ବନମାଳୀ ମେହେରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଶ୍ରେଷ୍ଠ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ ରାଜ୍ୟସ୍ତରରେ ସମ୍ମାନିତ l
ସୁବର୍ଣ୍ଣପୁର —-ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କର୍ଷତା ପାଇଁ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ବନମାଳୀ ମେହେର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଓ ଓସେପା ପକ୍ଷରୁ ଜାରି ହୋଇଥିବା ପତ୍ର ଅନୁଯାୟୀ, ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ ଏହି ଗୌରବମୟ ସମ୍ମାନ ପ୍ରଦାନ କରାଯାଇଛି।
ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ ହାଇସ୍କୁଲ ପରିସରରେ ‘ସୁରଭି’ ଶିଶୁ ମହୋତ୍ସବର ଅଂଶବିଶେଷ ଭାବେ ଆୟୋଜିତ ଭବ୍ୟ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ, ଛାତ୍ରଛାତ୍ରୀକୈନ୍ଦ୍ରିକ ଓ ବ୍ୟବହାରିକ କରିବା ସହ ସାମାଜିକ ବିଜ୍ଞାନ ବିଷୟରେ ନବୀନ ଶିକ୍ଷଣ ପଦ୍ଧତିର ପ୍ରୟୋଗ ତାଙ୍କର ଏହି ସଫଳତାର ପରିଚୟ ବହନ କରେ। ତାଙ୍କର ଏହି ଗୌରବମୟ ସଫଳତା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ସମଗ୍ର ବୌଦ୍ଧ ଜିଲ୍ଲା ଓ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି।
ଏହି ସଫଳତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷାବିତ୍, ସହକର୍ମୀ ଶିକ୍ଷକ, ଶୁଭେଚ୍ଛୁ ଓ ଅଞ୍ଚଳବାସୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
