August 26, 2026
Home » ବାରବାଙ୍କ ଘାଟିରେ ଭୂସ୍ଖଳନ, ସ୍ଲୋରି ପାଇପ୍‌ଲାଇନ୍‌ କାମକୁ ନେଇ ପ୍ରଶ୍ନ

ବାରବାଙ୍କ ଘାଟିରେ ଭୂସ୍ଖଳନ, ସ୍ଲୋରି ପାଇପ୍‌ଲାଇନ୍‌ କାମକୁ ନେଇ ପ୍ରଶ୍ନ

0
WhatsApp Image 2026-08-26 at 5.57.03 PM (1)

୫୨୦ ନମ୍ବର ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ଅବରୋଧ; ନିୟମ ଉଲ୍ଲଂଘନ ଅଭିଯୋଗ, ପ୍ରଶାସନର ନିରବତାକୁ ନେଇ ଉଠିଲା ପ୍ରଶ୍ନ
ବଡ଼ବିଲ: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟିରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟି ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ପ୍ରଭାବିତ ହୋଇଛି। ରବିବାର ରାତି ପ୍ରାୟ ୧୦ଟା ସମୟରେ ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଅତଡ଼ା ଖସି ରାଜପଥ ଉପରେ ପଡ଼ିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱର ପ୍ରାୟ ଅଧା ଅଂଶ ଅବରୋଧ ହୋଇଥିଲା।
ଭୂସ୍ଖଳନ ଯୋଗୁଁ ଏହି ପ୍ରମୁଖ ରାସ୍ତାରେ ଭାରୀଯାନ, ଲୁହାପଥର ବୋଝେଇ ଟ୍ରକ୍‌ ଓ ଯାତ୍ରୀବାହୀ ଯାନ ଚଳାଚଳ ପ୍ରଭାବିତ ହୋଇଥିଲା। ଖବର ପାଇ ରୁଗୁଡ଼ି ଥାନା ଅଧିକାରୀ ସମ୍ପଦ କୁମାର ମହାନ୍ତି ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିଥିଲେ। ରାଜପଥର ଧସିଥିବା ଅଞ୍ଚଳ ଦେଇ ଯାତାୟାତ ସମୟରେ ସତର୍କ ରହିବାକୁ ଚାଳକମାନଙ୍କୁ ସଚେତନ କରାଯାଇଥିଲା।
ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଧସିଥିବା ଅଞ୍ଚଳରେ ବ୍ୟାରିକେଡ୍‌ ଲଗାଇ ଯାତାୟାତ ନିୟନ୍ତ୍ରଣ କରିଥିଲେ। ରାଜପଥରୁ ମାଟି ଓ ପଥର ହଟାଇବା ସହ ଯାତାୟାତକୁ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ସୌଭାଗ୍ୟବଶତଃ ଘଟଣାରେ କୌଣସି ଜୀବନହାନି ଘଟିନାହିଁ।
ତେବେ ଏହି ଭୂସ୍ଖଳନକୁ ନେଇ ଏବେ ଜେଏସ୍‌ଡବ୍ଲ୍ୟୁର ସ୍ଲୋରି ପାଇପ୍‌ଲାଇନ୍‌ କାମ ଉପରେ ପ୍ରଶ୍ନ ଉଠିଛି। ବୈତରଣୀ ନଦୀର ବାସୁଦେବପୁର ଅଞ୍ଚଳରୁ ଜେଏସ୍‌ଡବ୍ଲ୍ୟୁର ନୂଆଗାଁ ଲୁହାପଥର ଖଣି ପର୍ଯ୍ୟନ୍ତ ପାଇପ୍‌ଲାଇନ୍‌ ବିଛାଇବା କାମ ଚାଲିଥିବା ବେଳେ, ଏଥିପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଅନୁମତି ମିଳିଥିବା କୁହାଯାଉଛି।
ଅଭିଯୋଗ ହେଉଛି, ପାଇପ୍‌ଲାଇନ୍‌ କାମ ସମୟରେ ପାହାଡ଼ିଆ ଅଞ୍ଚଳରେ ମାଟି ଖୋଳିବା ପରେ ତାହାକୁ ଠିକ୍‌ ଭାବେ ପୁନଃପୂରଣ କରାଯାଉନାହିଁ। ଫଳରେ ଢାଲୁ ଅଞ୍ଚଳର ମାଟି ଦୁର୍ବଳ ହୋଇ ବର୍ଷା ସମୟରେ ମାଟି ଧସିବାର ଆଶଙ୍କା ବଢ଼ୁଛି। ବାରବାଙ୍କ ଘାଟିର ଘଟଣା ଏହି ଅଭିଯୋଗକୁ ଆହୁରି ଚର୍ଚ୍ଚାକୁ ଆଣିଛି।

ପାଇପ୍‌ଲାଇନ୍‌ କାମକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଅଧପନ୍ତରିଆ ଭାବେ ଗାତ ଖୋଳି ଛାଡ଼ିଦେବା, ରାସ୍ତାକଡ଼ର ମାଟିକୁ ଦୁର୍ବଳ କରିବା ଏବଂ ବିଲେଇପଦା ସର୍ଭିସ୍‌ ରୋଡ୍‌ ନିକଟରେ ରାସ୍ତାର ସ୍ଥିତି ପ୍ରଭାବିତ ହେବା ଭଳି ଅଭିଯୋଗ ରହିଛି। ଏପରିକି ବସୁଧା ଜଳଯୋଗାଣ ପାଇପ୍‌ଲାଇନ୍‌ କ୍ଷତିଗ୍ରସ୍ତ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଏହି ସବୁ ଅଭିଯୋଗକୁ ନେଇ ଗତ ଅଗଷ୍ଟ ୧୭ ତାରିଖରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ସୂଚନା ମିଳିଛି। କମ୍ପାନୀ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ଏତଲା ରୁଜୁ ପାଇଁ ମଧ୍ୟ ଦାବି କରାଯାଇଥିବା ଜଣାପଡ଼ିଛି।
ବାରମ୍ବାର ଅଭିଯୋଗ ସାମ୍ନାକୁ ଆସୁଥିବା ସତ୍ତ୍ୱେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ କାହିଁକି କଡ଼ା ପଦକ୍ଷେପ ନିଆଯାଉନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେତେକ ଲୋକ କମ୍ପାନୀ ଓ କିଛି ଅଧିକାରୀଙ୍କ ମଧ୍ୟରେ ଅଘୋଷିତ ବୁଝାମଣା ଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ଏହାର ସ୍ୱତନ୍ତ୍ର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏପରିସ୍ଥିତିରେ ବାରବାଙ୍କ ଘାଟିରେ ଘଟିଥିବା ଭୂସ୍ଖଳନର ପ୍ରକୃତ କାରଣ ନିରପେକ୍ଷ ତଦନ୍ତ ମାଧ୍ୟମରେ ସ୍ପଷ୍ଟ କରିବାକୁ ଦାବି ହୋଇଛି। ପାଇପ୍‌ଲାଇନ୍‌ କାମ ସମୟରେ ଅନୁମତିର ସର୍ତ୍ତ ଓ ସୁରକ୍ଷା ମାନଦଣ୍ଡ ପାଳନ ହୋଇଥିଲା କି ନାହିଁ, ଖୋଳାଯାଇଥିବା ମାଟିକୁ ଠିକ୍‌ ଭାବେ ପୁନଃପୂରଣ କରାଯାଇଥିଲା କି ନାହିଁ ଏବଂ ରାଜପଥର ସୁରକ୍ଷା ବ୍ୟବସ୍ଥା ଠିକ୍‌ ରହିଥିଲା କି ନାହିଁ, ସେନେଇ ବୈଷୟିକ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ତେବେ ଭୂସ୍ଖଳନର ପ୍ରକୃତ କାରଣ ଓ ଏଥିରେ ପାଇପ୍‌ଲାଇନ୍‌ କାମର କୌଣସି ଭୂମିକା ରହିଛି କି ନାହିଁ, ତାହା ଅଧିକୃତ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗର ସତ୍ୟତା ତଦନ୍ତ ପରେ ପ୍ରମାଣିତ ହେବାକୁ ଥିବା ବେଳେ, ଘଟଣା ସମ୍ପର୍କରେ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ କୌଣସି ଅଧିକୃତ ପ୍ରତିକ୍ରିୟା ମିଳିପାରିନାହିଁ। କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ପ୍ରକାଶ କରାଯିବ।
ଏବେ ନଜର ରହିଛି ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ। ରାଜପଥ ଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଏଭଳି ଘଟଣା ପୁନରାବୃତ୍ତି ନହେବା ସହ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *