ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ।
କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲ ଡିଜେଲ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ କ୍ରମେ ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.), ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା (ଭା.ପୋ.ସେ.) ଓ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ପଣ୍ଡା ଫୁଏଲସ ରେ ୧୨୮୯୧ ଲିଟର ଡିଜେଲ ଏବଂ ୧୩୨୪୫ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା ।


ସେହିପରି ପ୍ରଧାନ ଫୁଏଲସରେ ୫୦୩୮ ଲିଟର ଡିଜେଲ ଏବଂ ୬୮୮୦ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୫୦୮୨୫ ଲିଟର ଡିଜେଲ ଏବଂ ୬୧୩୯୭୮ ଲିଟର ପେଟ୍ରୋଲ ଗଚ୍ଛିତ ଅଛି । ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଓ ନିୟମିତ ଯୋଗାଣ ଜାରି ରହି ଥିବାରୁ ଜିଲ୍ଲାପାଳ, ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଓ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପ ମାନଙ୍କରେ ଭିଡ ନ ଜମାଇବା ପାଇଁ ଅନୁରୋଧ କରିଥିଲେ। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ – ୧୯୫୫ ଅନୁଯାୟୀ କଠୋର କାର୍ଯାନୁଷ୍ଠାନ ନେବା କୁ ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
