July 12, 2026
Home » ଚଉଦ ନାହାକା ବୁଲିବା ପାଇଁ ତିନିରଥ ଦଣ୍ଡା ରେ ଖଦୀଓରା ସେଟିଙ୍ଗ ଶେଷ

ଚଉଦ ନାହାକା ବୁଲିବା ପାଇଁ ତିନିରଥ ଦଣ୍ଡା ରେ ଖଦୀଓରା ସେଟିଙ୍ଗ ଶେଷ

0
WhatsApp Image 2026-06-10 at 12.54.13 PM

ଚାରି ନାହାକା ରେ ତିନିରଥର ର ପ୍ରଥମ ଭୂଇଁ ଚଉତା ବା ଛ’କାଠି ସଂଯୋଗ ଶେଷ ହୋଇଥିଲା, ପ୍ରଥମ ଭୂଇଁ ଫ୍ରେମ୍ ର ବାକି ଅଂଶ ଗୁଡ଼ିକ ଯଥା ଭୂଇଁ ଖାମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ପାଖୁଡ଼ା ଗୁଡିକୁ ଧରି ରଖିବା ପାଇଁ ଚାରି ନାହାକା ଚତୁର୍ପାର୍ଶ୍ୱରେ ଚଉଦ ନାହାକା ଉଠିବା ପରେ ପ୍ରଥମ ଭୂଇଁ ଫ୍ରେମ୍ ଉଠିବା କାର୍ଯ୍ୟ ସମ୍ପନ୍ନ ହେବ, ଆସନ୍ତା କାଲି ତିନିରଥ ରେ ଚଉଦ ନାହାକା ବୁଲିବା କାର୍ଯ୍ୟକ୍ରମ ରହିଥିବାରୁ ତାର ପୂର୍ବ ପ୍ରସ୍ତୁତି ଶେଷ ହୋଇଛ । ଏଣୁ ଭୋଇ ସେବକ ମାନେ ତିନିରଥର ମହାରଣା ସେବକ ମାନଙ୍କୁ ଚାରି ଫୁଟ ଲମ୍ବର ନଡ଼ିଆ ଗର ବା ଖଦୀଓରା ଯୋଗାଇ ଦେବା ପରେ ମହାରଣା ସେବକ ମାନେ ସେହି ନଡ଼ିଆ ଗରର ଉଭୟ ପାର୍ଶ୍ୱକୁ ଚିତା କରି ପ୍ରତି ରଥରେ ୯ ଟି ଲେଖାଏଁ ୨୭ ଗୋଟି ଖଦୀଓରା ବା ନଡ଼ିଆ ଗର ସେଟିଙ୍ଗ କାର୍ଯ୍ୟ ଶେଷ ହୋଇଛି।ଦ୍ୱିତୀୟ ଭୂଇଁ ବା ମାଝୀ ଭୂଇଁ ଫ୍ରେମ୍ ନିର୍ମାଣ ଶେଷ।ଆଜ ମୁଖ୍ୟ ମହାରଣା ଙ୍କ ତତ୍ତ୍ଵାବଧାନରେ ସହଯୋଗୀ ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ୍ ନିର୍ମାଣ ସହ ଶେଷ ହୋଇଛି ଏଥିସହ ଦ୍ୱିତୀୟ ଭୂଇଁ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଙ୍ଗ କାର୍ଯ୍ୟ ତିନିରଥର ମହାରଣା ମାନେ ଶେଷ କରିଛନ୍ତି।*ତାଳଧ୍ଵଜ ରଥ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ମହାପ୍ରଭୁଙ୍କ ଅଣସର ତାଟି ଘର ପ୍ରସ୍ତୁତି ପାଇଁ ଆବଶ୍ୟକ ୩ ଟି ୨୦ ଫୁଟିଆ ଅଣସର ଗୟଳ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି।*ରୂପକାର ସେବକ ମାନେ ତିନିରଥ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ଚାରପରିଛା ରେ ପାଞ୍ଚୋଟି ଲେଖାଏଁ ପଦ୍ମ ଫୁଲ ଚିତ୍ର ଖୋଦେଇ ସହ ପଦ୍ମ କଢ଼ି ,ଡାଳି ଲତା ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି ।
*ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥର ଭୂଇଁ ବିଡିଆ କଣ୍ଟା ସହ ତେର ପରାସ୍ତ ପିତଳ ପାଇଁ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।*ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ସେବା ପୂଜା କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ରଥ ଖଳା କୁ ପରିଦର୍ଶନରେ ଯାଇ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ମହୋଦୟ, ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ଅବସରରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଥିବା ମୁଖ୍ୟ ମହାରଣା ମାନେ ସୂଚନା ଦେବାରେ ସନ୍ତୋଷ ବ୍ୟକ୍ତ କରିଥିଲେ ଜିଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ମହୋଦୟ।

Leave a Reply

Your email address will not be published. Required fields are marked *