ଡି ଏମ୍ ଡି ରୋଗରେ ପୀଡିତ ଦୁଇ ଶିଶୁଙ୍କୁ ୨୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର କୁଟୁବାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛାଲିପିଟା ଗ୍ରାମର ସଦନ କଲାର ଙ୍କ ଚାରି ପୁଅ କମଳ କଲାର, ଗିରିଧର କଲାର, ଚନ୍ଦନ କଲାର ଏବଂ ଦିନୁ କଲାର ମାଂସ ପେଶୀ ଜନିତ ରୋଗରେ ଆକ୍ରାନ୍ତ ହୋଇ କମଳ କଲାର ଏବଂ ଗିରିଧର କଲାରଙ୍କ ଏହା ମଧ୍ୟରେ ମୃତ୍ୟୁ ଘଟିଛି । ଚନ୍ଦନ କଲାର ଏବଂ ଦିନୁ କଲାରଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ଵାରା ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସହ ଅଧିକ ଚିକିତ୍ସା ନିମନ୍ତେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ପରବର୍ତ୍ତୀ ସମୟରେ ଭୁବନେଶ୍ଵର ସ୍ଥିତ(AIMS) ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥାରେ ଚିକିତ୍ସା କଲାପରେ ମାଂସ ପେଶୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା ।
ପ୍ରକାଶ ଥାଉ କି ଏହି ରୋଗର କୌଣସି ଉପଯୁକ୍ତ ନିରାକରଣ ପାଇଁ ବ୍ୟବସ୍ଥା ନାହିଁ । ମାଂସ ପେଶୀ ଜନିତ ରୋଗର ଭୁବନେଶ୍ଵର ସ୍ଥିତ(AIMS) ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା ତରଫରୁ ପ୍ରମାଣପତ୍ର ପାଇବା ପରେ ସରକାରଙ୍କ ନିୟମ ଅନୁଯାୟୀ ଶ୍ରୀ ସଦନ କଲାର ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୮୪୪୬ ତା ୦୧.୦୭.୨୦୨୪ ରିଖ ଅନୁରୋଧ କ୍ରମେ ରାଜ୍ୟ ସରକାର ଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପତ୍ର ସଂଖ୍ୟା ୨୧୯୧୪ ତା ୨୯.୦୭.୨୦୨୪ ରିଖ ଦ୍ଵାରା ସଦନ କଲାରଙ୍କ ଜୀବିତ ଦୁଇ ପୁତ୍ରଙ୍କ ଉପଯୁକ୍ତ ଆବଶ୍ୟକୀୟ ଚିକିତ୍ସା ପାଇଁ ଦଶଲକ୍ଷ ଟଙ୍କା ହିସାବରେ ଦୁଇ ପୁତ୍ରଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରିଛନ୍ତି । ଶ୍ରୀ କଲାର ନିଜର ଦୁଇ ପୁତ୍ରଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କୋଡ଼ିଏ ଲକ୍ଷ ଟଙ୍କା ସହାୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ସାଧୁବାଦ ଜଣାଇଛନ୍ତି ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ