November 12, 2026
Home » ଶ୍ରୀକ୍ଷେତ୍ରରେ ରାଜ୍ୟସ୍ତରୀୟ ହବିଷ୍ୟାଳୀ ସମାରୋହରେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ରରେ ରାଜ୍ୟସ୍ତରୀୟ ହବିଷ୍ୟାଳୀ ସମାରୋହରେ ମୁଖ୍ୟମନ୍ତ୍ରୀ

0
WhatsApp Image 2026-11-12 at 5.16.48 AM

ଭୁବନେଶ୍ୱର/ପୁରୀ:କାର୍ତ୍ତିକ ବ୍ରତ କେବଳ ଏକ ଧର୍ମୀୟ ଅନୁଷ୍ଠାନ କିମ୍ବା କାର୍ଯ୍ୟକ୍ରମ ନୁହେଁ, ଏହା ଆମ ମା’ମାନଙ୍କର ସହନଶୀଳତାର ପ୍ରତୀକ। ରାଜ୍ୟର ଅଧା ଜନସଂଖ୍ୟା ହେଉଛନ୍ତି ମହିଳା, ତେଣୁ ପ୍ରତ୍ୟେକ ବର୍ଗର ମହିଳାଙ୍କ ବିକାଶ ଓ ସଶକ୍ତିକରଣ ପାଇଁ ଆମ ସରକାର ପ୍ରଥମ ଦିନରୁ ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ ହବିଷ୍ୟାଳୀ ମା’ ମାନଙ୍କ ସମାରୋହରେ ଯୋଗଦେଇ ଏହି ବଳିଷ୍ଠ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।ପବିତ୍ର କାର୍ତ୍ତିକ ମାସର ଅମୃତମୟ ବେଳାରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆସିଥିବା ୨୬୫୮ ଜଣ ହବିଷ୍ୟାଳୀ ମା’ ଓ ମାଉସୀ ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାର୍ତ୍ତିକ ବ୍ରତ ହେଉଛି ଆତ୍ମଶୁଦ୍ଧି, ତ୍ୟାଗ, ସମର୍ପଣ ଏବଂ ଭକ୍ତିର ଏକ ଅପୂର୍ବ ସଙ୍ଗମ।

ପୂର୍ବରୁ ମା’ମାନେ ବିଭିନ୍ନ ଅସୁବିଧା ଭିତରେ ମଠ ଓ ଧର୍ମଶାଳାରେ ରହି ବ୍ରତ ପାଳନ କରୁଥିଲେ, କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ସୁରକ୍ଷିତ ଏବଂ ଆରାମଦାୟକ ବ୍ୟବସ୍ଥା କରାଯାଇଛି।ହବିଷ୍ୟାଳୀ ବ୍ରତର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, “ଆମ ଓଡ଼ିଶାରେ ସଂସ୍କୃତି, ପରମ୍ପରା ଏବଂ ଆଧ୍ୟାତ୍ମିକ ଚେତନା ସହିତ କାର୍ତ୍ତିକ ମାସର ନିବିଡ଼ ସମ୍ପର୍କ ରହିଛି। ଏହି ମାସ ହେଉଛି ଆତ୍ମଶୁଦ୍ଧି, ତ୍ୟାଗ, ସମର୍ପଣ ଏବଂ ଭକ୍ତିର ଏକ ଅପୂର୍ବ ସଙ୍ଗମ। କାର୍ତ୍ତିକ ବ୍ରତ ମାହାତ୍ମ୍ୟରେ କୁହାଯାଇଛି ଯେତେ ତୀର୍ଥ, ଯେତେ ଯାଗଯଜ୍ଞ ଇତ୍ୟାଦି ଅଛି, ସେସବୁର ଧର୍ମକୁ ଏକାଠି କଲେ କାର୍ତ୍ତିକ ବ୍ରତ ସହିତ ସମାନ ହେବ ନାହିଁ।ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଭାରତ ବର୍ଷର ସବୁ ତୀର୍ଥ ସ୍ଥଳୀରୁ ଅନନ୍ୟ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ। ଆଗରୁ ନିଜ ସୁବିଧା ଅନୁସାରେ ମା’ମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ଧର୍ମଶାଳା ଇତ୍ୟାଦିରେ ରହି କଷ୍ଟରେ ବ୍ରତ ପାଳନ କରୁଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ରାଇଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ ନାମରେ ମା’ମାନଙ୍କ ପାଇଁ ସୁରୁଖୁରୁରେ ଏହି ବ୍ରତ ପାଳନ କରିବା ପାଇଁ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ବିନା ମୂଲ୍ୟରେ କରାଯାଇଛି।ସୂଚନା ଯୋଗ୍ୟଯେ ଚଳିତ ବର୍ଷ ବୃନ୍ଦାବତୀ ନିବାସ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଏବଂ ମୋଚି ସାହି କଲ୍ୟାଣ ମଣ୍ଡପଠାରେ ହବିଷ୍ୟାଳୀମାନଙ୍କ ରହିବା, ମହାପ୍ରସାଦ ସେବନ, ପ୍ରତି ସନ୍ଧ୍ୟାରେ ଭଜନ-ପ୍ରବଚନ ଏବଂ ମାଗଣା ବ୍ରତ ସରଞ୍ଜାମ (ଶାଢ଼ୀ, ଜପାମାଳୀ, ବ୍ରତ ବହି, ଉତ୍ତରୀୟ ଓ ଶୁଖିଲା ଭୋଗ) କିଟ୍ ବ୍ୟାଗ ପ୍ରଦାନ ପାଇଁ ୩ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟବସ୍ଥା କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କ ସହ କଥାବାର୍ତ୍ତା ହେବା ସହିତ ସେମାନଙ୍କ ସମସ୍ତ ସୁବିଧା, ରହିବା ବ୍ୟବସ୍ଥା ବିଷୟରେ ବୁଝିଥିଲେ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ଏକ କୋଟିରୁ ଅଧିକ ମହିଳା ବାର୍ଷିକ ୧୦,୦୦୦ ଟଙ୍କା ପାଉଛନ୍ତି। ଏହାସହିତ ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶାର ପ୍ରାୟ ୨୭ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇ ସାରା ଦେଶରେ ରାଜ୍ୟକୁ ଶୀର୍ଷରେ ରଖିଛନ୍ତି। ଚଳିତ ରାଜ୍ୟ ବଜେଟର ପ୍ରାୟ ୪୦ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କା କେବଳ ମହିଳାମାନଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ରଖାଯାଇଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବରିଷ୍ଠ ନାଗରିକମାନଙ୍କ ଜଗନ୍ନାଥ ଦର୍ଶନର ସ୍ୱପ୍ନକୁ ସାକାର କରିବା ପାଇଁ ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’ ଜରିଆରେ ଜିଲ୍ଲାଗୁଡ଼ିକରୁ ଏସି ବସରେ ବରିଷ୍ଠ ନାଗରିକଙ୍କୁ ଆଣି ଦର୍ଶନ ଓ ମହାପ୍ରସାଦ ସେବନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଏଥିସହିତ, ‘ମଧୁବାବୁ ପେନସନ ଯୋଜନା’ର ସେଚୁରେଶନ୍ କାର୍ଯ୍ୟକ୍ରମ ଅଧୀନରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଯେକୌଣସି ଯୋଗ୍ୟ ବ୍ୟକ୍ତି ଆବେଦନ କଲେ, ସେମାନେ ବ୍ରତ ସାରି ଘରେ ପହଞ୍ଚିବା ବେଳକୁ ସାମାଜିକ ସୁରକ୍ଷା ଭତ୍ତା ପାଇପାରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବିରାଶତ ଭି’ ମଡେଲକୁ ପାଥେୟ କରି ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ, ପୁରୀଠାରେ ବିଶ୍ୱସ୍ତରୀୟ ମ୍ୟୁଜିୟମ ଓ ରିସର୍ଚ୍ଚ ସେଣ୍ଟର ସ୍ଥାପନ ଏବଂ ପୁରୀକୁ ମହାନଗର ନିଗମରେ ପରିଣତ କରି ଏକ ବିଶ୍ୱସ୍ତରୀୟ ଧର୍ମୀୟ-ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଉକ୍ତ ସମାରୋହରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର ସୁରୁଖୁରୁରେ ସମସ୍ତ ବ୍ୟବସ୍ଥା ସମ୍ପାଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।କାର୍ଯ୍ୟକ୍ରମ ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ କୁମାର ପାଢ଼ୀ, କେନ୍ଦ୍ରାଞ୍ଚଳ ଆଇଜି ଡ ସତ୍ୟଜିତ ନାୟକ, ଏସ ପି ପ୍ରତୀକ ସିଂ ଯୋଗ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *