ଜିଲ୍ଲା ପରିଷଦର ୫୪ତମ ବୈଠକ ସମ୍ମିଳନୀ
ଗଜପତି ଜିଲ୍ଲା ପରିଷଦ ବୈଠକରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ସରକାରୀ ଯୋଜନା ନାମକରଣ ସକାଶେ ରାଜ୍ୟ ସରକାର ନିକଟରେ ଦାବୀ ପ୍ରସ୍ତାବ ଅନୁମୋଦିତ ।ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପରିଷଦର ୫୪ତମ ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତିଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢୀ,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୃଥ୍ୱିରାଜ ମଣ୍ଡଳ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା କୁମାରୀ ମଲ୍ଲିକ ମଞ୍ଚାସୀନ ଥିଲେ । ନୂଆଗଡ ବ୍ଲକ ପାଇକ ଅନ୍ତରଡା ପଞ୍ଚାୟତ ଅନ୍ତର୍ଗତ ରୁବୁଡିସିଂ ବିଦ୍ୟାଳୟର ଫାଟକ ପାଚେରୀ ପଡି ମୃତ୍ୟୁବରଣ କରିଥିବା ୨ଜଣ ଛାତ୍ରୀଙ୍କ ଉଦ୍ଧେଶ୍ୟର ନୀରବ ପ୍ରାର୍ଥନା କରାଯାଇଥିଲା ।ଏହି ବୈଠକରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିଦ୍ଧାଣୀ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ରାଜ୍ୟ ସରକାରଙ୍କ ଯେ କୌଣସିଏକ ଯୋଜନାର ନାମକରଣ କରିବା ଓ ଆନ୍ଧ୍ରସରକାରଙ୍କ ଦ୍ୱାରା ନେରେଡି ବ୍ୟାରେଜ୍ ନିର୍ମାଣ ଯୋଗୁଁ କାଶିନଗର ବ୍ଲକରେ ଥିବା ମେଗା ଉଠା ଜଳସେଚନ ପ୍ରକଲ୍ପ ଗୁଡିକ ଅକାମୀ ହେବ, ତେଣୁ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସକାଶେ ପଠାଇବା ନିମନ୍ତେ ୨ଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଜିଲ୍ଲାବସୀଙ୍କ ବହୁଦିନର ଦାବୀ ରହିଛି ବୋଲି ଉକ୍ତ ୨ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ ।


ଜିଲ୍ଲା ପରିଷଦର ପୂର୍ବ ବୈଠକ ଗୁଡିକରେ ନିର୍ବାଚିତ ପ୍ରତିନିଧି ମାନେ ରକ୍ଷଣାତ୍ମକ ଢଙ୍ଗରେ ଗୃହରେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରୁଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତ ବୈଠକରେ ଉଭୟ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ବିଭାଗୀୟ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି ।ଗତ କିଛିଦିନ ହେବ ଜିଲ୍ଲା ପରିଷଦ ବୈଠକରେ ଅଧିକାଂଶ ବିଭାଗର ମୁଖ୍ୟ ଅଧିକାରୀ ମାନେ ଅନୁପସ୍ଥିତ ରହି ସେମାନଙ୍କ ଅଧସ୍ତନ କର୍ମଚାରୀ ମାନଙ୍କୁ ପଠାଇବା କାରଣରୁ ଏଭଳି ପରିସ୍ଥିତ ଉପୁଜିଛି । ଯେଉଁ ମାନେ ଆସିଥିଲେ ସେମାନେ ସଦସ୍ୟ ମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ନଦେଇ ସେମାନଙ୍କ ଇଚ୍ଛା ମୁତାବକ ବୈଠକରେ ଉତ୍ତର ରଖୁଥିଲେ । ବିଶେଷ କରି ସ୍ୱାସ୍ଥ୍ୟ , ଶିକ୍ଷା ଓ ଜିଲ୍ଲା ମଙ୍ଗଳ ବିଭାଗର କାର୍ଯ୍ୟକଳାପକୁ ନେଇ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ନୂଆଗଡ ବ୍ଲକ ପାଇକ ଅନ୍ତରଡା ପଞ୍ଚାୟତ ଅନ୍ତର୍ଗତ ରୁବୁଡି ସିଂ ପ୍ରାଥମିକ ବିଦ୍ୟାଳୟର ଫାଟକ ଓ ପାଚେରୀ ପଡି ୨ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ରାମଗିରି ସ୍ଥିତ ଡଃ ବି.ଆର.ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଟଙ୍କା ପାଇବାରୁ ବଞ୍ଚିତ କରାଇବା, ଛେଳିଗଡ ପ୍ରକଳ୍ପ ବିସ୍ତାପିତଙ୍କୁ ପ୍ରତିଶୃତି ମୁତାବକ ସହାୟତା ପ୍ରଦାନରେ ଅବହେଳା ଗୋଦାବରୀଶ ମିଶ୍ର ବିଦ୍ୟାଳୟ ନିମନ୍ତେ ଚୟନ କ୍ଷେତ୍ରରେ ବିଧାୟକ ଓ ସଦସ୍ୟ ମାନଙ୍କୁ ଅବଗତ ନକରାଇ ନିଜ ମନମୁତାବକ ତାଲିକା ପ୍ରସ୍ତୁତି କରି ସରକାରଙ୍କ ପଠାଇବା ଘଟଣାକୁ ନେଇ ମୋହନା ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ଜବାବ୍ ମାଗିବା ସହ ଚେତାବନୀ ଦେଇଥିଲେ ।ସେହିପରି ପାରଳାଖେମୁଣ୍ଡି ବିଧାୟକ ଜିଲ୍ଲାର ସାଧନ ଗୁଡିକ ସଫଳ ରୂପାୟନ କରିବାରେ ବିଭାଗୀୟ ଅଧିକାରୀ ମାନେ ଆନ୍ତରିକତା ଦେଖାଉନଥିବାର ଅଭିଯୋଗ କରିଥିଲେ । ସେହି କାରଣ ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ନେରେଡି ଠାରେ ବ୍ୟାରେଜ ନିର୍ମାଣ କରି ଆମ ରାଜ୍ୟର ଜଳକୁ ନେଇ ଲୋକଙ୍କ ସୁବିଧା କରୁଛି । ଆମ ଜିଲ୍ଲାର ଅଧିକାରୀ ମାନେ ଜଳପ୍ରକଳ୍ପ ନିର୍ମାଣ ନିମନ୍ତେ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର)ପ୍ରସ୍ତୁତ କରି ପାରୁନାହାନ୍ତି । ଯାହାର କୁପରିଣାମ ଜିଲ୍ଲାବାସୀ ଭୋଗୁଛନ୍ତି । ସେହି କାରଣରୁ ବିଧାୟକଙ୍କ ସମେତ ଅନ୍ୟ ଜନ ପ୍ରତିନିଧି ମାନେ ଲୋକଙ୍କ ଆକ୍ରୋଶ ଶିକାର ହେଉଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ସେଥିପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ବୈଠକରେ ଜିଲ୍ଲା ପରିଷଦର ସଦସ୍ୟ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଓ ସହ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ରାଜ୍ୟ ସରକାରଙ୍କ ଯେ କୌଣସି ଏକ ଯୋଜନାର ନାମକରଣ କରାଯିବା ସକାଶେ ଦାବୀ କରିବାକୁ ଜିଲ୍ଲା ପରିଷଦ ବୈଠକରେ ପ୍ରସ୍ତାବ ଅନୁମୋଦନ କରିବା ସକାଶେ ଅଧ୍ୟକ୍ଷ ଗାବରା ତିରୁପତି ରାଓଙ୍କ ନିକଟରେ କାଶିନଗର ଠାରେ ଉତ୍କଳ ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖା ତରଫରୁ ୯୧ତମ ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ ଅବସରରେ ଦାବୀ କରାଯାଇଥିଲା ।
ଗଜପତିି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
