ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ:
ବିଏଲ୍ଓଙ୍କୁ ସହଯୋଗ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ।
* ଅଷ୍ଟମ ଦିନରେ ୧କୋଟି ୯୮ ଲକ୍ଷ ୯୭ହଜାର ୩୩୧ ଜଣ ଭୋଟର ଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ।
* ଆସନ୍ତା ୨୮ ଜୁନ ୨୦୨୬ ର ସମୟସୀମା ପୂର୍ବରୁ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ।
ଭୁବନେଶ୍ୱର, ୦୬ ଜୁନ୍ : ରାଜ୍ୟରେ ଭୋଟର ତାଲିକାର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (ଏସଆଇଆର) ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନାଗରିକଙ୍କ ସହଯୋଗ କାମନା କରିଛନ୍ତି। ବିଶେଷ କରି ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି।
ଯେଉଁ ଯୋଗ୍ୟ ନାଗରିକମାନେ ଏପର୍ଯ୍ୟନ୍ତ ନିଜର ପରିଗଣନା ଫର୍ମ ବୁଥ୍ ସ୍ତରୀୟ ଅଧିକାରୀ ଙ୍କ ପାଖରେ ଦାଖଲ କରିନାହାନ୍ତି, ସେମାନେ ତୁରନ୍ତ ଏହାକୁ ଜମା କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ଦାଖଲ ନକଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି।

ସାଧାରଣ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭୋଟରମାନେ ଚାହିଁଲେ ବିଏଲ୍ଓଙ୍କ ପାଖକୁ ନଯାଇ ସିଧାସଳଖ ଅନଲାଇନ୍ ମାଧ୍ୟମରେ ମଧ୍ୟ ନିଜର ଫର୍ମ ଦାଖଲ କରିପାରିବେ।
ସମସ୍ତ ଯୋଗ୍ୟ ଭୋଟର ନିଜର ବିଏଲ୍ଓ ଙ୍କ ସହ ତୁରନ୍ତ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ତଥ୍ୟ ସହ ପରିଗଣନା ଫର୍ମ ଦାଖଲ କରି ଏହି ପ୍ରକ୍ରିୟାରେ ନିଜର ନାମ ଅନ୍ତର୍ଭୁକ୍ତ ସୁନିଶ୍ଚିତ କରିବାକୁ କୁହାଯାଇଛି।
ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ କିମ୍ବା ଏହି ସମ୍ପର୍କିତ ଯେକୌଣସି ଜନସାଧାରଣ ସୂଚନା ଓ ସହାୟତା ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାଗଣା ହେଲ୍ପଲାଇନ ନମ୍ବର ୧୯୫୦ କୁ କଲ୍ କରି ସବିଶେଷ ସୂଚନା ପାଇପାରିବେ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି (ଶନିବାର) ସନ୍ଧ୍ୟା ୦୬ଟା ସୁଦ୍ଧା ରାଜ୍ୟର ସମୁଦାୟ ୧କୋଟି ୯୮ଲକ୍ଷ ୯୭ହଜାର ୩୩୧ଜଣ ଅର୍ଥାତ ମୋଟ ଭୋଟର ର ୫୯.୫୭ପ୍ରତିଶତ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଣ୍ଟନ କରାଯାଇ ସାରିଛି।
ଏହି ପରିଗଣନା ପ୍ରକ୍ରିୟାକୁ ସହଜ କରିବା ପାଇଁ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରାଯାଉ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ।
ଏହି ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୁଦୂରପ୍ରସାରୀ ଓ ସଫଳ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜ୍ୟର ସମସ୍ତ ବୈଦୁତିକ ଗଣମାଧ୍ୟମ , ପ୍ରିଣ୍ଟ ମିଡ଼ିଆ (ଖବରକାଗଜ), ରେଡ଼ିଓ ଏବଂ ସିନେମା ହଲ୍ ଗୁଡ଼ିକରେ ଏସଆଇଆର ସମ୍ପର୍କିତ ସଚେତନତା ବିଜ୍ଞାପନ ଓ ସୂଚନା ପ୍ରସାରଣ କରାଯାଉଛି।
ଗଣତନ୍ତ୍ରର ଏହି ମହାପର୍ବରେ ନିଜର ଭାଗିଦାରୀ ସାବ୍ୟସ୍ତ କରିବା ସହ କୌଣସି ବି ଯୋଗ୍ୟ ଭୋଟର ଯେପରି ନାମ ପଞ୍ଜୀକରଣରୁ ବଞ୍ଚିତ ନ ହୁଅନ୍ତି,ଅଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି ସେଥିପାଇଁ ସଚେତନ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
