ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ
ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ ହେବେ ଶ୍ରୀ ଛତ୍ରପତି ସାହୁ
ନବରଙ୍ଗପୁର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (Mukhyamantri Shiksha Puraskar–MSP) ଅଧୀନରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ କରାଯିବ। ଏଥିସହ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁଙ୍କୁ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ କରାଯିବ।
ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଅହରହ ଚେଷ୍ଟା ଓ ଦୂରଦର୍ଶୀ ନେତୃତ୍ୱ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନବରଙ୍ଗପୁର ଡଃ ମହେଶ୍ୱର ସ୍ୱାଇଁଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ।ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ପବିତ୍ର ଶିକ୍ଷକ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ଷ୍ଟେଟ୍ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଦ୍ୱାରା ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯିବ।

ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି, ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି, ବିଦ୍ୟାଳୟ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ସମନ୍ୱିତ ପ୍ରୟାସର ଏହି ସ୍ୱୀକୃତି ମିଳିଛି।
ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିରନ୍ତର ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଆସୁଛି। ବିଦ୍ୟାଳୟରେ ଶିକ୍ଷଣ ପରିବେଶର ଉନ୍ନତି, ଶିକ୍ଷାର୍ଥୀଙ୍କ ଉପସ୍ଥାନ ଓ ଶିକ୍ଷଣ ଫଳାଫଳରେ ଉନ୍ନତି, ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଏବଂ ବିଦ୍ୟାଳୟ ଭିତ୍ତିଭୂମିର ସୁଦୃଢ଼ୀକରଣ ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି।
ଏହି ସଫଳତା ପଛରେ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁଙ୍କ ଦୂରଦର୍ଶୀ ନେତୃତ୍ୱ, ଦକ୍ଷ ମାର୍ଗଦର୍ଶନ, ନିରନ୍ତର ପ୍ରୋତ୍ସାହନ ଓ ଅକୁଣ୍ଠ ସହଯୋଗ ଗୁରୁତ୍ୱପୂର୍ଣ୍ଣ ରହିଛି। ତାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଶିକ୍ଷା କ୍ଷେତ୍ରର ବିକାଶ ଓ ଗୁଣାତ୍ମକ ଉନ୍ନତି ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛି।
ଏଥିସହ ଜିଲ୍ଲାର ସମସ୍ତ *ଜିଲ୍ଲାସ୍ତରୀୟ ଅଧିକାରୀ (DLO)*ଙ୍କ ସହଯୋଗ, ସମନ୍ୱୟ ଓ ସାମୂହିକ ପ୍ରୟାସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି। ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ରହିଥିବା ସମନ୍ୱୟ ଓ ସହଯୋଗ ଏହି ସଫଳତାରେ ସହାୟକ ହୋଇଛି।
ଏହି ସଫଳତାରେ ଜିଲ୍ଲାର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷା କ୍ଷେତ୍ର ସହ ସଂପୃକ୍ତ ସମସ୍ତ ଅଂଶୀଦାରଙ୍କ ଅବଦାନ ରହିଛି। ସେମାନଙ୍କର ନିଷ୍ଠାପୂର୍ଣ୍ଣ ପ୍ରୟାସ ଓ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଭାର ପ୍ରକାଶ କରାଯାଇଛି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଭାବେ ମିଳିଥିବା ଏହି ସ୍ୱୀକୃତି ସମଗ୍ର ଜିଲ୍ଲା ପାଇଁ ଗୌରବର ବିଷୟ। ଏହା ଆଗାମୀ ଦିନରେ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଅଧିକ ପ୍ରେରଣା ଯୋଗାଇବ।
ଏହି ଗୌରବମୟ ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲା, ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଏବଂ ଶିକ୍ଷା ବିଭାଗ ର ଅଧିକାରୀ,ଶିକ୍ଷକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
