October 10, 2024
Home » ମେଣ୍ଡାରେ ବଢୁଛି ବିଷାକ୍ତ ମଦ ଓ ଜୁଆ ଖେଳ,ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିରବ

ମେଣ୍ଡାରେ ବଢୁଛି ବିଷାକ୍ତ ମଦ ଓ ଜୁଆ ଖେଳ,ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିରବ

0

 

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ଥାନା ଅଧୀନରେ ଥିବା କେତେକ ଗାଁ ମାନଙ୍କରେ ଦିନ ଦ୍ବିପହରରେ ଖୁଲୁମଖୁଲା ବିକ୍ରି ହେଉଛି ବିଷାକ୍ତ ମଦ। ଯେତେ ଅଭିଯୋଗ ହେଲେବି କିଛି ଫରକ ପଡୁନାହିଁ ମଦ ବିକ୍ରେତାଙ୍କୁ । ସେହିପରି ଗ୍ରାମାଞ୍ଚଳରେ ବିଷାକ୍ତ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମରେ ବେକାର ଯୁବଗୋଷ୍ଠୀ ଏବେ କର୍ମ ବିମୁଖ ହୋଇ ନିଶାଡି ପାଲଟିଲେଣି। ଫଳରେ ଗ୍ରାମ ମାନଙ୍କରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ବେଳେ ପୁଲିସ ପ୍ରଶାସନ ଏ ଦିଗରେ ନିରବ ପାଲଟିଛି। ତରଭା ବ୍ଲକର ମେଣ୍ଡା ଥାନା ଅନ୍ତର୍ଗତ କେତେକ ଗ୍ରାମରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ବିଶେଷକରି ପନିପରିବା ଚାଷ ପାଇଁ ସାରା ଜିଲ୍ଲାରେ ନାଁ କରିଥିବା ବେଳେ ଏହି ଅଞ୍ଚଳ ଏବେ ମଦ ପାଇଁ ଦୁର୍ନାମ ମୁଣ୍ଡାଇଛି। କାମ ମିଳୁନଥିବାରୁ କମ୍ ସମୟରେ ପ୍ରଚୁର ଅର୍ଥ ଉପାର୍ଜନ କରିବା ଆଶାରେ ଉଭୟ ଯୁବକ ଓ ବୃଦ୍ଧମାନେ ବେଆଇନ ( ଜୁଆ) ଖେଳୁଛନ୍ତି। ଏଠାରେ ଥିବା କିଛି ଅସାମାଜିକ ବ୍ୟକ୍ତି ଓ ଅସାଧୁ ପୁଲିସ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଦିନ ଦ୍ବିପହରରେ ଖୁଲାମଖୁଲି ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏପରିକି ବିଷାକ୍ତ ମଦ ବେଧଡକ ବିକ୍ରି ହେଉଥିବା ବେଳେ ଏଥିପାଇଁ ଅନେକ ପରିବାର ସର୍ବସ୍ବାନ୍ତ ହୋଇସାରିଥିବା ଜଣାଯାଇଛି। ଜୁଆ ଖେଳରେ ଯୁବ ବର୍ଗ ସାମିଲ ହେଉଥିବା ବେଳେ ଚାଷୀ ଓ ଦିନ ମଜୁରିଆ ମାନେ ସେଥିରେ ସାମିଲ ହେଉଛନ୍ତି। ପ୍ରତ୍ୟହ ହଜାର ହଜାର ଟଙ୍କାର କାରବାର ହେଉଛି।‌ ଏଥିରେ ସଂପୃକ୍ତ ଜୁଆ ଓ ମଦ ବେପାରୀ ମାଲାମାଲ ହେଉଥିବା ବେଳେ ଟଙ୍କା ବିନିଯୋଗ କରୁଥିବା ଲୋକେ କ୍ଷତି ସହୁଛନ୍ତି। ଏଣୁ ଆର୍ଥିକ ଅଭାବ ଯୋଗୁଁ ଶେଷରେ ନିଶାପାନ କରୁଛନ୍ତି। ଯାହା ଫଳରେ ଉକ୍ତ ଅଞ୍ଚଳରେ ଛୋଟ ବଡ ଚୋରି କାରବାର ବଢୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ, ଗ୍ରାମ ମାନଙ୍କରେ ବେଆଇନ ମଦ କାରବାର ବୃଦ୍ଧି ପାଇଛି। ଆଖପାଖ ଅଞ୍ଚଳରୁ ବେଆଇନ ବିଷାକ୍ତ ରନ୍ଧା ମଦ ଆସୁଛି। ଲୋକେ ଶସ୍ତାରେ ଅଧିକ ନିଶା ଲୋଭରେ ବେଆଇନ ମଦ ପିଇ ମାତାଲ୍ ହେଉଛନ୍ତି। ଏପରିକି ଗାଁ ରେ କୁଚିଆ ମଦ କାରବାର ହେଉଛି।‌ ଫଲରେ ଏଭଳି ବିଷାକ୍ତ ମଦ ପିଇ ଏକ ମାସ ମଧ୍ୟରେ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଅଧିକାଂଶ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ନଜର ରହିଛି। ତଥାପି ଗାଁ ରେ ବେଆଇନ ମଦ କାରବାର ଉପରେ ରୋକ ଲାଗି ପାରୁନି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣରେ ଦାବି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *