ବିପଦଜନକ ଅବସ୍ଥାରେ ପୋଲିସ ହାଇସ୍କୁଲର ଶ୍ରେଣୀ ଗୃହ
ପୁରୀ ରେଡକ୍ରସ ରୋଡ଼ରେ ଥିବା ପୋଲିସ ହାଇସ୍କୁଲର ଶ୍ରେଣୀ ଗୃହ ରହିଛି ଅତ୍ୟନ୍ତ ବିପଦଜନକ ଅବସ୍ଥାରେ। ଶ୍ରେଣୀ ଗୃହର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସୁଥିବା ବେଳେ ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କରିଛି। କୌଣସି ମୂହୁର୍ତ୍ତ ରେ ଛାତ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ର ଆଶଙ୍କା ରହିଛି। ଗତକାଲି ସ୍କୁଲ୍ ଚାଲିଥିବା ବେଳେ ଅଷ୍ଟମ ଏବଂ ନବମ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ୁଥିବା ଶ୍ରେଣୀ ଗୃହ ଛାତରୁ ହଠାତ୍ ସିମେଣ୍ଟ ପ୍ଲାଷ୍ଟର ଖସିଥିଲା। ସୌଭାଗ୍ୟ ବଶତଃ ଏଥିରେ କୌଣସି ଛାତ୍ରଛାତ୍ରୀ ଆହତ ହୋଇ ନାହାନ୍ତି। ଏହି ଖବର ଜଣାପଡ଼ିବା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଗୁରୁତ୍ୱ ନଦେବା ଘଟଣାକୁ ନେଇ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଶ୍ରେଣୀ ଗୃହ ମରାମତି ନେଇ ଅଭିଭାବକ ମାନେ ଅବଗତ କରାଇଥିବା ବେଳେ ଏହାକୁ ଗୁରୁତ୍ବ ଦିଆନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଯଦି ସ୍କୁଲ ଛାତ୍ରଛାତ୍ରୀଙ୍କର କୌଣସି ଅଘଟଣ ହୁଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି ।ଗତ ଦୁଇଦିନ ତଳେ ଦିଲ୍ଲୀରେ ଏକ ହଷ୍ଟେଲ ଭୁଶୁଡ଼ି ପଡ଼ିବା ଯୋଗୁଁ ସେଠାରେ ରହୁଥିବା ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସ୍କୁଲ ଏବଂ ସରକାରୀ କୋଠା ଗୁଡ଼ିକର ଯାଞ୍ଚ କରାଯାଇ ବିପଦ ସଙ୍କୁଳ କୋଠା ଗୁଡ଼ିକୁ ଉଛେଦ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି, ପୋଲିସ ହାଇସ୍କୁଲ ର ବିପଦ ସଙ୍କୁଳ କୋଠା କୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଶ୍ରେଣୀ ଗୃହରେ ପାଠ ପଢ଼ାଇବାର ବ୍ୟବସ୍ଥା କରାଯାଇଛି। ସେହିପରି ବିପଦ ସଙ୍କୁଳ କୋଠା କୁ ଉଛେଦ କରାଯାଇ ସମ୍ପୂର୍ଣ୍ଣ ନୂଆ ଶ୍ରେଣୀ ଗୃହ ଆଗାମୀ ଦିନରେ ନିର୍ମାଣ କରାଯିବ। ଏଥିସହ ପୁରୀ ଜିଲ୍ଲାର ସମସ୍ତ ସ୍କୁଲର ସ୍ଥିତି ଯାଞ୍ଚ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ୧୫ ଦିନ ଭିତରେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।
ଆମେ ରଥଯାତ୍ରା ସମୟରେ ବଡଦାଣ୍ଡ ରେ ୪୮ ଟି କୋଠା ଚିହ୍ନଟ କରିଥିଲୁ। ଯାହାକି ବିପଦ ସଂଖୁଳ ଅବସ୍ଥାରେ ରହିଛି। ତେବେ ଏ ନେଇ ଆମେ ଗୃହ ମାଲିକ ଙ୍କୁ ନୋଟିସ ଦେଇଛୁ। ନୋଟିସ ର ଉତ୍ତର ଆସିବା ପରେ ଆମେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା। ଆମେ ଦେଖିବୁ ଯଦି କୌଣସି କୋଠା ଅତ୍ୟନ୍ତ ଅସୁରକ୍ଷିତ ରହିଛି ଓ ଏହାଦ୍ଵାରା ଧନଜୀବନ ହାନି ର ସମ୍ଭାବନା ରହିଛି ତେବେ ଆମେ ଉକ୍ତ କୋଠା ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରିବୁ।
