November 26, 2026
Home » କଳାହାଣ୍ଡିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ମେଡିକାଲ କଲେଜରେ ଅବ୍ୟବସ୍ଥା।

କଳାହାଣ୍ଡିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ମେଡିକାଲ କଲେଜରେ ଅବ୍ୟବସ୍ଥା।

0
WhatsApp Image 2026-11-25 at 5.20.35 PM

 

ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟ ଘେରାଉ କଲା ଯୁବ ବିଜେଡି, ତଦନ୍ତ ରିପୋର୍ଟ ପ୍ରକାଶ ଦାବି।

ଭବାନୀପାଟଣା,: କଳାହାଣ୍ଡି ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର, ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ ଏବଂ ଚିକିତ୍ସା ଅବହେଳା ଅଭିଯୋଗରେ ମୃତ ରଶ୍ମି ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା ବିଜୁ ଯୁବ ଜନତା ଦଳ। ଏହି ଦାବିରେ ବୁଧବାର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ ଜଣାଇଛନ୍ତି ଯୁବ ବିଜେଡି କର୍ମୀ।ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୬ ତାରିଖରେ ଆଇସିୟୁରେ ଚିକିତ୍ସାଧୀନ ଥିବା ରଶ୍ମି ରଞ୍ଜନ ମିଶ୍ରଙ୍କର ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ପୂର୍ବରୁ ଯୁବ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଥିଲା। ତେବେ ତଦନ୍ତ ଶେଷ ହେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ରିପୋର୍ଟ ସାର୍ବଜନୀନ କରାଯାଇନଥିବାରୁ ଏହାକୁ ଚାପି ଦିଆଯାଉଥିବା ଯୁବ ବିଜେଡି ଅଭିଯୋଗ କରିଛି। ଏହି ଘଟଣାରେ ଏଯାଏଁ କାହିଁକି କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଦଳ ପ୍ରଶ୍ନ ଉଠାଇଛି।ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଚିକିତ୍ସା ସୁବିଧା ଓ ଉପଯୁକ୍ତ ସେବା ମିଳୁନଥିବାରୁ ରୋଗୀ ଓ ସେମାନଙ୍କ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଯୁବ ବିଜେଡି ଉଦ୍‌ବେଗ ପ୍ରକାଶ କରିଛି। ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ରୋଗୀ ସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଏଥିସହ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ହଷ୍ଟେଲ, ପାନୀୟ ଜଳ, ବିଦ୍ୟୁତ୍, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ଦୂର କରିବାକୁ ଦାବି କରାଯାଇଛି।

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ପଡ଼ୋଶୀ ଜିଲ୍ଲାର ହୋଇଥିଲେ ମଧ୍ୟ କଳାହାଣ୍ଡିର ସ୍ୱାସ୍ଥ୍ୟସେବାରେ ଆଖିଦୃଶିଆ ସୁଧାର ଆସିନଥିବା ଯୁବ ବିଜେଡି ଅଭିଯୋଗ କରିଛି। ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ବହିର୍ବିଭାଗ ଓ ଅନ୍ତଃବିଭାଗ ଏଯାଏଁ ପୂର୍ଣ୍ଣାଙ୍ଗ ଭାବେ ଆରମ୍ଭ ହୋଇପାରିନଥିବା ନେଇ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଅସନ୍ତୋଷ ପ୍ରକାଶ କରିଛନ୍ତି।ରୋଗୀଙ୍କୁ ଉତ୍ତମ ଚିକିତ୍ସା, ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇବା ସହ ରଶ୍ମି ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ପ୍ରକାଶ କରାନଗଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଯୁବ ବିଜେଡି ଚେତାବନୀ ଦେଇଛି। ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ଆବଶ୍ୟକ ସୁଧାର ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।ଏହି ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଉପସଭାପତି ମନିନ୍ଦ୍ର ମହାନ୍ତିଙ୍କ ସମେତ ସେନାପତି ନାଏକ, ହାରାମଣି ଗଣ୍ଡ, ଦିନେଶ ସାହୁ, ତ୍ରିଲୋଚନ ପାଣିଗ୍ରାହୀ, କ୍ଷିରସିନ୍ଧୁ ନାଏକ, ପରିକ୍ଷିତ ନାଏକ, ଦିଲେଶ ନାଗ ଯାଦବ, ଶିବା ସାହୁ, ରଞ୍ଜୁକ୍ତା ପ୍ରଧାନ, ପିତବାସ ବେହେରା, ମହେନ୍ଦ୍ର ରାଉତ, ରବିଚନ୍ଦ୍ର ନାଏକ, ନିଳାମ୍ବର ସାହୁ, ପ୍ରଭାତି ମହାରଣା, ଛାତ୍ରନେତା ମାନସ ସିନ୍ଦୂର, କେ. ପ୍ରବୀଣ କୁମାର, ଅଙ୍କିତ ସାହୁ, ହିମାଂଶୁ ପୂଜାରୀ, ଭୋଳାନାଥ ନାଗ, ନବୀନ ନାୟକ, ବୈଷ୍ଣବୀ ରାଉତ, ଗଣେଶ ବାଗ, ସମିତା ମହାପାତ୍ର ଓ ସିଦ୍ଧାର୍ଥ ନାୟକ ପ୍ରମୁଖ ଯୋଗଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *