ବରଗଡ଼ରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଭବ୍ୟ ସମାରୋହ: ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ ବିକାଶର ନୂତନ ଗାଥା
ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଲେ ଜିଲ୍ଲାବାସୀ
ବରଗଡ଼: ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଗୋରୁ ମାର୍କେଟ ପରିସରରେ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ ସମାରୋହ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। “ବିକାଶର ଧାରା, ଓଡ଼ିଶା ସାରା” ନାରାକୁ ସାମ୍ନାରେ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଓ ଅନ୍ୟ ସମ୍ମାନନୀୟ ଅତିଥିଙ୍କ ଦ୍ୱାରା ଗୋରୁ ମାର୍କେଟ ପ୍ରାଙ୍ଗଣଠାରେ ବୃକ୍ଷରୋପଣ ମାଧ୍ୟମରେ ହୋଇଥିଲା। ସଭାରେ ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଭୋଇ, ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ସାଂସଦଙ୍କ ପ୍ରତିନିଧି ସୁକାନ୍ତ ଦାସ ପ୍ରମୁଖ ଯୋଗଦେଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ନିଜର ମତାମତ ରଖିଥିଲେ।

ସଭାରେ ସରକାରଙ୍କ ଗତ ଦୁଇ ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରାଯାଇଥିଲା। ରାଜ୍ୟରେ ମହିଳା ସଶକ୍ତୀକରଣ ପାଇଁ ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ୧ କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯାଇଥିବା ବେଳେ, ମମତା-PMMVY ଯୋଜନାରେ ୮.୮୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୮୫୬.୧୧ କୋଟି ଟଙ୍କା ବଣ୍ଟନ କରାଯାଇଛି। ସେହିପରି ଭିତ୍ତିଭୂମି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୧,୯୮୬ କୋଟିରୁ ଅଧିକ ବ୍ୟୟ ଓ ସେତୁ ବନ୍ଧନ ଯୋଜନାରେ ୫୦୭ଟି ସେତୁ ନିର୍ମାଣ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।


ବରଗଡ଼ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉପଲବ୍ଧି ସମ୍ପର୍କରେ ସୂଚନା ଦେଇ କୁହାଯାଇଥିଲା ଯେ, ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ରେ ଜିଲ୍ଲାର ୪,୩୧୮ ଜଣ ଜନଜାତି ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୨.୧୫ କୋଟି ଟଙ୍କାରୁ ଅଧିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏଥିସହିତ, ଜିଲ୍ଲାର ୬ ହଜାରରୁ ଅଧିକ ବୁଣାକାର ଓ ସମ୍ବଲପୁରୀ ବସ୍ତ୍ରାଳୟର ସଫଳ କାର୍ଯ୍ୟକ୍ରମ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିଛି।ଏହି ଅବସରରେ ଜିଲ୍ଲାରେ ଗତ ଦୁଇ ବର୍ଷ ମଧ୍ୟରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଉପରେ ଆଧାରିତ ଏକ ସୂଚନା ପୁସ୍ତିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହିତାଧିକାରୀଙ୍କୁ ସମ୍ମାନିତ କରିବା। ଏହି ଅବସରରେ ଶ୍ରୀ ଜୁଗଳ କିଶୋର ବର୍ମା ଓ ଶ୍ରୀମତୀ କୁନ୍ତଳା କୁମାରୀ ଜେନାଙ୍କୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (VVY)’ କାର୍ଡ ପ୍ରଦାନ କରାଯାଇଥିଲା। ସେହିପରି, ଶ୍ରୀମତୀ ଦହଳା ସେଠୀ ଓ ଶ୍ରୀମତୀ ବନିତା ମିର୍ଦ୍ଧାଙ୍କୁ ‘ଆବାସ ଗ୍ରାମୀଣ ଯୋଜନା (AGJ)’ ଅଧୀନରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଶ୍ରୀ ଫକୀର ସାହୁଙ୍କୁ ‘ଓଡ଼ିଶା ବିଲଡିଂ ଆଣ୍ଡ ଅଦର କନଷ୍ଟ୍ରକ୍ସନ ୱାର୍କର୍ସ’ ଅଧୀନରେ ବିବାହ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ହିତାଧିକାରୀମାନେ ସରକାରୀ ଯୋଜନା ଯେପରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜର ପ୍ରେରଣାଦାୟକ ସଫଳତା କାହାଣୀ ମଞ୍ଚରେ ବାଣ୍ଟିଥିଲେ।ଶେଷରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
