November 28, 2026
Home » ଆମ କଳାକାର’ ପୋର୍ଟାଲ ପାଇଁ ନୟାଗଡ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଶେଷ ।

ଆମ କଳାକାର’ ପୋର୍ଟାଲ ପାଇଁ ନୟାଗଡ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଶେଷ ।

0
1001410799
  “୭ ଦିନରେ ୪୬୦ ସାଂସ୍କୃତିକ ଦଳର ୫୫୦୦ରୁ ଉର୍ଦ୍ଧ୍ୱ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ”
ନୟାଗଡ଼, ( ଇପିଏ ) ନୟାଗଡ ଜିଲ୍ଲାର କଳା, ସଂସ୍କୃତି ଓ ପାରମ୍ପରିକ ଲୋକକଳାକୁ ନୂତନ ପରିଚୟ ଦେବା ସହ କଳାକାରମାନଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଆମ କଳାକାର’ ପୋର୍ଟାଲରେ ପଞ୍ଜୀକୃତ ସାଂସ୍କୃତିକ ଦଳଙ୍କ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଦୀର୍ଘ ୭ ଦିନ ଧରି ଚାଲିଥିବା ଏହି ଚୟନ ପ୍ରକ୍ରିୟାରେ ୪୬୦ଟି ସାଂସ୍କୃତିକ ଦଳର ୫୫୦୦ରୁ ଉର୍ଦ୍ଧ୍ୱ କଳାକାର ଯୋଗଦେଇ ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ କରାଯାଇଥିବାବେଳେ ସାଂସ୍କୃତିକ ଦଳଗୁଡ଼ିକର ପଞ୍ଜୀକରଣ ପାଇଁ ୧୫ ଅଗଷ୍ଟରୁ ୧୬ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। ଏହି ସମୟ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ପଞ୍ଜୀକୃତ ଦଳଗୁଡ଼ିକର କଳାତ୍ମକ ଦକ୍ଷତା ଓ ପ୍ରଦର୍ଶନର ମୂଲ୍ୟାୟନ ପାଇଁ ଜିଲ୍ଲାସ୍ତରରେ ଚୟନ ପ୍ରକ୍ରିୟା ଆୟୋଜନ କରାଯାଇଥିଲା। ଖଣ୍ଡପଡ଼ା ରୋଡ ସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଏବଂ ରୋଟାରି କ୍ଲବ, ନୟାଗଡ଼ଠାରେ ଗତ ନଭେମ୍ବର ୧୭ ରୁ ଆରମ୍ଭ ହୋଇଥିବା ଏହି ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ମୋଟ ୭ ଦିନ ଧରି ଚାଲିବା ପରେ ନଭେମ୍ବର ୨୬ରେ ଶେଷ ହୋଇଛି l
ଏହି ଚୟନ ପ୍ରକ୍ରିୟାରେ ଜିଲ୍ଲାର ପାରମ୍ପରିକ ଲୋକକଳାଠାରୁ ଆରମ୍ଭ କରି ଓଡ଼ିଶୀ, ଗୀତିନାଟ୍ୟ, ରାମଲୀଳା, ଭାରତଲୀଳା, ଘୁଡ଼ୁକି, ପାଲା, ଦାସକାଠିଆ, ଦଣ୍ଡନାଚ, ଭଜନ ସଙ୍ଗୀତ, ସୁଗମ ସଙ୍ଗୀତ, ସଙ୍କୀର୍ତ୍ତନ ଇତ୍ୟାଦି ବିଭାଗଗୁଡ଼ିକରେ କଳାକାରମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଚୟନ ପ୍ରକ୍ରିୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ନବକିଶୋର ମିଶ୍ର, ଓଡ଼ିଶୀ ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ର, ଅଲ୍ ଇଣ୍ଡିଆ ରେଡିଓ ଭାଓଲିନ୍ ବାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ, ପାଲା ଗାୟକ ତ୍ରିନାଥ ପଣ୍ଡା, ବରିଷ୍ଠ ପାଲା ଗାୟକ ପ୍ରଶାନ୍ତ କୁମାର ସ୍ୱାଇଁ, ଡ. ପୂର୍ଣ୍ଣଚନ୍ଦ୍ର ବେହେରା, ବିଶ୍ୱନାଥ ପ୍ରଧାନ ଆଦି ବରିଷ୍ଠ କଳାକାରମାନେ ବିଚାରକ ଭାବେ ଯୋଗଦେଇ ବିଭିନ୍ନ ଦଳର ପ୍ରଦର୍ଶନକୁ ମୂଲ୍ୟାୟନ କରିଥିଲେ।
କଳାକାରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଓ ପାରମ୍ପରିକ କଳାର ନିଖୁଣ ଉପସ୍ଥାପନା ବିଚାରକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର କର୍ମଚାରୀମାନେ ଚୟନ ପ୍ରକ୍ରିୟାର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
‘ଆମ କଳାକାର’ ପୋର୍ଟାଲ ମାଧ୍ୟମରେ ଏଭଳି ପ୍ରୟାସ ଜିଲ୍ଲାର ଅନେକ ଅବହେଳିତ ଓ ପାରମ୍ପରିକ କଳାକୁ ନୂତନ ପରିଚୟ ଦେବା ସହ କଳାକାରମାନଙ୍କ ପାଇଁ ଆଗାମୀ ଦିନରେ ଅଧିକ ସୁଯୋଗ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *