ବୌଦ୍ଧରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
ଯୋଗଦେଲେ କଣ୍ଟାମାଳ ଓ ବୌଦ୍ଧ ବିଧାୟକ; ମହିଳା ସଶକ୍ତିକରଣକୁ ସୁଭଦ୍ରା ଯୋଜନାରେ ଗୁରୁତ୍ୱ l
ସୁବର୍ଣ୍ଣପୁର: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲେ।
କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମାଜସେବୀ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ବିଧାୟକ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାରେ କିଭଳି ଲକ୍ଷ ଲକ୍ଷ ମହିଳା ନିଜ ଜୀବନ ଜୀବିକାକୁ ସୁଦୃଢ଼ କରି ସଫଳତା ପାଇଛନ୍ତି ସେ ବିଷୟରେ କହିଥିଲେ lସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ଉଦ୍ୟମିତାର ଭାବନା ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବିଶ୍ୱାସ ଦେଇଥିଲେ। ଆଜି ନୟାଗଡ଼ଠାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଠାରେ ବଡ଼ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ୧,୦୮,୮୪୯ ଜଣ ହିତାଧିକାରୀ ଉପକୃତ ହେବେ।
ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ -ବୌଦ୍ଧ, ଜାନକୀ ମହାନନ୍ଦିଆ- କଣ୍ଟାମାଳ ଓ ଶାନ୍ତିଲତା ଭୂୟାଁ -ହରଭଙ୍ଗା ସୁଭଦ୍ରା ଯୋଜନାରୁ ପାଇଥିବା ସହାୟତା କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସମାଜ ମଙ୍ଗଳ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ରୁ ବହୁ ସଂଖ୍ୟାରେ ଜନ ପ୍ରତିନିଧି ,ମହିଳା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
