ନଦୀକୁ ଗାଧୋଇବା ହେଲା କାଳ, ପାଣି ରେ ବୁଡି ଜଣେ ନାବାଳକର ମୃତ୍ୟୁ ଏବଂ ଆଉ ଜଣେ ଗୁରୁତର
କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ପର୍ଲା ଗ୍ରାମର ରାଜାରାମ ବାଗଙ୍କ ନାବାଳକ ପୁଅ ମହାବୀର ବାଗ (୧୩)ଏବଂ ସରୋଜ ସୁନାନୀଙ୍କ ନାବାଳକ ପୁଅ ରୋହିତ ସୁନାନୀ (୧୪) ,ସାଙ୍ଗ ମାନଙ୍କ ସହିତ ଗାଁ ନିକଟରେ ଥିବା ମୁଡୁରା ନଦୀକୁ ଗାଧୋଇବାକୁ ଯାଇଥିଲେ।

ନଦୀ ପାଣିରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ମହାବୀର ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ସାଙ୍ଗ ରୋହିତ ଙ୍କୁ ମଧ୍ୟ ବୁଡିଯିବା ପୂର୍ବରୁ ମରଣ ମୁଖରୁ ଉଦ୍ଧାର କରାଯାଇଥିଲା। ସାଙ୍ଗେ ସାଙ୍ଗେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ସହ ଦମକଳ ବାହୀନି ଏବଂ ଓଡ୍ରାଫ ଟିମ୍ ପହଞ୍ଚି ପାଣିରେ ବୁଡି ଯାଇଥିବା ବାଳକର ମୃତ ଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ରୋହିତଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିବା ମହାବୀରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡ଼ାକ୍ତରଖାନାକୁ ପଠାଯାଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
