ବି.ଏମ୍.ସି. ୧୭ ନମ୍ବର ୱାର୍ଡରେ ଓଜେସିର ମହିଳା କର୍ମକର୍ତ୍ତା ସମ୍ମିଳନୀ
ଭୁବନେଶ୍ୱର, ; ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ବର ୱାର୍ଡରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ମହିଳା କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳରେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି, ମହିଳା ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସାଂଗଠନିକ ରଣନୀତି ଓ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରିନାରାୟଣ ମହାନ୍ତି ଏହି କର୍ମକର୍ତ୍ତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଭୁବନେଶ୍ୱର ନିର୍ମାଣରେ ଯେଉଁମାନେ ବିଶ୍ୱକର୍ମା ସାଜିଛନ୍ତି ସେମାନେ ସାଧାରଣତଃ ଭୁବନେଶ୍ୱରର ବିଭିନ୍ନ ସାହି ବସ୍ତି ଅଞ୍ଚଳରେ ବସବାସ କରନ୍ତି । ସେମାନଙ୍କ ଶ୍ରମ ବଦଳରେ ଭୁବନେଶ୍ୱର ଠିଆ ହୋଇଥିବା ସ୍ଥଳେ ସେମାନେ କିନ୍ତୁ ଅବହେଳିତ। ରାସ୍ତାଘାଟ ଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ମାନ ଅତ୍ୟନ୍ତ ଦୟନୀୟ । ମଦ ଜନିତ ଅପରାଧ ଓ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସା ଘଟଣା ଦିନକୁ ଦିନ ବଢ଼ିଚାଲିଛି । ଯଦି ରାଜ୍ୟର ରାଜଧାନୀରେ ମହିଳାମାନେ ଅସୁରକ୍ଷିତ, ତେବେ ଗ୍ରାମାଞ୍ଚଳରେ ମହିଳାଙ୍କ ଅବସ୍ଥା କିପରି ରହିଛି ତାହା ସ୍ପଷ୍ଟ ଅନୁମେୟ । ଏହି ସଭାରେ ଅତିଥି ଭାବେ ଯୋଗଦେଇ ଓଜେସି ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ଓ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଥିଲେ ଯେ, ଓଡ଼ିଶାକୁ ମଦମୁକ୍ତ କରିବା ନିମନ୍ତେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି ।
ଛାତ୍ରନେତା ରାକେଶ ବେହେରା, ସସ୍ମିତା ପଟ୍ଟନାୟକ ଓ ଧର୍ମେନ୍ଦ୍ର ଦିଗାଲଙ୍କ ସଂଯୋଜନାରେ ଆୟୋଜିତ ଏହି ମହିଳା କର୍ମକର୍ତ୍ତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ସଞ୍ଜୟ ରାୟ, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ, ନାରୀନେତ୍ରୀ ସୀତା ସାହୁ ପ୍ରମୁଖ ଯୋଗଦେଇ ମହିଳା କର୍ମକର୍ତ୍ତାମାନଙ୍କ ଭୂମିକା, ୱାର୍ଡସ୍ତରରେ ଦଳୀୟ ସଂଗଠନର ସମ୍ପ୍ରସାରଣ, ମହିଳାମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଏବଂ ସାଧାରଣ ଜନତାଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରିବା ଉପରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଅନୂସ୍ୱୟା ଦେବୀ, ପୁଷ୍ପା ଦେବୀ, ଗୀତା ଦେବୀ, ତନୁଜା ପ୍ରଧାନ ଓ ବିପିନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
