September 12, 2026
Home » କଳା,ସଂସ୍କୃତି ଓ ଲୋକ ପରମ୍ପରା :ସପ୍ତପୁରୀ ଅମାବାସ୍ୟା :

କଳା,ସଂସ୍କୃତି ଓ ଲୋକ ପରମ୍ପରା :ସପ୍ତପୁରୀ ଅମାବାସ୍ୟା :

0
WhatsApp Image 2026-09-12 at 10.43.50 AM

ପଶ୍ଚିମ ଓଡ଼ିଶାର ପୁରାଉଆଁସ ଓ ସୁବର୍ଣ୍ଣପୁରର ଲଙ୍କାପୋଡି ଉତ୍ସବ l
ସୁବର୍ଣ୍ଣପୁର — ସାରା ଦେଶରେ ବିଭିନ୍ନତା ଭିତରେ ଏକତା ରହିଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଆଂଚଳିକ ଭିତିରେ ଅନେକ ପରମ୍ପରା ରହିଛି । ସେଥିମଧ୍ୟରୁ ସୁବର୍ଣ୍ଣପୁରର କିମ୍ବଦନ୍ତୀ, ଲୋକ ସଂସ୍କୃତି ସବୁଠୁ ନିଆରା । ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାରେ ହେଉଥିବା କୁଣ୍ଢି କାଚି ଖେଳ ଓ ଲଙ୍କା ପୋଡ଼ି ପର୍ବ ସୁବର୍ଣ୍ଣପୁରର ଅନନ୍ୟ ପରମ୍ପରା ଭିତରୁ ଅନ୍ୟତମ । କିମ୍ବଦନ୍ତୀ ଓ ଐତିହାସିକ ଦୃଷ୍ଟିକୋଣରୁ ସୁବର୍ଣ୍ଣପୁରକୁ ପଶ୍ଚିମ ଲଙ୍କା ବା ସ୍ୱର୍ଣ୍ଣଲଙ୍କା ବୋଲି କୁହାଯାଏ । କଳା, ସଂସ୍କୃତି, ଲୋକପରମ୍ପରା ଓ ଧାର୍ମିକ ବିଶ୍ୱାସର ଏକ ଅନନ୍ୟ ଭୂମି ହେଉଛି ସୁବର୍ଣ୍ଣପୁର । ବର୍ଷସାରା ଏଠାରେ ବିଭିନ୍ନ ପର୍ବପର୍ବାଣି ଓ ଲୋକାଚାର ପାଳିତ ହୋଇଆସୁଛି। ଓଡ଼ିଆ ଜୀବନର ପ୍ରସିଦ୍ଧ ‘ବାରମାସରେ ତେର ପର୍ବ’ର ଚିତ୍ର ଏଠାରେ ଅଧିକ ଦେଖିବାକୁ ମିଳେ । ତା’ ମଧ୍ୟରୁ କେତେକ ପର୍ବ ଏପରି ନିଆରା ଢଙ୍ଗରେ ପାଳିତ ହୁଏ, ଯାହା ସ୍ଥାନୀୟ ଲୋକଜୀବନର ସ୍ୱତନ୍ତ୍ର ପରିଚୟକୁ ପ୍ରକାଶ କରେ । ସେହି ନିଆରା ପରମ୍ପରାଗୁଡ଼ିକ ମଧ୍ୟରୁ ସପ୍ତପୁରୀ ଅମାବାସ୍ୟା, ପଶ୍ଚିମ ଓଡ଼ିଶାର ଲୋକଭାଷାରେ ‘ପୁରାଉଆଁସ’, ଅନ୍ୟତମ । ଏହି ଦିନଟି କେବଳ ଏକ ଧାର୍ମିକ ଆଚାରରେ ସୀମିତ ନୁହେଁ; ଏହା ଶିଶୁମନର ଆନନ୍ଦ, ପାରିବାରିକ ସଂସ୍କାର, ଲୋକବିଶ୍ୱାସ ଓ ସାମୂହିକ ଜୀବନର ଏକ ସୁନ୍ଦର ସମନ୍ୱୟ ।ଏହି ଅବସରରେ ମା’ମାନେ ବିଭିନ୍ନ ପାରମ୍ପରିକ ଭୋଗବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ମୁଢ଼ିରେ ତିଆରି ଲଡ଼ୁ, ଖଇ ବା ଲିଆର ଲଡ଼ୁ, ହୁଡୁମ୍ବର ଲଡ଼ୁ, ବୁନ୍ଦିଆ ଲଡ଼ୁ, ଦାନ୍ତରୀ ଖଜା ଆଦି ସହ ବିଭିନ୍ନ ଚଣା ସଂଗ୍ରହ କରି ସଠି ଠାକୁରାଣୀଙ୍କୁ ପୂଜା କରାଯାଏ । ପୂଜାପରେ ମା’ମାନେ ଛୋଟ ଛୋଟ ଶିଶୁଙ୍କୁ ଫୁଲ ଓ ଚନ୍ଦନ ଦେଇ ବନ୍ଦାଇଥାନ୍ତି । ଏହି ସରଳ ଆଚାର ମଧ୍ୟରେ ମାତୃସ୍ନେହ ଓ ଶିଶୁମଙ୍ଗଳର କାମନା ଲୁଚି ରହିଥାଏ । ପୁରାଉଆଁସର ଆଉ ଏକ ଆକର୍ଷଣ ହେଉଛି କାଠରେ ତିଆରି ଘୋଡ଼ା ଓ ହାତୀ ଏବଂ ମାଟିରେ ତିଆରି ହନୁମାନଙ୍କ ପୂଜା । ପୂଜାପରେ ଶିଶୁମାନେ ସେହି ଘୋଡ଼ା ଓ ହାତୀକୁ ଗାଁ ଦାଣ୍ଡରେ ଟାଣି ନେଇ ଆନନ୍ଦ ଉପଭୋଗ କରନ୍ତି ।

 

ଝିଅପିଲାମାନେ ମଧ୍ୟ ମାଟିରେ ତିଆରି ଚୁଲି, କୁଣ୍ଡି, ହାଣ୍ଡି, ଚଟୁ, ବାଲ୍ଟି, ମଗ, ଗ୍ଲାସ ଆଦି ଏବଂ ବାଉଁଶ-ବେତରେ ତିଆରି କୁଲା, ଚାଙ୍ଗୁଡ଼ି ଭଳି ସାମଗ୍ରୀକୁ ନେଇ ଖେଳିଥାନ୍ତି। ଗାଁଦାଣ୍ଡର ଗଛମୂଳେ ଏହି ଖେଳ ଏକ ସମୟରେ ଗ୍ରାମୀଣ ଜୀବନର ଜୀବନ୍ତ ଚିତ୍ର ସୃଷ୍ଟି କରେ । ଏହି ଖେଳ ଓ ଆଚାର କେବଳ ଶିଶୁମାନଙ୍କ ମନୋରଞ୍ଜନ ନୁହେଁ; ଏହା ପଛରେ ଥିବା ସାମାଜିକ ଶିକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଘୋଡ଼ା ଶକ୍ତି, ଗତି ଓ କର୍ମଠତାର ପ୍ରତୀକ; ହାତୀ ଶକ୍ତି, ସ୍ଥିରତା ଓ ବୁଦ୍ଧିର ପ୍ରତୀକ ଭାବେ ଧରାଯାଏ । ଶିଶୁମାନଙ୍କୁ ଏହି ପ୍ରତୀକ ସହ ପରିଚିତ କରାଇବା ମାଧ୍ୟମରେ ଛୋଟବେଳୁ ଉତ୍ତମ ଗୁଣ ଅର୍ଜନର ଏକ ଲୋକଶିକ୍ଷା ଦିଆଯାଉଥିବା ବୁଝାଯାଏ । ଦିନସାରା ଖେଳକୁଦ ଓ ପୂଜାପାଠ ପରେ ସନ୍ଧ୍ୟାରେ ଆସେ ପୁରାଉଆଁସର ସବୁଠାରୁ ଆକର୍ଷଣୀୟ ଅଧ୍ୟାୟ—‘ଲଙ୍କାପୋଡ଼ି’। ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟାର ପାଳନ ହେଉଥିବା ଲଙ୍କା ପୋଡ଼ି ଉତ୍ସବ ଐତିହ ଓ ଆକର୍ଷଣ ଦୃଷ୍ଟିରୁ ସବୁଠୁ ଅଲଗା । ଏହି ଦିନ କୁମ୍ଭାର ମାନଙ୍କ ଦ୍ୱାରା ତିଆରି ହନୁମାନ ମୁର୍ତିକୁ ସଂଧ୍ୟାରେ ଛୋଟ ପିଲାମାନେ ସାରା ସହରରେ ବୁଲାଇଥାନ୍ତି । ଏହି ମାଟି ତିଆରି ହନୁମାନର ଲାଙ୍ଗୁଡ଼ରେ ନିଆଁ ଲଗାଇ ବୁଲାଉଥିବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥାଏ । ଏହି ପରମ୍ପରା ଶହ ଶହ ବର୍ଷ ଆଗରୁ ଚାଲି ଆସିଛି । ଲଙ୍କାପୋଡ଼ି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଥିବା ଏହି ଟେରାକୋଟାର ହନୁମାନର ନିର୍ମାଣ ଶୈଳୀ ସୁବର୍ଣ୍ଣପୁର ଛଡ଼ା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ହନୁମାନଙ୍କର ଲଙ୍କା ପୋଡ଼ିର ସୃତିକୁ ଉଜ୍ଜୀବିତ କରିବା ପାଇଁ ସୁବର୍ଣ୍ଣପୁର ବାସୀ ପ୍ରତିବର୍ଷ ଲଙ୍କା ପୋଡ଼ି ଉତ୍ସବ ପାଳନ କରିଆସୁଛନ୍ତି ।ଏହି ମାଟି ତିଆରି ହନୁମାନ ବିଦେଶରେ ଅନେକ ମ୍ୟୁଜିୟମରେ ସଂରକ୍ଷିତ ହୋଇରହିଛି । ତଥାପି ଏହି ଲୋକ ସଂସ୍କୃତି ଉପରେ ଅଧିକ ଗବେଷଣା କଲେ ଅନେକ ଲୁକାୟତ ତଥ୍ୟ ଜଣାପଡ଼ନ୍ତା । କାହିଁ କେତେ ଦିନରୁ ଚାଲିଆସିଥିବା ଏହି ପରମ୍ପରା ସତରେ କେତେ ନିଆରା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ

Leave a Reply

Your email address will not be published. Required fields are marked *