ସମ୍ବଲପୁରୀ ମହାଭାରତର ପ୍ରକାଶନ ଦାୟିତ୍ୱ ସରକାର ନିଅନ୍ତୁ
ଫି ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ/ସୋହେଲା : ଅନ୍ୟ ଭାଷା ସାହିତ୍ୟ ଭଳି ସମ୍ବଲପୁରୀରେ ମଧ୍ୟ ରାମାୟଣ, ମହାଭାରତ, ଭାଗବତ ଆଦି ମହାକାବ୍ୟ ସୄଷ୍ଟି ହୋଇସାରିଛି । ଏହି କ୍ରମରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ରଚିତ ସମ୍ବଲପୁରୀ ମହାଭାରତ ତାର ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି । ଦଶ ହଜାରରୁ ଉର୍ଦ୍ଧ୍ଵ ପୃଷ୍ଠା ସମ୍ବଳିତ ଉକ୍ତ ମହାନ ଗ୍ରନ୍ଥ, ଯାହା ବିଶ୍ୱର ସର୍ବ ବୃହତ ପୁସ୍ତକ ରୂପେ ମାନ୍ୟତା ପାଇବ, ତାହାରି ପ୍ରକାଶନ ସରକାରୀ ଉଦ୍ୟମରେ ହେଉ ଏବଂ ସୁଲଭ ମୂଲ୍ୟରେ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ । ଏଥିପାଇଁ ବରଗଡ଼ ସାଂସଦ ମାନ୍ୟବର ପ୍ରଦୀପ କୁମାର ପୁରୋହିତ ଏବଂ ଜିଲ୍ଲାର ସମସ୍ତ ବିଧାୟକ ପ୍ରଚେଷ୍ଟା କରନ୍ତୁ ବୋଲି, ସୋହେଲା ନିକଟସ୍ଥ ଡୁମ୍ବେରପାଲିଠାରେ ଆୟୋଜିତ ସାରସ୍ୱତ ସମାବେଶରେ ମତ ପ୍ରକାଶ ପାଇଛି । ସମ୍ବଲପୁରୀ ସାହିତ୍ୟ ପରିଷଦ, ବରଗଡ଼ ପକ୍ଷରୁ ନିୟମିତ ଭାବେ ପ୍ରତି ମାସ ଅନୁଷ୍ଠିତ ହେଉଥିବା “ଫି ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ “କାର୍ଯ୍ୟକ୍ରମ, ଭାଗବତ ପରିଷଦ, ଡୁମ୍ବେରପାଲିର ସହଯୋଗରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରିଷଦର ସାଧାରଣ ସମ୍ପାଦକ ଗବେଷକ ଉତ୍ପନ୍ନ କୁମାର ଭୋଇଙ୍କ ତତ୍ତ୍ୱାବଧାନ ଓ କଥାକାର ଡ ସୁବାସ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଅତିଥି ଭାବେ ବିପ୍ଲବୀ କବି ପରମେଶ୍ୱର ବାଗ, କାବ୍ୟକlର ମୁକ୍ତକଣ୍ଠ ପ୍ରଧାନ, କବି ଗୌରଚରଣ ପ୍ରଧାନ ଓ ସାହିତ୍ୟିକ ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାରସ୍ୱତ ପ୍ରେମୀମାନଙ୍କ ଉପସ୍ଥିତିରେ ପାଳିତ ଏହି କାର୍ଯ୍ୟକ୍ରମରେ ସଂଗଠକ ଦିଲ୍ଲୀପ କୁମାର ଦେବତା ସ୍ୱାଗତ ଭାଷଣ, କବି ଲଳିତ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ, କଥାକାର ତେଜରୁ ବାରିକ ଅତିଥି ପରିଚୟ ପ୍ରଦାନ ଓ କଣ୍ଠଶିଳ୍ପୀ ଦୁର୍ବାଦଳ ମେହେର ଦେବୀ ବନ୍ଦନା ଗାନ କରିଥିଲେ । ପ୍ରାରମ୍ଭରୁ ମାଁ ସମଲେଇଙ୍କ ପୂଜାର୍ଚ୍ଚନା ସହ ଦିବଙ୍ଗତ ପ୍ରତିଭା କୋଶଲି ରାମାୟଣର ସ୍ରଷ୍ଟା ଇନ୍ଦ୍ରମଣି ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣପୂର୍ବକ ତାଙ୍କର ରଚନା ସମ୍ଭାର ଉପରେ ଆଲୋଚନା କରାଯାଇଥିଲା । ସେପ୍ଟେମ୍ବର ମାସରେ ଜନ୍ମିତ ତଥା ସମାବେଶକୁ ଆମନ୍ତ୍ରିତ ହୋଇଥିବା କବି ସୁରେଶ ଚନ୍ଦ୍ର ଭୋଇ, ଫଣୀନ୍ଦ୍ର ଠେଲା, ବିମଳ ଡନସନା ପ୍ରମୁଖଙ୍କ ଜନ୍ମଦିନ ପାଳନପୂର୍ବକ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ସହ ଶୁଭ କାମନା କରାଯାଇଥିଲା । ଏହି ଅବସରରେ ସମଲପୁରୀ ଗୁଛାର ସଂସ୍ଥାପକ ଶିବ ଶଙ୍କର ପୂଜାରୀଙ୍କୁ “ଭାସାର ଧରସା ” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବି ସମ୍ମିଳନୀରେ କ୍ରାନ୍ତିକବି ହରିଲାଲ ସାହୁ, କବି ଅଧିକାରୀ ସା, ରେଣୁକା ପରଡ଼ିଆ, ଅହଲ୍ୟା ପ୍ରଧାନ, ଦିଲୀପ ସାହୁ, ସୁଶାନ୍ତ ଭୋଇ, ଲଳିତ ବାରିକ, କୁମୁଦ ବାରିକ, ମାନସ ଦାଶ, ଜଗତ ଜୀବନ ରାମ ଡନସନା, ବନମାଳୀ ସାହୁ, ସୁଶାନ୍ତ ସାହୁ, ଧନେଶ୍ୱର ବିଶି, ମାଲଖୁଲୁ ହରିପାଲ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରି ଶ୍ରୋତା ମଣ୍ଡଳୀଙ୍କୁ ବିମୋହିତ କରିଥିଲେ । ଶିକ୍ଷାବିତ ଗିରିଜା ଶଙ୍କର ଆଚାର୍ଯ୍ୟ, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ, ଅଧ୍ୟାପକ ସୁକୁମାର ଭୋଇ, ସ୍ତମ୍ଭକାର ରଞ୍ଜନ ପଣ୍ଡା, ସଂଗଠକ ନାରାୟଣ ସାହୁ, ଶିଶୁ ସାହିତ୍ୟିକ ବିକାଶ ଚନ୍ଦ୍ର ସାହୁଙ୍କ ସମେତ ଡୁମ୍ବେରପାଲି ତଥା ଆଖ ପାଖ ଅଂଚଳର ଜନସାଧାରଣ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ସଂଗଠକ ଉମେଶ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,
