୍ରବେଶ କରୁଛି। ଯାଜପୁର, ଢେଙ୍କାନାଳ, ଅନୁଗୁଳ ଦେଇ ଆଗକୁ ବଢ଼ିବାକୁ ଥିବାରୁ ଶୁକ୍ରବାର ବ୍ୟାପକ କ୍ଷତି ଘଟାଇବ। ଶୁକ୍ରବାର ସକାଳ ବେଳକୁ ପବନର ବେଗ ସାମାନ୍ୟ ହ୍ରାସ ପାଇବାକୁ ଥିଲେ ମଧ୍ୟ ବାତ୍ୟା ରୂପରେ ମଧ୍ୟାହ୍ନ ଯାଏ ତାଣ୍ଡବ ରଚିବ। ୧୧ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ବ୍ୟାପକ ଅଞ୍ଚଳ ବୁଡ଼ିବା ନେଇ ଆକଳନ କରାଯାଇଛି। ପୂର୍ବ ଦୁଇଟି ବାତ୍ୟା ଭଳି ସେତେଟା ପ୍ରକୋପ ପକାଇବ ନାହିଁ ସତ। ମାତ୍ର ଶୁକ୍ରବାର ଯେଉଁ ତାଣ୍ଡବ ରଚିବ ତାହା ଇତିହାସରେ ଫର୍ଦ୍ଦରେ ‘ସେହି ଶୁକ୍ରବାର’ ଭାବେ ପୁଣିଥରେ ଲିପିବଦ୍ଧ ହୋଇ ରହିଯିବ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର