ଭୁବନେଶ୍ୱରର ଓସିସିର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସ୍ପାଟ୍ଟାକୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ
ଓଡ଼ିଶା ନିର୍ମାଣ ନିଗମ, ଭୁବନେଶ୍ୱର (ବଲାଙ୍ଗୀରର ଓସିସିଏଲର ଲୋୟର ସୁକିଏଲ୍ ପ୍ରକଳ୍ପରେ ଡେପୁଟେସନରେ) କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସ୍ପାଟ୍ଟା ଆୟ ବହିର୍ଭୂତ ସଂପତ୍ତି ଠୁଳ ଏବଂ ତାଙ୍କୁ ତାଙ୍କ ଜ୍ଞାତ ଆୟର ୨୨୩% ରୁ ଅଧିକ ଆୟବର୍ହିଭୂତ ସମ୍ପତ୍ତି (ଡିଏ) ରଖିବା ଯୋଗୁଁ ୧୪ ଜୁଲାଇ, ୨୦୨୬ ରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ଏସ ସୁଶ୍ରୀ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଏସପି ଏସ ସୁଶ୍ରୀ କହିଛନ୍ତି ଯେ ଭିଜିଲାନ୍ସର ତଲାସି ସମୟରେ ସଞ୍ଜୟ କୁମାର କିସ୍ପାଟ୍ଟା ଉକ୍ତ ସମ୍ପତ୍ତିର ସନ୍ତୋଷଜନକ ହିସାବ ପ୍ରଦାନ କରିବାରେ ବିଫଳ ହୋଇଥିଲେ।


ତେଣୁ, ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ପୋଲିସ ଷ୍ଟେସନରେ ପିସି ସଂଶୋଧନ ଆଇନ, ୨୦୧୮ର ଧାରା ୧୩(୨) ଏବଂ ୧୩(୧)(ଖ) ଅନୁଯାୟୀ ମାମଲା ନମ୍ବର ୧୫ (ତାରିଖ ୧୪ ଜୁଲାଇ, ୨୦୨୬) ରୁଜୁ କରାଯାଇଥିଲା। ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀମାନେ ଅଭିଯୁକ୍ତ ଘର ତଲାସୀ ସମୟରେ, ବହୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ପାଇଥିଲେ, ଯେଉଁଥିରେ କୋରାପୁଟରେ ଏକ ୨୩ କୋଠରୀ ବିଶିଷ୍ଟ ଚାରି ମହଲା ବିଶିଷ୍ଟ ବାଣିଜ୍ୟିକ କୋଠା (୩ ତାରକା ହୋଟେଲ, ନିର୍ମାଣାଧୀନ, ୭୭୧୫ ବର୍ଗଫୁଟ), ଲହୁଣୀପଡ଼ା (ସୁନ୍ଦରଗଡ଼)ରେ ଏକ ଆବାସିକ କୋଠା, ୯ ଖଣ୍ଡ ଜମି (କୋରାପୁଟରେ ୬ଟି, ରାଉରକେଲାରେ ୨ଟି, ଭୁବନେଶ୍ୱରରେ ୧ଟି), ମୋଟ ଟ.୧,୧୬,୬୮୦ /-ଙ୍କାର ନଗଦ, ୩୨୫.୫୬୨ ଗ୍ରାମ ସୁନା, ୧.୧୨୧ କିଲୋଗ୍ରାମ ରୂପା, ଟ.୧୨,୩୪୯,୮୦୪ ଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଜମା, ଦୁଇଟି ଯାନ (ଇନୋଭା କ୍ରିଷ୍ଟା ଏବଂ ଟାଟା ସଫାରି) ଏବଂ ପ୍ରାୟ ଟ.୩୮.୫୮ ଲକ୍ଷ ମୂଲ୍ୟର ଘରୋଇ ସାମଗ୍ରୀ ଅନ୍ତର୍ଭୁକ୍ତ। ଉକ୍ତ ମାମଲାରେ ତଦନ୍ତ ଜାରି ରଖିଥିବା ନେଇ ବ ଭିଜିଲାନ୍ସ ଏସପି ଏସ ସୁଶ୍ରୀ ସୂଚନା ଦେଇଛନ୍ତି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
