May 7, 2026
Home » ଗଜପତି ଜିଲ୍ଲା ମହେନ୍ଦ୍ରଗିରିରେ ବଜ୍ରଘାତରେ ପର୍ଯ୍ୟଟକଙ୍କ ମୃତ୍ୟୁ

ଗଜପତି ଜିଲ୍ଲା ମହେନ୍ଦ୍ରଗିରିରେ ବଜ୍ରଘାତରେ ପର୍ଯ୍ୟଟକଙ୍କ ମୃତ୍ୟୁ

0
WhatsApp Image 2026-04-07 at 3.48.45 PM

 

ଗଜପତି ଜିଲ୍ଲାର ଐତିହ୍ୟ ଓ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରେ ଏକ ଅଭାବନୀୟ ଘଟଣା ଘଟିଛି । ବଜ୍ରପାତ ଯୋଗୁଁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଓଲଟପୁର ଗ୍ରାମର ବିନୋଦ ଜେନା(୪୭) । ସୂଚନା ମୁତାବକ ବିନୋଦ ୩ଜଣ ସାଙ୍ଗଙ୍କ ସହ ପାରଳାଖେମୁଣ୍ଡି ଆସିଥିଲେ । ସେଠାରୁ ଏକ ଭଡା ଗାଡିରେ ଜିଲ୍ଲାରେ ଥିବା ଗଣ୍ଡାହାତୀ ଓ ମହେନ୍ଦ୍ରଗିରି ପରିଦର୍ଶନ କରିବାକୁ ଯାଇଥିଲେ । ରବିବାର ଅପରାହ୍ନ ସାଢେ ୩ଘଣ୍ଟା ସମୟରେ ମହେନ୍ଦଗିରି ପର୍ବତରେ ଥିବା ଭୀମ ମନ୍ଦିର ନିକଟରେ ବୁଲାବୁଲି କରୁଥିଲେ ।

ହଠାତ୍ ସେହି ସମୟରେ ପ୍ରବଳ ପବନ ସହ ବର୍ଷା ହୋଇଥିଲା । ତାଙ୍କ ସହ ଯାଇଥିବା ଅନ୍ୟ ୩ଜଣ ସାଙ୍ଗ ବର୍ଷା ପବନରୁ ରକ୍ଷା ପାଇବା ସକାଶେ ଭୀମ ମନ୍ଦିରକୁ ଚାଲିଯାଇଥିଲେ । କିନ୍ତୁ ବିନୋଦ ଅନ୍ୟତ୍ର ଯାଉଥିବା ବେଳେ ବଜ୍ରପାତ ଶିକାର ହୋଇଥିଲେ । ବର୍ଷାପବନ ଛାଡିବା ପରେ ଅନ୍ୟ ୩ଜଣ ସାଙ୍ଗ ବିନୋଦଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ପ୍ରକାର ଖୋଜଖବର ପାଇନଥିଲେ । ଏହାପରେ ସେମାନେ ମହେନ୍ଦ୍ରଗିରି ପର୍ବତରେ ଥିବା ବନବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ତାପରେ ସେମାନେ ଗାରାବନ୍ଧ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୋଲିସ, ବନବିଭାଗ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ସାରା ରାତି ବିନୋଦଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ସକାଳ ସମୟରେ ଭୀମ ମନ୍ଦିର ଠାରୁ କିଛି ଦୂରରେ ବିନୋଦଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା । ସେଠାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ କେ.ନାଗରାଜୁ, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ କୁମାର ନିଶିକା ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶିକ ପରିସ୍ଥିତର ଯାଞ୍ଚ କରିଥିଲା । ତାପରେ ବ୍ୟବଚ୍ଛେଦ ନିମନ୍ତେ ଶବକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଶବ ବ୍ୟବଛେଦ ପରେ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତ କରାଯାଇଥିଲା । ଏନେଇ ଗାରାବନ୍ଧ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *