ତହସିଲ ଅଫିସରେ ବିଳମ୍ବିତ କାର୍ଯ୍ଯକୁ ନେଇ ଅସନ୍ତୋଷ
ତ୍ଵରିତ ପଦକ୍ଷେପ ନେବାକୁ ଦାବୀ କଲେ ସାମ୍ୱାଦିକ….
ଧର୍ମଗଡ଼ : ଧର୍ମଗଡ଼ ତହସିଲ ଅଫିସରେ ବିଳମ୍ବିତ କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ତହସିଲ ଅଫିସ ସାମନାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସୁଚନା ଅନୁଯାୟୀ ୧୯୬୭ରେ ପର୍ଲା ଗ୍ରାମର ଦୟାନିଧି ଜାଲ ନାମକ ଜନୈକ ବ୍ୟକ୍ତି ଏକ ଜମି କିଣିଥିଲେ। ପରେ ମ୍ଯୁଟେସନ କେସ ନଂ ୧୪୬୩ ତାସା ୭/୧୨/୬୭ରେ ଦାଖଲ ଖାରଜ ହୋଇ ମୂଳ ଖାତା ୪୫ରୁ କଟି ୧୧୯/୪୭ ଏକ ନୂତନ ଖାତା ହେଲା। କିଛି ବର୍ଷ ତଳେ ଯେତେବେଳେ ଜମିଜମା ସଂକ୍ରାନ୍ତୀୟ କାଗଜାତର କମ୍ପ୍ୟୁଟରୀକରଣ କରାଗଲା ସେତେବେଳେ ରେକର୍ଡ ଉପଲବ୍ଧ ନାହିଁ ବୋଲି ସଂପୃକ୍ତ ଜମିକୁ ଭୂଲେଖରେ ଦର୍ଶାଗଲା ନାହିଁ।

ଉକ୍ତ ଜମିର ଭୂଲେଖ ଅପଡେଟ ପାଇଁ ଦୟାନିଧିଙ୍କ ପୁତ୍ର ତଥା ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ ମାର୍ଚ୍ଚ ୨୦ତାରିଖ ଦିନ ଧର୍ମଗଡ଼ ତହସିଲଦାରଙ୍କ ନିକଟରେ ଆବେଦନ କଲେ। ଆବେଦନର ୧୭ ଦିନ ପରେ ଅପ୍ରେଲ ୭ତାରିଖରେ ପର୍ଲା ରାଜସ୍ଵ ନିରିକ୍ଷକଙ୍କୁ ଏସଂକ୍ରାନ୍ତରେ ଚିଠି ନଂ ୧୬୬୩ରେ ରିପୋର୍ଟ ମଗାଗଲା। ଚିଠିର ୧୦ ଦିନ ପରେ ପର୍ଲା ରାଜସ୍ଵ ନିରିକ୍ଷକ ରିପୋର୍ଟ ପ୍ରଦାନ କଲେ। କିନ୍ତୁ ତା ୨୭/୪/୨୬ରେ ରିପୋର୍ଟରେ ଦାଖଲ ଏବଂ ପାଉତି ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ ବୋଲି ରିପୋର୍ଟ ଫେରାଇ ଦେଇଥିଲେ। ସୁଚନା ଯୋଗ୍ୟ ଯେ, ଜମି କିଣିବା ପରଠାରୁ ଉକ୍ତ ଜମି ଦୟାନିଧି ଜାଲଙ୍କ ଦଖଲରେ ଥିବାବେଳେ ସେ ପାଉତି ପଇଠ କରିଆସୁଛନ୍ତି। ନିୟମିତ ଉକ୍ତ ଜମିର ପଞ୍ଜୀକରଣ କରି ଧାନ ବିକ୍ରୀ ମଧ୍ୟ କରୁଛନ୍ତି।ତା ସତ୍ତ୍ୱେ ବି ଦୀର୍ଘ ୫୦ଦିନ ପରେ ମଧ୍ୟ ସମସ୍ତ ତଥ୍ୟ ଉପଲବ୍ଧ ଯାଇ ବି ଭୂଲେଖ ଅପଡେଟ ହୋଇନପାରିବା ଘଟଣାରେ ବ୍ୟଥିତ ହୋଇ ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ ଆସନ୍ତା ମେ ୫ ତାରିଖରୁ ତହସିଲ ଅଫିସ ସାମନାରେ ଧାରଣା ପ୍ରଦର୍ଶନ କରିବାକୁ ଦାବିପତ୍ର ଦେଇଥିଲେ। ଦାବିପତ୍ର ଗ୍ରହଣ କରି ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଙ୍କୁ ଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇ ଯଥାଶୀଘ୍ର ଅପଡେଟ କରାଯିବ ବୋଲି ତହସିଲଦାର କିର୍ତ୍ତୀଚନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସମର୍ଥନ ଜଣାଇ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ,ସୁବାଷ ବାଗ,ସୁଧିର ଗୋପାଳ, ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝୀ,ରମଣିକାନ୍ତ ଜାଲ ପ୍ରମୁଖ ଉପସ୍ଥିତ ଥିଲେ।
