October 16, 2026
Home » ପଣ୍ୟ ପରିଚାଳନା ବୃଦ୍ଧି ନେଇ ଷ୍ଟିଭେଡୋର୍ସ ଙ୍କ ସହ ପାରାଦୀପ ବନ୍ଦର ଅଧ୍ୟକ୍ଷ ଙ୍କ ସମୀକ୍ଷା ବୈଠକ

ପଣ୍ୟ ପରିଚାଳନା ବୃଦ୍ଧି ନେଇ ଷ୍ଟିଭେଡୋର୍ସ ଙ୍କ ସହ ପାରାଦୀପ ବନ୍ଦର ଅଧ୍ୟକ୍ଷ ଙ୍କ ସମୀକ୍ଷା ବୈଠକ

0
WhatsApp Image 2026-10-16 at 3.20.16 PM (1)

ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଓ ଷ୍ଟିଭେଡୋର୍ସ ଆସୋସିଏସନ୍‌ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ୍ଦରର କାର୍ଯ୍ୟକ୍ଷମତା ସମ୍ପର୍କିତ ସମସ୍ୟା, ଭିତ୍ତିଭୂମିର ବିକାଶ ଏବଂ ପଣ୍ୟ ପରିଚାଳନା ଦକ୍ଷତା ବୃଦ୍ଧି ନେଇ ଆଲୋଚନା କରାଯାଇଛି।ଚଳିତ ଆର୍ଥିକ ବର୍ଷରେ ୧୭୦ ନିୟୁତ ମେଟ୍ରିକ୍ ଟନ୍‌ରୁ ଅଧିକ ପଣ୍ୟ ପରିଚାଳନା ଲକ୍ଷ୍ୟ ହାସଲ କରିବା ପାଇଁ ପାରାଦୀପ ବନ୍ଦରର ପ୍ରତିବଦ୍ଧତା ଥିବା ନେଇ ଅଧ୍ୟକ୍ଷ ଦୋହରାଇଥିଲେ। ଏହା ପୂର୍ବ ଆର୍ଥିକ ବର୍ଷ ୨୦୨୫-୨୬ରେ ପରିଚାଳିତ ୧୫୬.୪୫ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ ତୁଳନାରେ ଅଧିକ ଲକ୍ଷ୍ୟ ରଖାଯାଇଛି।ଦେଖାଯାଉଥିବା ମୁଖ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ଭିତ୍ତିଭୂମି ବିକାଶ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଏଥିମଧ୍ୟରେ ବନ୍ଦର ଭିତର ଓ ବାହାର ରାସ୍ତାର ଉନ୍ନତିକରଣ, ପଣ୍ୟ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନର ବିକାଶ ଏବଂ ପରିବହନକୁ ସୁଗମ କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ପାଇଁ ପ୍ରସ୍ତାବଗୁଡ଼ିକୁ ମଧ୍ୟ ଅନୁମୋଦନ ମିଳିଛି ଏବଂ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟାନ୍ୱୟନ ଆରମ୍ଭ ହେବା ଆଶା କରାଯାଉଛି।

ଏଥିସହ କର୍ମଚାରୀ ଓ ପରିଦର୍ଶକଙ୍କ ପାଇଁ ପରିମଳ ଏବଂ କଲ୍ୟାଣମୂଳକ ସୁବିଧାର ଉନ୍ନତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।ସାର୍ବଜନୀନ-ଘରୋଇ ସହଭାଗିତା ଆଧାରିତ ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଇବା ଉପରେ ଅଧ୍ୟକ୍ଷ ଗୁରୁତ୍ୱ ଦେଇଥିଲେ। ସାର୍ବଜନୀନ-ଘରୋଇ ସହଭାଗିତା ଅପରେଟର୍‌ ମାନେ ବର୍ତ୍ତମାନର ହିତାଧିକାରୀମାନଙ୍କ ସହ ସୁସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଏବଂ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସେ କହିଥିଲେ।ସହଯୋଗଭିତ୍ତିକ ସମସ୍ୟା ସମାଧାନର ଗୁରୁତ୍ୱ ଉପରେ ଆଲୋକପାତ କରି ଅଧ୍ୟକ୍ଷ, ଡ୍ରେଜିଂ ଆବଶ୍ୟକତା, ଟ୍ରାଫିକ୍ ଏବଂ ପଣ୍ୟ ପରିଚାଳନା ସମେତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବନ୍ଦର ପ୍ରଶାସନ ଓ ଷ୍ଟିଭେଡୋର୍ସଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଉତ୍ପାଦକତା, କାର୍ଯ୍ୟକ୍ଷମତା ଓ ଗ୍ରାହକ ସନ୍ତୁଷ୍ଟି ବୃଦ୍ଧି ପାଇଁ ହିତାଧିକାରୀମାନଙ୍କ ସହ ଗଠନମୂଳକ ଆଲୋଚନା କରିଥିଲେ।ବୈଠକ ଶେଷରେ ପାରାଦୀପ ବନ୍ଦର ପ୍ରଧିକରଣ ଓ ଷ୍ଟିଭେଡୋର୍ସ ଆସୋସିଏସନ୍‌ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏବଂ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବା ସହ ପାରାଦୀପ ବନ୍ଦରକୁ ଦେଶର ଏକ ପ୍ରମୁଖ ନୌବାଣିଜ୍ୟିକ ପ୍ରବେଶଦ୍ୱାର ଭାବେ ଆହୁରି ସୁଦୃଢ଼ କରିବା ନିମନ୍ତେ ଉଭୟ ପକ୍ଷ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

 

prasanta dash nka report

Leave a Reply

Your email address will not be published. Required fields are marked *