ଗାହଣ ଓ ସଖୀ ନାଟର ସଂରକ୍ଷଣ ଓ ପ୍ରଚାର-ପ୍ରସାରପାଇଁ ଦୁଇ ଦିନିଆ କର୍ମଶାଳା
ବ୍ରହ୍ମପୁର, : (ନରସିଂହ ଡାକୁଆ) ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକସଂଗୀତ ‘ଗାହାଣ’ ଓ ଲୋକନୃତ୍ୟ ‘ସଖୀ ନାଟ’ର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଜୁଲାଇ ୧୩ ଓ ୧୪ ତାରିଖରେ ଦୁଇ ଦିନିଆ କର୍ମଶାଳା ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ଲୋକକଳାର ସଂରକ୍ଷଣରେ ଯୁବପିଢ଼ିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ, ଲମ୍ବୋଦର ପାଣିଗ୍ରାହୀ, ବାୟୁମନ ଚର୍ଚ୍ଚି, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ ପାଢ଼ୀ, ବିଶିଷ୍ଟ ପଶୁମୁଖା କଳାକାର ଜଗଦୀଶ ପାଣିଗ୍ରାହୀ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ କାଳୁଚରଣ ସାହୁ ଏବଂ ସଖୀ ନାଟ ଗୁରୁ ମୁରଲୀଧର ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ କଳାକାର ଉପସ୍ଥିତ ଥିଲେ।

କର୍ମଶାଳାର ଉଦ୍ଘାଟନୀ ଅଧିବେଶନରେ ଗାହଣ ଏବଂ ସଖୀ ନାଟର ଇତିହାସ, ସାଂସ୍କୃତିକ ଗୁରୁତ୍ୱ, କ୍ରମବିକାଶ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତଥ୍ୟଭିତ୍ତିକ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ଅଧିବେଶନଗୁଡ଼ିକରେ ବରିଷ୍ଠ କଳାକାରମାନଙ୍କ ଜୀବନ୍ତ ପରିବେଷଣ ଓ ପ୍ରଶିକ୍ଷଣ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରାଯାଇଥିଲା।କର୍ମଶାଳାର ବିଭିନ୍ନ ପ୍ରଶିକ୍ଷଣ ଅଧିବେଶନକୁ ସୁନାମଧନ୍ୟ ପଶୁମୁଖା କଳାକାର ଆଲୋକ ବିଷୋୟୀ, ଶରତ ବେହେରା, ବାସୁଦେବ ନାୟକ ଓ ବିଶ୍ୱନାଥ ଦଳେଇ ପରିଚାଳନା କରିଥିଲେ। ସେମାନେ ସଖୀ ନାଟ ଓ ଗାହଣର ବିଭିନ୍ନ ଦିଗ, ଅଭିନୟ ଶୈଳୀ, ସଙ୍ଗୀତ, ବେଶଭୂଷା ଓ ପାରମ୍ପରିକ ଉପସ୍ଥାପନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୦ରୁ ଅଧିକ କଳାକାର, ଛାତ୍ରଛାତ୍ରୀ ଓ ସଂସ୍କୃତିପ୍ରେମୀ ଅଂଶଗ୍ରହଣ କରିଥିଲେ। ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟଗୁରୁ ଶିବରାମ ବାରିକ ଓ ନୃତ୍ୟଶିଳ୍ପୀ ଗୁରୁ ଜୟନ୍ତ ଆଚାର୍ଯ୍ୟଙ୍କ ସମେତ ଅନେକ କଳାପ୍ରେମୀ ଏଥିରେ ସାମିଲ ହୋଇଥିଲେ।ସଖୀ ନାଟ ଓ ଗାହଣ ପରି ପାରମ୍ପରିକ ଲୋକନୃତ୍ୟ ଏବଂ ଲୋକସଂଗୀତକୁ ନୂତନ ପିଢ଼ି ପାଖରେ ପହଞ୍ଚାଇବା ଏବଂ ସେମାନଙ୍କୁ ଏହି କଳା ଶିଖିବା ଓ ଅଭ୍ୟାସ କରିବା ପାଇଁ ପ୍ରେରିତ କରିବାରେ ଏହି କର୍ମଶାଳା ସଫଳ ହୋଇଛି ବୋଲି ହୋଇଥିବା ଜିଲ୍ଲା ସଂସ୍କୃତି ଅଧିକାରିଣୀ ପ୍ରକାଶ କରିଛନ୍ତି।
