ରାଜ୍ୟସ୍ତରୀୟ କ୍ରିକେଟ୍ରେ କେନ୍ଦୁଝର ଚାମ୍ପିୟନ
କ୍ରମାଗତ ବିଜୟ ସହ ୧୭ ବର୍ଷରୁ କମ୍ ବାଳକ ବିଭାଗରେ କେନ୍ଦୁଝର ଜିଲ୍ଲାର ଐତିହାସିକ ସଫଳତା
କେନ୍ଦୁଝର,: ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା କ୍ରିକେଟ୍ ପ୍ରତିଯୋଗିତାର ୧୭ ବର୍ଷରୁ କମ୍ ବାଳକ ବିଭାଗରେ କେନ୍ଦୁଝର ଜିଲ୍ଲା ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗତକାଲି କଟକ ଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ କେନ୍ଦୁଝର ଦଳ ବାଲେଶ୍ୱର ଜିଲ୍ଲା ଦଳକୁ ୪ ୱିକେଟ୍ରେ ପରାସ୍ତ କରି ଏହି ଗୌରବମୟ ସଫଳତା ହାସଲ କରିଛି।ପ୍ରତିଯୋଗିତା ଆରମ୍ଭରୁ ଉନ୍ନତ ଖେଳ ପ୍ରଦର୍ଶନ କରି ଆସୁଥିବା କେନ୍ଦୁଝର ଦଳ କ୍ରମାଗତ ବିଜୟ ହାସଲ କରି ନିଜର ଦକ୍ଷତା, ଶୃଙ୍ଖଳା ଓ ଦଳଗତ ଏକତାର ପରିଚୟ ଦେଇଥିଲା। ଫାଇନାଲ୍ ମ୍ୟାଚ୍ରେ ମଧ୍ୟ ଖେଳାଳିମାନେ ଉତ୍କୃଷ୍ଟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ବିଜୟ ମୁକୁଟ ହାସଲ କରିଥିଲେ।


କେନ୍ଦୁଝର ଦଳର ଏହି ଉଲ୍ଲେଖନୀୟ ସଫଳତା ପଛରେ ପ୍ରଶିକ୍ଷକ ସମରଜିତ୍ ସିଂହଙ୍କ ନିରନ୍ତର ପ୍ରଚେଷ୍ଟା, ଉପଯୁକ୍ତ ମାର୍ଗଦର୍ଶନ ଓ ଯୋଜନାବଦ୍ଧ ପ୍ରଶିକ୍ଷଣର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏଥିସହ ଖେଳାଳିମାନଙ୍କ କଠିନ ପରିଶ୍ରମ, ଦୃଢ଼ ମନୋବଳ ଓ ସମର୍ପଣ ଭାବନା ଦଳକୁ ଏହି ସଫଳତାର ଶୀର୍ଷରେ ପହଞ୍ଚାଇଛି। କେନ୍ଦୁଝରର ଏହି ବିରାଟ ସଫଳତା ପରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ବିଜେତା ଦଳର ସମସ୍ତ ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ସେମାନଙ୍କ କଠିନ ପରିଶ୍ରମର ଫଳ ବୋଲି ପ୍ରକାଶ କରିବା ସହ ଯୁବ ଖେଳାଳି ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l
କେନ୍ଦୁଝର ଜିଲ୍ଲାର ଏହି ଐତିହାସିକ ବିଜୟକୁ ନେଇ ଜିଲ୍ଲାର କ୍ରୀଡ଼ାପ୍ରେମୀ, ଅଭିଭାବକ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ଖେଳିଯାଇଛି। ଏହି ସଫଳତା ଜିଲ୍ଲାର ବିଦ୍ୟାଳୟସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବା ସହ ଆଗାମୀ ଦିନରେ ଅନେକ ଯୁବ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ଠାରୁ ପ୍ରକାଶ l
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
