August 21, 2026
Home » ଜାପାନ  ତତ୍ତୋରି ପ୍ରଦେଶର  ବରିଷ୍ଠ ପ୍ରତିନିଧି ଦଳଙ୍କ  ସହ  ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

ଜାପାନ  ତତ୍ତୋରି ପ୍ରଦେଶର  ବରିଷ୍ଠ ପ୍ରତିନିଧି ଦଳଙ୍କ  ସହ  ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

0
WhatsApp Image 2026-07-29 at 8.00.48 PM
 ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଜାପାନ ତତ୍ତୋରି ପ୍ରଦେଶ ( ପ୍ରିଫେକ୍ଚର) ର  ମୁଖ୍ୟ ଶାସନ ସଚିବ  ଶ୍ରୀ ତୋଶିକି ଏଣ୍ଡୋଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ । ଏହି ବୈଠକରେ ପୁଞ୍ଜିନିବେଶ, ଶିଳ୍ପ ବିକାଶ, ମାନବ ସମ୍ବଳ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ବିଦ୍ୟା  ଆଦି କ୍ଷେତ୍ରରେ ଦୀର୍ଘମିଆଦି ସହଯୋଗ ସଂପର୍କରେ ବିଭିନ୍ନ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
      ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବୈଠକରେ ଯୋଗଦେଇଥିବା ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧିମାନଙ୍କୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟିକ ପରମ୍ପରା ଓ ବୌଦ୍ଧ ଐତିହ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଓଡ଼ିଶା ଓ ଜାପାନ ମଧ୍ୟରେ ଶତାବ୍ଦୀ ପୁରୁଣା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଆସିଛି । ଉଭୟ ଦେଶ ମଧ୍ୟରେ ବଢୁଥିବା ବାଣିଜ୍ୟିକ ସମ୍ପର୍କ ସମ୍ବନ୍ଧରେ ଉଲ୍ଲେଖ କରି ସେ ଜାପାନର କମ୍ପାନୀମାନଙ୍କୁ ଓଡ଼ିଶାରେ ସବୁଜ ଶକ୍ତି, ଉନ୍ନତ ପ୍ରଯୁକ୍ତି ଓ ଗବେଷଣା, ଦକ୍ଷତା ବିକାଶ, ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ, ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମିର ବିକାଶ,  ନୀଳ ଅର୍ଥନୀତି କ୍ଷେତ୍ରରେ ଦୂର ଓ ଗଭୀର ସମୁଦ୍ରରେ  ମତ୍ସ୍ୟ ସମ୍ପଦର ସଦୁପଯୋଗକୁ ପ୍ରୋତ୍ସାହନ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ କ୍ଷେତ୍ର ଆଦିରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ   ଦେଇଥିଲେ ।
ବୈଠକରେ ଓଡ଼ିଶାର ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଓଡ଼ିଶା ଓ ତତ୍ତୋରି ପ୍ରଦେଶ  ଉଭୟ ସ୍ଥାୟୀ ବିକାଶ, ନବସୃଜନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ସମାନ ଦୃଷ୍ଟିଭଙ୍ଗୀ ରଖିଛନ୍ତି । ଏହି ସହଯୋଗ ଉଭୟ ପ୍ରଦେଶର ଦୀର୍ଘସ୍ଥାୟୀ ବିକାଶରେ ସହାୟକ ହେବ । ସେ ଓଡ଼ିଶାର ଶିଳ୍ପାୟନ, ବନ୍ଦରଭିତ୍ତିକ ଅର୍ଥନୀତି, ଖଣିଜ ସମ୍ପଦ, ସବୁଜ ଶକ୍ତି, ଦକ୍ଷ ମାନବ ସମ୍ବଳ, ନିବେଶକ ଅନୁକୂଳ ନୀତି ଓ ସହଜ ବ୍ୟବସାୟ ପରିବେଶ ସମ୍ପର୍କରେ ଅବଗତ କରିଥିଲେ । ଜାପାନର ଉନ୍ନତ ପ୍ରଯୁକ୍ତି ବିଦ୍ୟା, ନିର୍ଭୁଲ ଇଞ୍ଜିନିୟରିଂ ଓ ନବସୃଜନ କ୍ଷମତା ସହ ଓଡ଼ିଶାର ସମ୍ପଦ ଓ ସାମର୍ଥ୍ୟର ସମନ୍ୱୟ ବିଶ୍ୱସ୍ତରୀୟ ଉତ୍ପାଦନ ଓ ସ୍ଥାୟୀ ଶିଳ୍ପ ବିକାଶର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
        ବୈଠକରେ  ଓଡ଼ିଶା ସରକାର ଓ  ପ୍ରିଫେକ୍ଚର ମଧ୍ୟରେ  ପ୍ରସ୍ତାବିତ  ମୈତ୍ରୀ ଚୁକ୍ତି( ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ) ସଂପର୍କରେ ଆଲୋଚନା କରାଯାଇଥିଲା ।  ଏହି ପ୍ରସ୍ତାବିତ ସହଯୋଗ ଅଧୀନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବ୍ୟବସାୟ, ଉଭୟ ରାଜ୍ୟର ଦକ୍ଷ ମାନବ ସମ୍ବଳର ଆଦାନ-ପ୍ରଦାନ, ରୋଜଗାର ସୁଯୋଗ ସୃଷ୍ଟି , ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଏବଂ ଶିକ୍ଷାଗତ ସହଯୋଗକୁ ପ୍ରୋତ୍ସାହନ,ଉଭୟ ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରର ସୁଯୋଗ ଓ ସୂଚନା ବିନିମୟକୁ ସୁଦୃଢ କରିବ । ଆଗାମୀ ନଭେମ୍ବର ମାସରେ ତତ୍ତୋରି ପ୍ରଦେଶର ମାନ୍ୟବର ରାଜ୍ୟପାଳ ଓଡ଼ିଶା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା ।
ତତ୍ତୋରି  ପ୍ରିଫେକ୍ଚରର  ମୁଖ୍ୟ ଶାସନ ସଚିବ ଏହି ଦୂରଦୃଷ୍ଟିସମ୍ପନ୍ନ ପ୍ରସ୍ତାବକୁ ସ୍ୱାଗତ କରି କହିଥିଲେ ଯେ, ଏହି ସହଯୋଗ ଭାରତ–ଜାପାନ ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶା ଓ ତତ୍ତୋରି ପ୍ରଦେଶର ସହଯୋଗମୂଳକ  ବିକାଶକୁ ତ୍ୱରାନ୍ୱିତ କରିବ । ସେ ମଧ୍ୟ ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି ଓ ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ସହ ଦୀର୍ଘମିଆଦି ସହଯୋଗ ସ୍ଥାପନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।
ପର୍ଯ୍ୟଟନ କ୍ଷେତ୍ରରେ ବୌଦ୍ଧ ଐତିହ୍ୟକୁ ଆଧାର କରି ଉଭୟ ପ୍ରଦେଶ  ମଧ୍ୟରେ ଅଭିଜ୍ଞତା ବିନିମୟ, ପ୍ରୋତ୍ସାହନ ଏବଂ ପରସ୍ପର ପ୍ରତିନିଧି ଦଳ ଗସ୍ତ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ଓଡ଼ିଶାର ସଂସ୍କୃତିକୁ ଜାପାନରେ ଏବଂ ଜାପାନର ସ୍ଥାନୀୟ ସଂସ୍କୃତିକୁ ଓଡ଼ିଶାରେ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଉତ୍ସବ, ଭାଷା ଶିକ୍ଷା, ସାଂସ୍କୃତିକ ପ୍ରଦର୍ଶନୀ ଓ ଏନଜିଓ ସହଯୋଗ ଭଳି ବିଭିନ୍ନ ପଦକ୍ଷେପ ଉପରେ ବିଚାର ବିମର୍ଶ କରାଯାଇଥିଲା । ଏହି ସହଯୋଗକୁ ସୁଚାରୁ ଭାବେ ଆଗେଇ ନେବା ପାଇଁ ନିୟମିତ ସରକାରୀ ଆଦାନ-ପ୍ରଦାନ, ସମନ୍ୱୟ ବ୍ୟବସ୍ଥା ଏବଂ ଯୁଗ୍ମ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ବୈଠକ ଶେଷରେ ଉଭୟ ପକ୍ଷ ପାରସ୍ପରିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ଚୂଡ଼ାନ୍ତ ରୂପ ଦେଇ ଏକ କାର୍ଯ୍ୟକ୍ଷମ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଏବଂ ଓଡ଼ିଶା-ତତ୍ତୋରି  ସହଭାଗିତାକୁ ନୂତନ ଉଚ୍ଚତାକୁ ନେବା ପାଇଁ ସହମତି ପ୍ରକାଶ ପାଇଥିଲା ।
ବୈଠକରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା, ଏମଏସଏମଇ ଆଦି ବିଭାଗର ସଚିବବୃନ୍ଦ, ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିବା ବେଳେ ଅନୁରୂପ ଭାବେ ତତ୍ତୋରି ପ୍ରଦେଶର  ପର୍ଯ୍ୟଟନ ଓ ଆଦାନ-ପ୍ରଦାନ ବ୍ୟୁରୋର ମହାନିର୍ଦ୍ଦେଶକ,  ବାଣିଜ୍ୟ ଓ ଲଜିଷ୍ଟିକ୍ସ ବିଭାଗର ନିର୍ଦ୍ଦେଶକ, କଲ୍ୟାଣ ବିଭାଗର ନିର୍ଦ୍ଦେଶକ, ବାଣିଜ୍ୟ ବିଭାଗର ନିଯୁକ୍ତି ନୀତି ବିଭାଗ ନିର୍ଦ୍ଦେଶକ,  ନିଯୁକ୍ତି ସହାୟତା ସେବାର ନିର୍ଦ୍ଦେଶକ, ୱାଇସିପି ଇଣ୍ଟରନ୍ୟାସନାଲ୍ ବି.ଭି. କମ୍ପାନୀର ନିର୍ଦ୍ଦେଶକ ଏବଂ କମ୍ପାନୀର ଆନ୍ତର୍ଜାତିକ ସମ୍ପର୍କ ସଂଯୋଜକ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ନେଇ ଆଲୋଚନା କରିଥିଲେ ।
ପ୍ରକାଶ ଥାଉକି, ତତ୍ତୋରି ପ୍ରଦେଶର ପ୍ରତିନିଧିମାନେ ସେମାନଙ୍କର  ତିନି ଦିନିଆ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସମେତ କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବଂ ବିଭିନ୍ନ ବିଭାଗ ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗ ସଂପର୍କରେ ଆଲୋଚନା କରିବେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।