August 21, 2026
Home » ଯୋଗର ଯୁଗଦ୍ରଷ୍ଟା ପୂଜ୍ୟ ପ୍ରକାଶ ଲାଲ ଜୀଙ୍କ  ୧୭ତମ ପୁଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

ଯୋଗର ଯୁଗଦ୍ରଷ୍ଟା ପୂଜ୍ୟ ପ୍ରକାଶ ଲାଲ ଜୀଙ୍କ  ୧୭ତମ ପୁଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

0
WhatsApp Image 2026-07-30 at 3.14.24 PM
ଭୁବନେଶ୍ୱର : ଯୋଗର ଯୁଗଦ୍ରଷ୍ଟା, ଭାରତୀୟ ଯୋଗ  ସଂସ୍ଥାନର  ପ୍ରତିଷ୍ଠାତା , ପୂଜ୍ୟ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ୧୭ତମ ପୁଣ୍ୟତିଥି (ସ୍ମୃତି ଦିବସ) ଅବସରରେ ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶାର ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ଏକ ଭାବପୂର୍ଣ୍ଣ  ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ଜିଲ୍ଲା ଗଭର୍ଣ୍ଣର ତଥା ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ର ଅବସର ପ୍ରାପ୍ତ ବୈଜ୍ଞାନିକ ଡାକ୍ତର ହେମନ୍ତ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରିତା ଉପରେ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ । ଭଜନ ପରିବେଷଣ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପରେ ପ୍ରଦୀପ ପ୍ରଜ୍ୱଳନ ସହ ସମବେତ ସ୍ୱରରେ ଗାୟତ୍ରୀ ମନ୍ତ୍ର ଓ ସରସ୍ୱତୀ ବନ୍ଦନା ପରିବେଷଣ କରାଯାଇଥିଲା । ଏହାପରେ ଉପସ୍ଥିତ ସଦସ୍ୟ ସଦସ୍ୟାମାନଙ୍କ ଦ୍ୱାରା କେତେକ  ଯୋଗାସନ ଓ ପ୍ରାଣାୟାମର ଅଭ୍ୟାସ କରାଯାଇଥିଲା ।
ସଭାରେ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ଜୀବନୀ, ଯୋଗ କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ, ସମାଜ ପ୍ରତି ତାଙ୍କର ନିଃସ୍ୱାର୍ଥ ସେବା, ଭାରତୀୟ ସଂସ୍କୃତି ଓ ଐତିହ୍ୟ ପ୍ରତି ତାଙ୍କର ଗଭୀର  ଆସ୍ଥା ଏବଂ ଉଚ୍ଚକୋଟୀର ଆଦର୍ଶ ଗୁଣାବଳୀ ସମ୍ପର୍କରେ ବକ୍ତାମାନେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ନୟାପଲ୍ଲୀ ଜିଲ୍ଲାର ସଂଗଠନ ମନ୍ତ୍ରୀ ଶ୍ରୀମତୀ ମମତା ଦାଶ ପ୍ରକାଶ ଲାଲ ଜୀ ଙ୍କ ଜୀବନ ଓ ଆଦର୍ଶକୁ ଆଧାର କରି ରଚିତ ଏକ ସ୍ୱରଚିତ କବିତା ପାଠ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ।ଏହି ଶ୍ରଦ୍ଧାଞ୍ଜଳି ସଭା ମାଧ୍ୟମରେ ଉପସ୍ଥିତ ସଦସ୍ୟମାନେ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ଆଦର୍ଶମୟ ଜୀବନରୁ ପ୍ରେରଣା ଗ୍ରହଣ କରିବା ସହ ଯୋଗକୁ ଘରେ ଘରେ ପହଞ୍ଚାଇ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାର ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପବଦ୍ଧ  ହୋଇଥିଲେ । ଏଭଳି ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ଓ ସ୍ମୃତି ସମାଜକୁ ସୁସ୍ଥ, ସୁନ୍ଦର ଓ ସଂସ୍କାରମୟ ଜୀବନ ଦିଗରେ ଅଗ୍ରସର କରିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ । ଏହି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ସଭାରେ ନୟାପଲ୍ଲୀ ଯୋଗ ଜିଲ୍ଲାର ପ୍ରଧାନ ଶ୍ରୀ ଜ୍ୟୋତିର୍ମୟ ରଥ, ଜିଲ୍ଲା ମନ୍ତ୍ରୀ ଶ୍ରୀ ରାମ କିଶୋର ଶର୍ମା, ଜିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀମତୀ ମମତା ଦାଶ ଏବଂ କ୍ଷେତ୍ର ପ୍ରଧାନ ଶ୍ରୀମତୀ ପୁଷ୍ପିତା ପଣ୍ଡା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ସୁନ୍ଦର ଓ ସୁଚାରୁ ଭାବେ ସଞ୍ଚାଳନ କରିଥିଲେ ।ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ସଦସ୍ୟା, ରାମଧୂନ୍  ପରିବେଷଣ ପୂର୍ବକ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଆଦର୍ଶକୁ ଅନୁସରଣ କରି ସୁସ୍ଥ, ସଚେତନ ଓ ଯୋଗମୟ ସମାଜ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।