July 15, 2026
Home » ପୁରୀ ର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ରଥ ଟଣାର ମକଡ୍ରିଲ

ପୁରୀ ର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ରଥ ଟଣାର ମକଡ୍ରିଲ

0
Screenshot 2026-07-14 134613

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀ ର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ରଥ ଟଣାର ମକଡ୍ରିଲ କରାଯାଇଛି। ପୁରୀ ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ପୋଲିସ ପକ୍ଷରୁ ରଥ ଟଣା, ଭିଡ ନିୟନ୍ତ୍ରଣ ସହିତ ଆଇନଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି। ସେହିପରି ସମୁଦ୍ର କୂଳରେ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସୁରକ୍ଷିତ ସମୁଦ୍ର ସ୍ନାନକୁ ନେଇ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଅନ୍ୟପଟେ ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ଆୟୋଜନ ନେଇ ସମସ୍ତ ବିଭାଗ ମଧ୍ୟରେ କିଭଳି ସୁସମନ୍ବୟ ରହିବ ସେନେଇ ପୁରୀ ବଡ଼ଦାଣ୍ଡରେ ମଧ୍ୟ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି।ଆଉ ଦୁଇଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ଅଘଟଣ ମୁକ୍ତ ରଥଯାତ୍ରା ପାଇଁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। ରଥଯାତ୍ରା ଅବସରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରଥଯାତ୍ରା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆ ଠରେ ରଥ ଟଣାର ମକଡ୍ରିଲ କରାଯାଇଛି। ବିଶେଷ କରି ତିନି ରଥର ସୁରକ୍ଷା, ରଥର ଇନର୍ ଓ ଆଉଟର କର୍ଡନ, ଜେନେରାଲ କର୍ଡନ ଦାୟିତ୍ବରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ଏହି ମକଡ୍ରିଲ କରାଯାଇଥିଲା। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜେ ଏହି ମକଡ୍ରିଲର ସମିକ୍ଷା କରିଥିଲେ। ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଥିଲା। ତିନୋଟି ପୁଲିସ ଜିପକୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ ରଥଟଣା କରାଯାଇଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣି ଅଭ୍ଯାସ କରିଥିଲେ। ଭିଡ ଭିତରେ ରଥ ଗୁଡିକ କିଭଳି ଟଣାଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଇଛି।

କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ୟଜିତ୍ ନାୟକ କହିଛନ୍ତି, ରଥଯାତ୍ରାରେ ରଥ ଟଣା ସମୟ ରେ କିଭଳି ସମନ୍ଵୟ ରଖିହେବ ସେ ନେଇ ଏକ ଅଭ୍ୟାସ କରାଯାଇଛି। ରଥ ଟଣା ଦାୟିତ୍ୱ ରେ ବିଭିନ୍ନ ସୁରକ୍ଷା ବାହିନୀ ରହିବେ। ସେମାନଙ୍କ ମଧ୍ୟରେ କିଭଳି ଉଚିତ୍ ତାଳମେଳ ରହିବ ସେହି ଉଦ୍ଦେଶ୍ୟ ନେଇ ରଥ ଟଣା ଅଭ୍ୟାସ କରାଯାଇଛି। ତିନିଟି ଜିପ୍ ରଥ ରଥ କରାଯାଇ ଅଭ୍ୟାସ କରାଯାଇଛି। ଏହା ବେଶ୍ ସହାୟକ ହେବ ଶୃଙ୍ଖଳିତ ରଥ ଟଣା ପାଇଁ। ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଏହି ଅଭ୍ୟାସ କରାଯାଏ। ରଥ କର୍ଡନ ଓ ରଥ ଟଣା ପାଇଁ ୧୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ୍ ହୋଇଥାନ୍ତି। ଜଗନ୍ନାଥ୍ ଙ୍କ ରଥ ଦାୟିତ୍ୱରେ ପୁରୀ ଜିଲାପାଳ, ପ୍ରଭୁ ବଳଭଦ୍ର ଙ୍କ ରଥ ଦାୟିତ୍ୱ ରେ ପୁରୀ ଏସପି, ଦେବୀ ସୁଭଦ୍ରା ଙ୍କ ରଥ ଦାୟିତ୍ୱ ରେ ପୁରୀ ଏ ଡି ଏମ ରହିବେ। ପ୍ରତ୍ୟେକ ରଥ ଦାୟିତ୍ୱ ରେ ଗୋଟିଏ ବୈଷୟିକ ଟିମ୍ ରହିବ। ରଥ ଟଣା ବେଳେ ଯେଭଳି ଦଳା ଚକଟାରେ ନୁହୁଏ ସେଥି ପାଇଁ ବଡଦାଣ୍ଡ ରେ ୩୦ ସ୍ଥାନ ରେ ଟି କ୍ରାଉଡ ଡାଇଭର୍ସନ ଏମର୍ଜେନ୍ସି ରେସପନ୍ସ କରାଯାଇଛି।ସେହିପରି ରଥଯାତ୍ରା ପାଇଁ ପୁରୀ ବଡଦାଣ୍ଡରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ମକଡ୍ରିଲ। ରଥଯାତ୍ରା କୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସୁସମନ୍ବୟ ରକ୍ଷା ନେଇ କରାଯାଇଛି ମକଡ୍ରିଲ। ଟାଉନ ଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ ରେ ଏହି ମକଡ୍ରିଲ କରାଯାଇଥିଲା। NDRF, ଓଡ୍ରାଫ, ଅଗ୍ନିଶମ ବାହିନୀ, ସ୍ବାସ୍ଥ୍ୟ ବିଭାଗ, ପୋଲିସ, ପରିବହନ ବିଭାଗ ସହିତ ବିଭିନ୍ନ ସ୍ବେଛାସେବୀ ସଂଗଠନ ସହ ଅନ୍ୟାନ୍ୟ ବିଭାଗ ଏହି ମକଡ୍ରିଲ ପରିଚାଳନା କରିଥିଲେ। ରଥଯାତ୍ରା ସମୟରେ କୌଣସି ଘଟଣା, ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ବରାନ୍ବିତ ଭାବରେ କରାଯାଇପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା। ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏପଟେ ପୁରୀ ସମୁଦ୍ର କୂଳରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ରଥଯାତ୍ରା ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ, ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ମକଡ୍ରିଲ କରାଯାଇଛି। ଲାଇଫ ଗାର୍ଡ ମାନଙ୍କୁ ମକଡ୍ରିଲ ସାହାଯ୍ୟରେ ପ୍ରଶିକ୍ଷଣ ଦିଆଯାଇଛି। ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହୋଇଥିବା ବେଳେ ପେଣ୍ଠକଟା ଠାରୁ ଷ୍ଟ୍ରିଲିଙ୍ଗ ରୋଡ ବେଳାଭୂମି ପର୍ଯ୍ୟନ୍ତ ଏହି ଲାଇଫ ଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।

ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ରଥଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବ୍ୟାପକ ମକଡ୍ରିଲ କରାଯାଉଛି। ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ତେବେ ରଥଯାତ୍ରା ପାଇଁ କିଭଳି କରାଯାଇଛି ସମସ୍ତ ପ୍ରସ୍ତୁତି ସେନେଇ ଆଜି ପୁରୀ ଗସ୍ତରେ ଆସି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର। ସେ କହିଛନ୍ତି,
ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭକ୍ତଙ୍କ ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ସରକାର। ସିସିଟିଭି ଛାଉଣୀରେ ରହିଛି ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। ଜେବିପିସି ଠାରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି। ତେବେ ଭକ୍ତମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ୍ ହୋଇ ଏକ ସୁନ୍ଦର ଅନୁଭୂତି ନେଇ ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ଆମର ଲକ୍ଷ୍ୟ ରହିଛି।

ଚଳିତ ରଥଯାତ୍ରାରେ ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜ୍ୟର ସବୁଠାରୁ ଏହା ବଡ ପୋଲିସ ସୁରକ୍ଷା ବ୍ୟବସ୍ଥା। ଉଭୟ ଜଳ, ସ୍ଥଳ ଓ ଆକାଶ ପଥରେ ସମ୍ପୂର୍ଣ୍ଣ ଭାବେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାରେ ୧୩ ହଜାର ପୋଲିସ କର୍ମୀ ସହିତ ୧୯ ବରିଷ୍ଠ ଆଇପିଏସ ଅଧିକାରୀ ଦାୟିତ୍ଵ ରେ ଅଛନ୍ତି।

 

Leave a Reply

Your email address will not be published. Required fields are marked *