ଆୟୁଷ୍ମାନ୍ କାର୍ଡରେ ଠକେଇ ଅଭିଯୋଗ
ଜିଲ୍ଲାପାଳଙ୍କ ତଦନ୍ତ ପରେ ସାମ୍ନାକୁ ଆସିଲା ସତ୍ୟ
ରୋଗୀଙ୍କୁ ୪ଗୁଣା ଟଙ୍କା ଫେରାଇଲେ ନସିଂହୋମ କର୍ତ୍ତୃପକ୍ଷ…..
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଶ୍ରୀ ବାଲାଜି ନସିଂ ହୋମ ନାଁରେ ଆସିଛି ସାଂଘାତିକ ଅଭିଯୋଗ।ଆୟୁଷ୍ମାନ କାର୍ଡରେ ଦେୟମୁକ୍ତ ଚିକିତ୍ସାସେବା ଯୋଗାଇଦେବା ପାଇଁ ସରକାରୀ ବ୍ୟବସ୍ଥା ଥିବାବେଳେ ନସିଂ ହୋମରେ ଏହି ସୁବିଧା ନ ଥିବା କହି ଜଣେ ରୋଗୀଙ୍କଠାରୁ ୪୧ ହଜାର ୩୭୮ ଟଙ୍କା ଠକି ନେଇଥିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ରୋଗୀଙ୍କ ସମ୍ପର୍କୀୟ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ଅଭିଯୋଗ ପରେ ଠକେଇ କରିଥିବା ଟଙ୍କାର ଚାରିଗୁଣା ଫେରସ୍ତ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ନସିଂହୋମ କର୍ତ୍ତୃପକ୍ଷ। ଏହି ଘଟଣା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୁଚନା ଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ଗୋଡାଲ ଗ୍ରାମର ସବିତା ମୁଣ୍ଡ (୭୦)ଙ୍କ ଗୋଡ ଭାଙ୍ଗିଥିବାରୁ କିଛିଦିନ ତଳେ ସେ ଏହି ନସିଂହୋମକୁ ଚିକିତ୍ସା ପାଇଁ ଆସିଥିଲେ। ଗୋଡ଼ ଅସ୍ତ୍ରୋପଚାର ସରିବା ପରେ ନସିଂହୋମ କର୍ତ୍ତୃପକ୍ଷଙ୍କୁ ରୋଗୀଙ୍କ ଭାଇ ତ୍ରିବିକ୍ରମ ଯୋଶୀ ଆୟୁଷ୍ଠାନ କାର୍ଡ କରିଆରେ ଏହା କରିଦେବା ପାଇଁ କହିଥିଲେ। ହେଲେ ନସିଂହୋମ କର୍ତ୍ତୃପକ୍ଷ ଆୟୁଷ୍ଠାନ କାର୍ଡକୁ ମନା କରିବାରୁ ବାଧ୍ୟ ହୋଇ ସେ ୪୧ ହଜାର ୩୭୮ ଟଙ୍କା ଡିପୋଜିଟ କରିଥିଲେ।ପରେ ସେ ଏ ବାବଦ ବିଲ୍ ମାଗିବାରୁ ନସିଂ ହୋମ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଏହାକୁ ନେଇ ତ୍ରିବିକ୍ରମ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ନସିଂହୋମର ଠକେଇ ଧରାପଡ଼ିଥିଲା।ଏହାପରେ ରୋଗୀ ପୈଠ
କରିଥିବା ଟଙ୍କାର ୪ ଗୁଣ ଅର୍ଥାତ୍ ୧ ଲକ୍ଷ ୬୫ ହଜାର ୫୧୨ ଟଙ୍କା ତ୍ରିବିକ୍ରମଙ୍କୁ ନସିଂ ହୋମ କର୍ତ୍ତୃପକ୍ଷ ଫେରସ୍ତ କରିଥିବା ଜଣାପଡିଛି। ଏ ନେଇ ନସିଂ ହୋମର ମାଲିକ ପ୍ରଦୀପ ମିଶ୍ରଙ୍କୁ ପଚାରିବାରୁ ୪ଗୁଣା ଟଙ୍କା ଫେରେଇଥିବା ଘଟଣାକୁ ସ୍ବୀକାରକରିଥିଲେ। ତେବେ ଆୟୁଷ୍ଠାନ କାର୍ଡ ଠକେଇ ଘଟଣାକୁ ଅସ୍ବୀକାର କରିଥିଲେ। ଯେଉଁ ଟଙ୍କା ନିଆଯାଇଥିଲା ତାହା ସେବା ଓ ରୋଗୀଙ୍କୁ ରକ୍ତ ଦିଆଯିବା ପାଇଁ ନିଆଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
