June 4, 2026
Home » ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘରକୁ ପେଟ୍ରୋଲ ବୋମାମାଡ ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲଣ

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘରକୁ ପେଟ୍ରୋଲ ବୋମାମାଡ ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲଣ

0
WhatsApp Image 2026-06-04 at 1.38.44 PM

ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ୍‌ର ବିଭିନ୍ନ ସ୍ଥାନରେ ଚଢାଉର ସୂଚନା ଦେଲେ ଏସପି

ପାରାଦୀପ : ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘରକୁ ବୋମାମାଡ ଘଟଣାରେ ପାରାଦୀପ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲଣ କରିଛି ପୋଲିସ୍ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମଧୁବନ ଅଂଚଳର ଗଜେନ୍ଦ୍ର ପରିଡାଙ୍କ ପୁଅ ଜ୍ୟୋତିକାନ୍ତ ପରିଡା (ବାପୁ) ବୋଲି ବୁଧବାର ଦିନ ମଧ୍ୟାହ୍ନରେ ପାରାଦୀପ ଥାନାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲା ଏସପି ଅଙ୍କିତ ବର୍ମା । ଗତ ଶନିବାର ସଂନ୍ଧ୍ୟାରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧୁବନସ୍ଥିତ ବାସଭବନରେ ୩ଜଣ ଅଭିଯୁକ୍ତ ଏକ ମୋଟର ସାଇକେଲ୍‌ରେ ଆସି ତିନି ଗୋଟି ପେଟ୍ରୋଲ ବୋମା ପକାଇ ଫେରାର ହୋଇଯାଇଥିଲେ । ଏହି ଦିନ ରାତିରେ ନଗରପାଳ ଶ୍ରୀ ବିଶ୍ୱାଳ ପାରାଦୀପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାରାଦୀପ ପୋଲିସ୍ ୧୪୭/୨୬ରେ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରି ୯ଜଣଙ୍କୁ ଥାନାକୁ ଆଣି ଅଟକ ରଖି ଜେରା କରିଥିଲା । ତଦନ୍ତ ସମୟରେ ପୋଲିସ୍ ପାରାଦୀପ ବୃନ୍ଦାବନ କଲୋନୀ ଅଂଚଳର ଦୂର୍ଯ୍ୟୋଧନ ପ୍ରଧାନଙ୍କ ପୁଅ ତ୍ରିଲୋଚନ ପ୍ରଧାନ (ଟୁଲୁ) ପ୍ରଥମେ ପଚରାଉଚରା କରିବା ସମୟରେ ତା ସହିତ ମଧୁବନ ଅଂଚଳର ଶିବରାମ ପଲେଇଙ୍କ ପୁଅ ସୌମ୍ୟରଂଜନ (ହାପି) ଏବଂ ସେହି ଅଂଚଳର ବିକ୍ରମ ବିଶ୍ୱାଳଙ୍କ ପୁଅ ସିଦ୍ଧାନ୍ତ ବିଶ୍ୱାଳ (ହନୁଆ) ଥିବା ଜଣା ପଡିଥିଲା । ଏହା ପରେ ପୋଲିସ ସେ ଦୁଇ ଜଣଙ୍କୁ ଧରି ଜେରା କରିବା ପରେ ଘଟଣା ପଛରେ ବାପୁ ପରିଡାଙ୍କ ସଂପୃକ୍ତି ଜଣା ପଡିଥିଲା । ମ୍ୟୁନିସିପାଲିଟି କାମ ନେବାକୁ ନେଇ ନଗରପାଳ ଶ୍ରୀ ବିଶ୍ୱାଳଙ୍କ ସହିତ ବାପୁ ପରିଡାଙ୍କ ମତଭେଦ ଥିଲା । ଏହି କାରଣରୁ ବାପୁ ପରିଡା ଇଙ୍ଗିତରେ ଏହି ୩ ଅଭିଯୁକ୍ତ ନଗରପାଳ ଶ୍ରୀ ବିଶ୍ୱାଳଙ୍କୁ ଭୟଭୀତ କରାଇବା ପାଇଁ ପେଟ୍ରାଲ ବୋମା ମାଡ କରିଥିବା ନେଇ ଏସପି ଶ୍ରୀ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ବାପୁ ପରିଡାକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ । ଗିରଫ ୩ ଅଭିଯୁକ୍ତଙ୍କୁ ପୋଲିସ୍ ବୁଧବାର ଦିନ ଅପରାହ୍ନରେ କୋର୍ଟ ଚାଲଣ କରିଛି ।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *