ସାନ ପୋଡ଼ାଗୁଡ଼ା କ୍ଲଷ୍ଟରରେ ସୁରଭି ଶିଶୁ ମହୋତ୍ସବ, ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ
କୋକସରା: ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚୋର୍ଣ୍ଣିଦ୍ୱାରଠାରେ ସାନପୋଡ଼ାଗୁଡ଼ା କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।
ସିଆରସିସି ଚମ୍ପେଶ୍ୱର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ପ୍ରଧାନଶିକ୍ଷକ ମହେଶ୍ୱର ପୂଝାରୀ ସଭାପତିତ୍ୱ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୂଝାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମନ୍ତ ଧରୁଆ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷୀରସିନ୍ଧୁ ନାଏକ ଅତିଥି ଭାବେ ମଞ୍ଚାସୀନ ଥିଲେ।ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଚନା, ସଙ୍ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ନିଜର କଳା, ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।
ପୁରସ୍କାର ବିତରଣ ଉତ୍ସବରେ ବିଆରସିସି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ ପାଢ଼ୀ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ଓ ଅଜୟ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଥୁଟିବରର ପ୍ରଧାନଶିକ୍ଷକ ଦୀନବନ୍ଧୁ ନାଏକ କାର୍ଯ୍ୟକ୍ରମର ଇଭେଣ୍ଟ ଇନ୍ଚାର୍ଜ ଦାୟିତ୍ୱ ତୁଲାଇଥିଲେ।ଏହି ମହୋତ୍ସବରେ ପ୍ରଧାନଶିକ୍ଷକ ମହାବୀର ରଣା, ମଳୟ ଭୋଇ, ଧନମତି ଶବର, ବବିତା ମାଝୀ, ମନୋଜ କୁମାର ମାଝୀ, ରାଜାରାମ ପାଣିଗ୍ରାହୀ,ରଞ୍ଜିତ ନାଏକଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ମହୋତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ l
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
