ପଟ୍ଟାମୁଣ୍ଡାଇର ପାନ୍ତୁରୀଠାରେ ୩୮.୮୮୪ ଏକର ଜମିକୁ ଶିଳ୍ପାଞ୍ଚଳ ମାନ୍ୟତା
୯୯.୨୦୪ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା; ୧୪ଟି MSME ୟୁନିଟ୍କୁ ଅନୁମୋଦନ, ପ୍ରାୟ ୧,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ..
କେନ୍ଦ୍ରାପଡ଼ା,: କେନ୍ଦ୍ରାପଡ଼ା ଜିଲ୍ଲାର ଶିଳ୍ପଭିତ୍ତିକ ବିକାଶ ଦିଗରେ ଏକ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ୍ର ପାନ୍ତୁରୀଠାରେ ୩୮.୮୮୪ ଏକର ପରିମିତ ଜମିକୁ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଗତ ୨୮ ଅକ୍ଟୋବର ୨୦୨୬ରେ ଆନୁଷ୍ଠାନିକ ଭାବେ ଶିଳ୍ପାଞ୍ଚଳ (Industrial Estate) ଭାବେ ଘୋଷଣା କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ, ସ୍ଥାନୀୟ ଉଦ୍ୟୋଗୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ନୂତନ ଦିଗ ମିଳିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିର ପଥ ପରିଷ୍କାର ହୋଇଛି।
ଏହି ସଫଳତା ପଛରେ ଜିଲ୍ଲା ପ୍ରଶାସନ, ଇଡକୋ (IDCO) ଏବଂ ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ଓ ପୁଞ୍ଜିନିବେଶ ସଂସ୍ଥା (DIPA)ର ସମନ୍ୱିତ ଉଦ୍ୟମ ରହିଛି। ଏହି ପ୍ରକ୍ରିୟାର ଅଂଶସ୍ୱରୂପ ୧୯ ମାର୍ଚ୍ଚ ୨୦୨୬ରେ MSME ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା, ଆଇଏଏସ୍, ଜିଲ୍ଲା ଶିଳ୍ପ କେନ୍ଦ୍ର (DIC)ର ମହାପ୍ରବନ୍ଧକ ଏବଂ DIPA ଟିମ୍ ସହିତ ପାନ୍ତୁରୀଠାରେ ପ୍ରସ୍ତାବିତ ଶିଳ୍ପାଞ୍ଚଳ ପରିଦର୍ଶନ କରିଥିଲେ।
ପରବର୍ତ୍ତୀ ସମୟରେ ୨ ଏପ୍ରିଲ ୨୦୨୬ରେ IDCO ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ମଧ୍ୟରେ ଜମି ସମ୍ପର୍କିତ ଲିଜ୍ ଡିଡ୍ ସ୍ୱାକ୍ଷରିତ ହୋଇଥିଲା। ଏହାର କାର୍ଯ୍ୟକାରିତା ଓ ଭିତ୍ତିଭୂମି ବିକାଶର ସମୀକ୍ଷା ପାଇଁ ୨୨ ଏପ୍ରିଲ ୨୦୨୬ରେ ଜିଲ୍ଲାପାଳ ଏବଂ DIPA ଟିମ୍ ମିଳିତ ଭାବେ ସ୍ଥାନ ପରିଦର୍ଶନ କରିଥିଲେ।
ଏହି ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (DLSWCA) ବୈଠକରେ ମୋଟ ୧୪ଟି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ୟୁନିଟ୍କୁ ଅନୁମୋଦନ ମିଳିଛି। ଏହି ୟୁନିଟ୍ଗୁଡ଼ିକ ମାଧ୍ୟମରେ ପ୍ରାୟ ୯୯.୨୦୪ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ ୧,୦୦୦ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି। ଏଥିସହିତ, ଏହି ପ୍ରକଳ୍ପ ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୧.୬୧୭ ଏକର ଜମିକୁ ଅନୁମୋଦନ ମିଳିଛି।
ପାନ୍ତୁରୀ ଶିଳ୍ପାଞ୍ଚଳର ଏହି ସଫଳତା କେବଳ ପଟ୍ଟାମୁଣ୍ଡାଇ ନୁହେଁ, ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଶିଳ୍ପ ଓ ଆର୍ଥିକ ପ୍ରଗତି ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ। ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି, ଉଦ୍ୟୋଗୀଙ୍କ ପାଇଁ ନୂତନ ସୁଯୋଗ ଏବଂ ଜିଲ୍ଲାର ସାମଗ୍ରିକ ଅର୍ଥନୈତିକ ବିକାଶକୁ ଏହା ଗତିଶୀଳ କରିବ ବୋଲି ଆଶା କରାଯାଉଛି।
