May 21, 2026
Home » ମାନ୍ୟବର ସାଂସଦଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ବର୍ଷା ଜଳ ନିଷ୍କାସନ ନାଳ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ.

ମାନ୍ୟବର ସାଂସଦଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ବର୍ଷା ଜଳ ନିଷ୍କାସନ ନାଳ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ.

0
WhatsApp Image 2026-05-18 at 6.10.13 PM

 

ରାଇରଙ୍ଗପୁର: ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଅଧିନସ୍ଥ ଯଶିପୁର କ୍ଷୁଦ୍ର ଜଳ ସେଚନ ବିଭାଜନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ସ୍ଥିତ ଲିଟିଲ ଫ୍ଲାୱାର ସ୍କୁଲ ନିକଟରେ ରାଇରଙ୍ଗପୁର ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ନାଳର ଉନ୍ନତିକରଣ ପ୍ରକଳ୍ପ ସମ୍ବନ୍ଧିତ ଏକ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ, ମୟୂରଭଞ୍ଜ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ, ରାଇରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ମୁଖ୍ୟଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଭୁବନେଶ୍ୱର ଇଂ. ପୂର୍ଣ୍ଣ ଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ କହିଥିଲେ ଯେ, ରାଇରଙ୍ଗପୁର ସହରରେ ବର୍ଷା ଜଳ ନିଷ୍କାସନକୁ ସୁନିଶ୍ଚିତ କରିବା ସହିତ ବର୍ଜ୍ୟଜଳକୁ ପୁନଃବ୍ୟବହାର କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବର୍ଷା ଦିନେ ଆଉ ପୂର୍ବ ଭଳି ନାଳର ଆବର୍ଜନା ପାଣି ସ୍ଥାନେ ସ୍ଥାନେ ରାସ୍ତା ଉପରକୁ ଆସିବ ନାହିଁ ବା ଜମିବ ନାହିଁ ଏବଂ ସହର ସ୍ୱଚ୍ଛ ରହିବ ।

ଏତଦ ବ୍ୟତୀତ ଜଳ ପ୍ରଦୂଷଣ ରୋକିବା ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ ଭୂମିକା ନେବ ବୋଲି ଆଶାବ୍ୟକ୍ତ କରିଥିଲେ । କାରଣ ନାଳର ବର୍ଜ୍ୟ ଜଳକୁ ଉତ୍ତମ ପରିଚାଳନା ଦ୍ୱାରା ବିଶୋଧନ କରାଯାଇ ନଦୀକୁ ଛଡାଯିବ ଯଦ୍ୱାରା ଏହି ଜଳ ଲୋକମାନଙ୍କ ଦ୍ୱାରା ପୁନଃ ବ୍ୟବହାର ହୋଇପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଆରମ୍ଭ କରାଯାଉଛି ଏବଂ ଏହାକୁ ଅଧିକ ସୁଦୃଢ କରିବା ପାଇଁ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି।ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ନବୀନ ରାମ, ସାଂସଦ ସଂଯୋଜକ ଶ୍ରୀ ମନୋଜ କୁମାର ଦାସ, ଯଶିପୁର କ୍ଷୁଦ୍ର ଜଳ ସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ମାନସ ପ୍ରଧାନ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଂସଦା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ରାଇରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଗର ବିଭଗୀୟ ଅଧିକାରୀ, ପୌର କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ, ସ୍ଥାନୀୟ ଅଂଚଳର ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *