July 10, 2026
Home » ବରଗଡ଼ରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଆରମ୍ଭ

ବରଗଡ଼ରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଆରମ୍ଭ

0
WhatsApp Image 2026-06-13 at 3.19.13 PM

 

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ରଥର ଶୁଭାରମ୍ଭ

ବରଗଡ଼ ଶିଶୁ ଶ୍ରମିକ ପ୍ରଥାକୁ ସମାଜରୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲକ୍ଷ୍ୟ ନେଇ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ୧୫ ଦିନିଆ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଆଜି ସକାଳେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ”କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଅଭିଯାନ ଜୁନ୍ ୧୨ ତାରିଖରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଏକ ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହରର ବିଭିନ୍ନ ରାସ୍ତା ଦେଇ ବନ୍ଦୁତିକ୍ରା ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ମାନଭଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ସସ୍ମିତା ବିଶ୍ୱାଳ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଶ୍ରୀ ଯଶୋବନ୍ତ ଅମାତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସନ୍ଧ୍ୟାରାଣୀ ନେପାକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଏକ୍କା ପ୍ରମୁଖ ଉପସ୍ଥିତ ରହି ଶିଶୁ ଶ୍ରମିକ ନିରାକରଣ ସମ୍ପର୍କରେ ନିଜର ମତ ରଖିଥିଲେ।

ଏତଦ୍‌ବ୍ୟତୀତ ବରପାଲି, ଝାରବନ୍ଧ ଓ ବିଜେପୁରର ସହକାରୀ ଶ୍ରମ ଅଧିକାରୀମାନେ, ସ୍ୱେଚ୍ଛାସେବୀ ସଂସ୍ଥା ଯଥା—ଆଜ୍‌କା, ବିକଳ୍ପ, IJM, ଶ୍ରମ ବାହିନୀ ଓ action-e-aide ର ପ୍ରତିନିଧିମାନେ ଏବଂ ପ୍ରାୟ ୬୦ ରୁ ୭୦ ଜଣ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ଅଭିଯାନକୁ ସଫଳ କରିବା ପାଇଁ ଶପଥ ନେଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଶିଶୁ ଶ୍ରମିକ ପ୍ରଥାକୁ ବିରୋଧ କରିବା ଏବଂ କୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିଲେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବା ପାଇଁ ଅନୁରୋଧ କରାଯାଇଛି।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *